ଓଡ଼ିଶାଲାଇଭ୍‍ ବ୍ୟୁରୋ

‘ବିଗ୍‌ ବସ’ର ମୁଖ୍ୟ ଆକର୍ଷଣ ହେଲେ ସଲମାନ୍ ଖାନ୍। ସଲ୍ଲୁ ଭାଇ ଉପସ୍ଥାପକ ଭାବେ ନଜର ଆସିବା ପରେ ହିଁ ଲୋକପ୍ରିୟ ହୋଇଥିଲା ଏହି ରିଆଲିଟି ସୋ’।

ଭାରତୀୟ ଟେଲିଭିଜନରେ ଏଯାବତ୍ ଯେଉଁସବୁ ରିଆଲିଟି ସୋ ପ୍ରସାରିତ ହୋଇଛି, ସେଥିମଧ୍ୟରୁ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିବା ସୋ ହେଲା ‘କୌନ୍ ବନେଗା କରୋଡ୍ ପତି (କେବିସି)’। ଟିଆରପିରେ ଏହା ତଳକୁ ସ୍ଥାନ ପାଏ ଅନ୍ୟ ଏକ ରିଆଲିଟି ସୋ’, ଯାହାର ନାଆଁ ହେଲା ‘ବିଗ୍‌ବସ୍’। ଏହାର ମୁଖ୍ୟ ଆକର୍ଷଣ ହେଲେ ସଲମାନ୍ ଖାନ୍। କାରଣ ସୁପରଷ୍ଟାର ସଲମାନ୍ ଖାନ୍ ଏହି ସୋ’ର ଉପସ୍ଥାପକ ଭାବେ ନଜର ଆସିବା ପରେ ହିଁ ଏହା ଲୋକପ୍ରିୟ ହୋଇଥିଲା।

‘ବିଗ୍ ବସ୍’ର ଫର୍ମାଟ୍ ମୌଳିକ ନୁହେଁ। ଜନ୍ ଡି ମୋଲାଙ୍କ ଦ୍ୱାରା ବିକଶିତ ତଥା ନେଦରଲାଣ୍ଡର ଏକ ଚ୍ୟାନେଲରେ ପ୍ରସାରିତ ‘ବିଗବ୍ରଦର’ ସୋ’ ଫର୍ମାଟ୍‌ରେ ଏହା ପ୍ରସ୍ତୁତ।

ଭାରତୀୟ ଚ୍ୟାନେଲ୍ ସୋନି ଟିଭିରେ ‘ବିଗବସ୍‌’ର ପ୍ରଥମ ପ୍ରସାରଣ ଆରମ୍ଭ ହୋଇଥିଲା ୨୦୦୬ ମସିହା ନଭେମ୍ବର ୩ ତାରିଖରେ । ପ୍ରଥମ ସିଜିନ୍‌ର ହୋଷ୍ଟ କିନ୍ତୁ ନ ଥିଲେ ସଲମନ୍ ଖାନ୍। ଏହାର ପ୍ରଥମ ହୋଷ୍ଟ୍ ଥିଲେ ଜଣାଶୁଣା ଅଭିନେତା ଅରସାଦ୍ ୱାରସୀ। କଲର୍ସରେ ‘ବିଗ୍‌ବସ୍‌-୨’ର ପ୍ରସାରଣ ସମୟରେ ଉପସ୍ଥାପନା କରିଥିଲେ ଲୋକପ୍ରିୟ ନାୟିକା ଶିଳ୍ପା ସେଟ୍ଟି ଓ ସିଜିନ୍ – ୩ର ହୋଷ୍ଟ ଥିଲେ ବିଗବି ଅମିତାଭ୍ ବଚ୍ଚନ। ହେଲେ ଏହି ରିଆଲିଟି ସୋ’କୁ ସେହି ସମୟରେ ସେଭଳି ଆଖିଦୃଶିଆ ସଫଳତା ମିଳିନଥିଲା।

ଆଠଟି ସିଜିନ୍ରେ ସଲମାନ୍

ପ୍ରକୃତରେ ‘ବିଗ୍‌ବସ୍‌-୪’ରେ ସଲମାନ୍ ଖାନ୍ ପ୍ରଥମ ଥର ପାଇଁ ଉପସ୍ଥାପକ ଭାବେ ଏଣ୍ଟ୍ରି ହେବା ପରେ ଏହାର ଟିଆରପି ବଢ଼ିଥିଲା। ୨୦୧୦ ମସିହା ଅକ୍ଟୋବର ୩ ତାରିଖରେ ସଲମାନଙ୍କ ଦ୍ୱାରା ଏହି ‘ବିଗ୍‌ବସ୍‌-୪’ର ସଞ୍ଚାଳନ ଆରମ୍ଭ ହୋଇଥିଲା। ବିଗ୍‌ବସ୍‌-୫ରେ ସଲମାନ୍ ଖାନ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ସହିତ ମିଶି ଏହାର କେତୋଟି ଅଧ୍ୟାୟର ଉପସ୍ଥାପନା କରିଥିଲେ।

‘ବିଗବସ୍‌-୬’ରୁ ବିଗବସ୍‌-୧୧ ଯାଏଁ ସମସ୍ତ ଛଅଟି ଯାକ ସିଜିନ୍‌ର ହୋଷ୍ଟ ଭାବେ ନଜର ଆସିଥିଲେ ସଲମାନ୍ ଖାନ୍। ଏହି ସମୟରେ ‘ବିଗବସ୍‌’ ଅପାର ଲୋକପ୍ରିୟତା ହାସଲ କରିଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ବିଗବସ୍ପାଇଁ ସଲମାନଙ୍କ ଫିସ୍

