ଓଡ଼ିଶାଲାଇଭ୍‍ ବ୍ୟୁରୋ

‘ପିପଲି ଲାଇଭ’ ଫିଲ୍ମର ସହ-ନିର୍ଦ୍ଦେଶକ ମହମୁଦ୍ ଫାରୁକିଙ୍କ ବିରୋଧରେ ଆସିଥିବା ରେପ୍ ଅଭିଯୋଗକୁ ଗ୍ରହଣ ନକରି ହାଇକୋର୍ଟର ରାୟକୁ ପ୍ରଶଂସା କରିଛନ୍ତି ସୁପ୍ରିମକୋର୍ଟର ଦୁଇଜଣ ବିଚାରପତି। ଜାଣନ୍ତୁ କ’ଣ ଏହି ମାମଲା ଓ କ’ଣ କୁହାଯାଇଛି ଏହି ରାୟରେ।

‘ପିପଲି ଲାଇଭ’ ଫିଲ୍ମର ସହ-ନିର୍ଦ୍ଦେଶକ ମହମୁଦ୍ ଫାରୁକିଙ୍କ ବିରୋଧରେ ଆସିଥିବା ରେପ୍ ଅଭିଯୋଗକୁ ଗ୍ରହଣ କରି ନାହାନ୍ତି ସୁପ୍ରିମକୋର୍ଟ। ବରଂ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଦୁଇ ବିଚାରପତି ହାଇକୋର୍ଟଙ୍କ ରାୟକୁ ପ୍ରଶଂସା କରିବା ସହ ଆବେଦନକାରୀଙ୍କ ଓକିଲଙ୍କୁ ପଚାରିଥିଲେ, “ଆପଣ ଏଭଳି କେତୋଟି ମାମଲା ଲଢ଼ିଛନ୍ତି, ଯେଉଁଠି ଦୁଷ୍କର୍ମ ପରେ ପୀଡ଼ିତା କହୁଛି ‘ଆଇ ଲଭ ୟୁ’?”

ରେପ୍ ମାମଲାରେ ସୁପ୍ରିମକୋର୍ଟ ଶନିବାର ଏକ ବଡ଼ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଦୁଇ ଜଣ ପୁରୁଷ ଓ ନାରୀଙ୍କ ମଧ୍ୟରେ ସମ୍ପର୍କର ଖିଅ ଖୋଜିବା କଷ୍ଟକର ବ୍ୟାପାର।

‘ପିପଲି ଲାଇଭ’ ଫିଲ୍ମର ସହ-ନିର୍ଦ୍ଦେଶକ ମହମୁଦ୍ ଫାରୁକିଙ୍କ ବିରୋଧରେ ଆସିଥିବା ରେପ୍ ଅଭିଯୋଗକୁ ଗ୍ରହଣ ନକରି ହାଇକୋର୍ଟର ରାୟକୁ ପ୍ରଶଂସା କରିଛନ୍ତି ସୁପ୍ରିମକୋର୍ଟର ଦୁଇଜଣ ବିଚାରପତି।

ମହମୁଦଙ୍କୁ ରିହାତି ଦେବାକୁ ଯାଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ପୁରୁଷ ବନ୍ଧୁଙ୍କ ସହିତ ସମ୍ପର୍କ ରଖିବା ଭିତରେ ଯଦି ରେପ୍‌ର ଅଭିଯୋଗ ଆସେ ତାହାକୁ ଗ୍ରହଣ କରିବା କଷ୍ଟ ଓ ଏନେଇ ଫ‌ଇସଲା ଶୁଣାଇବା ମଧ୍ୟ ଆହୁରି ଅଧିକ କଷ୍ଟ। ଏହି ମାମଲାରେ ହାଇକୋର୍ଟର ରାୟକୁ ତାରିଫ କରିଛନ୍ତି ସୁପ୍ରିମକୋର୍ଟର ବିଚାରପତି। ମହମୁଦଙ୍କୁ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରି ଠିକ୍ କରିଛନ୍ତି ବୋଲି ଜଜ୍ କହିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି କେସରେ ଜୋର ଜବରଦସ୍ତିର କୌଣସି ପ୍ରମାଣ ନାହିଁ। ବିଚାରପତିମାନେ ଆବେଦନକାରୀଙ୍କ ଓକିଲଙ୍କୁ ଶୁଣାଣି ବେଳେ ପଚାରିଥିଲେ, “ଆପଣ ଏଭଳି କେତୋଟି ମାମଲା ଲଢ଼ିଛନ୍ତି, ଯେଉଁଠି ଦୁଷ୍କର୍ମ ପରେ ପୀଡ଼ିତା କହୁଛି ‘ଆଇ ଲଭ ୟୁ’?”