ଗତ ଜାନୁଆରୀ ୧୪ ତାରିଖରେ ପ୍ରସାରଣ ଶେଷ ହୋଇଥିବା ବିଗବସ୍‌-୧୧ ର ପ୍ରତି ଏପିସୋଡକୁ ହୋଷ୍ଟ୍ କରିବାଲାଗି ସଲମାନ୍ ଖାନ୍ ୧୧ କୋଟି ଟଙ୍କା ଫିସ୍‌ ନେଉଥିବା କୁହାଯାଉଛି। ତେବେ ବିଗବସ୍‌-୪ର ଯେତେବେଳେ ସେ ପ୍ରଥମେ ଉପସ୍ଥାପନା ଆରମ୍ଭ କରିଥିଲେ ସେତେବେଳେ ତାଙ୍କର ପାରିଶ୍ରମିକ ଏପିସୋଡ୍ ପିଛା ୨ କୋଟି ଥିଲା ବୋଲି ମିଡିଆ ରିପୋର୍ଟରୁ ଜଣାଯାଏ।

୨୦୧୩ରେ ସେ ଏହି ରିଆଲିଟି ସୋ’ର ହୋଷ୍ଟ୍ ଭାବେ ୫ କୋଟି ଓ ୨୦୧୪ରେ ସାଢ଼େ ୫ କୋଟି, ୨୦୧୫ରେ ‘ବିଗବସ୍‌-୯ ପାଇଁ ସେ ନେଉଥିଲେ ୭ରୁ ୮ କୋଟି ଟଙ୍କା।

କାହିଁକି ସଲମାନ୍ ଏହି ସୋପାଇଁ ଫିଟ୍?

ରିଆଲିଟି ସୋ’ ‘ବିଗବସ୍‌’ର ହୋଷ୍ଟିଂ ଅମିତାଭ ବଚ୍ଚନଙ୍କଠୁ ଆରମ୍ଭ କରି ଅରସାନ୍ ୱାରସୀଙ୍କ ଯାଏଁ କଳାକାର କରିଛନ୍ତି; କିନ୍ତୁ ଏହି ସୋ’ ପାଇଁ ସଲମାନ୍ ଖାନ୍ ସବୁଠାରୁ ବେଶି ଫିଟ୍ ବୋଲି କୁହାଯାଏ। ଏହାର କାରଣ ହେଲା ବଲିଉଡରେ ସମସ୍ତେ ସଲ୍ଲୁ ମିଆଁଙ୍କୁ ‘ଭାଇଜାନ୍’ ଭାବେ ଜାଣନ୍ତି।

ତା’ ଛଡ଼ା ତାଙ୍କର ଉପସ୍ଥାପନା ଶୈଳୀ ଅନ୍ୟମାନଙ୍କଠୁଁ ଭିନ୍ନ। ସେ କେତେବେଳେ ପ୍ରତିଯୋଗୀମାନଙ୍କ ସହିତ ନୋକଝୋକ୍‌ କରିଛନ୍ତି ତ ପୁଣି କେତେବେଳେ ଷ୍ଟାରମାନଙ୍କୁ ସେମାନଙ୍କ ଫିଲ୍ମର ପ୍ରମୋସନ୍ କରାଇବାରେ ସହାୟକ ହୋଇଛନ୍ତି। ଆଉ ‘ବିଗବସ୍‌’ ଘରେ ତାଙ୍କର ଦବଙ୍ଗ୍ ଷ୍ଟାଇଲ୍ ଥିଲା ସବୁଠୁ ପପୁଲାର।

ବିଗବସ୍‌’ ନିୟମ ଭାଙ୍ଗିଥିଲେ ସଲମାନ୍

‘ବିଗବସ୍‌-୧୧’ ରିଆଲିଟି ସୋ’ର ପ୍ରସାରଣ ଶେଷ ପରେ ପ୍ରତିଯୋଗୀ ପ୍ରଯୋଜନା ବିକାଶ ଗୁପ୍ତା ନିଜର ଇନଷ୍ଟାଗ୍ରାମ୍‌ରେ ଏକ ତଥ୍ୟ ପ୍ରଦାନ କରିଥିଲେ। ତାହା ଅନୁଯାୟୀ ସଲମାନ୍ ଖାନ୍ ‘ବିଗ୍‌ବସ୍‌’ର ନିୟମ ଭାଙ୍ଗିଥିଲେ। ସେ ଏଥିପାଇଁ ସୁପରଷ୍ଟାରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ।

ବିକାଶ ଉଲ୍ଲେଖ କରିଥିଲେ ଯେ ‘ବିଗବସ୍‌’ର ନିୟମ  ଅନୁଯାୟୀ ପ୍ରତିଯୋଗୀମାନଙ୍କୁ ସେହି ହାଉସର ଖାଦ୍ୟ ଖାଇବାକୁ ପଡ଼ିଥାଏ। କିନ୍ତୁ ପ୍ରତିଯୋଗୀମାନେ ସଲମାନ୍ ଖାନ୍‌ଙ୍କୁ ସେଠାରେ ସେମାନଙ୍କ ମନପସନ୍ଦ ସ୍ୱାଦିଷ୍ଟ ଖାଦ୍ୟ ମିଳୁନଥିବାର ଅଭିଯୋଗ କରିବା ପରେ ସେ ନିଜେ ନିଜ ଘରୁ ସ୍ୱାଦିଷ୍ଟ ଖାଦ୍ୟ ଆଣି ପ୍ରତିଯୋଗୀମାନଙ୍କୁ ପରିବେଷଣ କରିଥିଲେ। ଏଭଳି ଘଟଣା ପୂର୍ବର କୌଣସି ସିଜିନରେ ଘଟିନଥିଲା।

 

Comment