ଫାରୁକିଙ୍କ ବିରୋଧରେ ରେପ୍ ଅଭିଯୋଗ ଆଣିଥିବା ମହିଳା ହାଇକୋର୍ଟର ରାୟକୁ ଚାଲେଞ୍ଜକରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ଆବେଦନର ଶୁଣାଣି କରି ଜଷ୍ଟିସ ଏସ୍‌ ଏ ବୋବଡେ ଓ ଜଷ୍ଟିସ ନାଗେଶ୍ୱର ରାଓ ମୂଳରୁ ହିଁ ହାଇକୋର୍ଟ ରାୟ ବିରୋଧରେ ଆସିଥିବା ଆବେଦନକୁ ଖାରଜ କରିଦେଇଥିଲେ। ଜଜ୍‌ମାନେ କହିଲେ, ଏହିଭଳି ଜଟିଳ ମାମଲାରେ ହାଇକୋର୍ଟ ଫାରୁକିଙ୍କ ସପକ୍ଷରେ ଯେଉଁ ରାୟ ଦେଇଛନ୍ତି ତାହା ଏକଦମ ଠିକ୍ ଓ ଏଥିରେ ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ।

ସୁପ୍ରିମକୋର୍ଟର ବିଚାରପତିମାନେ ସଂପୃକ୍ତ ମହିଳାଙ୍କ ପକ୍ଷରୁ ଫାରୁକିଙ୍କୁ ଦେଇଥିବା ଇମେଲ କଥା ଉଠାଇଥିଲେ। କାରଣ ସେହି ତଥାକଥିତ ରେପ୍ ଘଟଣା ପରେ ବି ମହିଳା ଜଣକ ଫାରୁକିଙ୍କ ପ୍ରତି ନିଜର ଭଲ ପାଇବା ସ୍ୱୀକାର କରି ଇମେଲ୍‌ ଲେଖିଥିଲେ।

ଫାରୁକି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ‘ମି ଠୁ’ ଅଭିଯାନ ପରିପ୍ରେକ୍ଷୀରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଅଭିଯାନ କହୁଛି ଯେ ପ୍ରେମ ସମ୍ପର୍କ ଭିତରେ ‘ନା ର ଅର୍ଥ ନା’। ମାନେ ଯଦି ପ୍ରେମିକା ନା କହିଲା ତେବେ ପ୍ରେମିକକୁ ଏହା ନକରାତ୍ମକ ପରିପ୍ରକାଶ ବୋଲି ଧରି ନେବାକୁ ହେବ। ତେବେ ଫାରୁକି ମାମଲାରେ ହାଇକୋର୍ଟଙ୍କ ଫ‌ଇସଲାକୁ ସମର୍ଥନକରି ସୁପ୍ରିମକୋର୍ଟ ଏଭଳି ଏକ ନୂଆ କ୍ଷେତ୍ର ସୃଷ୍ଟି କରିଛନ୍ତି, ଯେଉଁଠି ସମ୍ପର୍କରେ ‘ହାଲୁକା ଭାବେ ନା କରିବା’ର ଅର୍ଥ ‘ପୂରା ନା’ ନୁହେଁ।

ସୁପ୍ରିମକୋର୍ଟଙ୍କ ଏହି ଗୁରୁତ୍ବପୂର୍ଣ୍ଣ ରାୟର ପ୍ରଭାବ ଏଭଳି ମାମଲାଗୁଡ଼ିକ ଉପରେ ପଡ଼ିବ, ଯେଉଁଠି ବିଭିନ୍ନ କୋର୍ଟରେ ପ୍ରେମ ଓ ଶାରୀରିକ ସମ୍ପର୍କକୁ ନେଇ ବିଭିନ୍ନ ମାମଲାର ବିଚାର ଚାଲିଛି। କାରଣ ଜଣେ ମହିଳାଙ୍କର ବିନା ସହମତିରେ ଶାରୀରିକ ସମ୍ପର୍କକୁ ଆଇନଃ ଦୁଷ୍କର୍ମ ହିସାବରେ ବର୍ଣ୍ଣନା କରାଯାଇଛି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ପରୋକ୍ଷ ବା ଅଣ-ମୌଖିକ ପ୍ରତିରୋଧକୁ ଆଇନ ଦୃଷ୍ଟିରୁ ଏଣିକି ହୁଏତ ଗୁରୁତର ଓ ସୂକ୍ଷ୍ମ ଭାବେ ବିଚାର କରାଯିବ।

ସୁପ୍ରିମକୋର୍ଟର ଦୁଇଜଣ ନାମୀ ଓକିଲ ବୃନ୍ଦା ଗ୍ରୋଭର ଓ ଅନିନ୍ଦିତା ପୂଜାରୀ ଅଭିଯୋଗ ଆଣିଥିବା ମହିଳାଙ୍କ ସପକ୍ଷରେ ଲଢ଼ୁଥିଲେ। କୋର୍ଟରେ ସେମାନେ ଯୁକ୍ତି ଦର୍ଶାଇଥିଲେ ଯେ ସେମାନେ ପୂର୍ବରୁ କେବଳ ପରସ୍ପରକୁ ଜାଣିଥିଲେ ସତ, ତେବେ ସେମାନଙ୍କ ମଧ୍ୟରେ  କୌଣସି ପ୍ରେମ ସମ୍ପର୍କ ନଥିଲା।

ଫାରୁକି ମାମଲାରେ ତଳ କୋର୍ଟ ୭ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ। ତଳ କୋର୍ଟର ଏହି ରାୟକୁ ଯଥାର୍ଥ ଥିଲା ବୋଲି ବୋଲି ଗ୍ରୋଭର ଓ ପୂଜାରୀ ସୁପ୍ରିମକୋର୍ଟରେ ଯୁକ୍ତି ଦର୍ଶାଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ବିଚାରପତିମାନେ ଏହାକୁ ଗ୍ରହଣ କରିନଥିଲେ। ସେମାନେ କହିଥିଲେ ଯେ କୌଣସି ସାଧାରଣ ସମ୍ପର୍କ ଭିତରେ ପୁରୁଷ ଓ ମହିଳା ବନ୍ଧୁଙ୍କ ମଧ୍ୟରେ ‘କିସିଂ’ ହୁଏ ନାହିଁ। ଯଦି ଏଭଳି କୌଣସି ଘଟଣା ଘଟେ ତାହାଲେ ସେହି ସମ୍ପର୍କକୁ ସାଧାରଣ ସମ୍ପର୍କ ବୋଲି କୁହାଯାଇ ନପାରେ।

ଏହି ପ୍ରସଙ୍ଗକୁ ଅତି ସ୍ପଷ୍ଟ କରିବାକୁ ଯାଇ ଅଭିଯୋଗକାରିଣୀଙ୍କ ଓକିଲଙ୍କୁ ଜଜ୍ ପଚାରିଥିଲେ, “ଆପଣ ଦୁଇଜଣ ବରିଷ୍ଠ ଓକିଲ ଓ ଅନେକ ରେପ୍ ମାମଲା ଲଢ଼ିଥିବେ। ଆପଣ ଏଭଳି କେତୋଟି କେସ୍ ଦେଖିଛନ୍ତି ଯେଉଁଠି ପୀଡ଼ିତା ଘଟଣା ଘଟିବା ପରେ କହୁଛି ‘ଆଇ ଲଭ ୟୁ’?”

ଖଣ୍ଡପୀଠ କହିଲେ ଯେ ଇମେଲରୁ ସ୍ପଷ୍ଟ ପ୍ରମାଣିତ ଯେ ଫାରୁକି ଓ ଅଭିଯୋଗକାରିଣୀ ଘନିଷ୍ଠ ବନ୍ଧୁ ଥିଲେ। ଏଣୁ ଏହା କହିବା ଠିକ୍ ହେବ ନାହିଁ ଯେ ଘଟଣା ବେଳେ ମହିଳା ଖୁବ୍ ଡରି ଯାଇଥିଲେ ଏବଂ ସେଥିପାଇଁ ସେ ପ୍ରତିରୋଧ କରି ପାରିନଥିଲେ।

ଫାରୁକି ମାମଲାରେ ରାୟ ଦେଇ ସୁପ୍ରିମକୋର୍ଟ ଯାହା କହିଛନ୍ତି ତାହାର ସାରମର୍ମ ହେଲା: ପ୍ରତି ଥର ‘ନା’ କହିବାର ଅର୍ଥ ପୂରା ‘ନା’ ନୁହେଁ। ଏଭଳି ବି ଉଦାହରଣ ରହିଛି ଯେଉଁଠି ଜଣେ ମହିଳାଙ୍କ ଦ୍ୱାରା ‘ହାଲୁକା ଭାବେ’ ହୁଏତ ନା କରିବାର ଅର୍ଥ ‘ହଁ’ ବି ହୋଇପାରେ। ତେଣୁ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଗଢ଼ି ଉଠୁଥିବା ଶାରୀରିକ ସମ୍ପର୍କ ବିଶେଷକରି ପ୍ରେମିକ ଓ ପ୍ରେମିକାଙ୍କ ମଧ୍ୟରେ ଦେହଗତ ସମ୍ପର୍କକୁ ବାଖ୍ୟା କରିବା କ୍ଷେତ୍ରରେ ଏହା ଏବେ ଏକ ନୂଆ ପରିଭାଷା ସୃଷ୍ଟି କରିବ।

Comment