ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କଂଗ୍ରେସର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା
  • ବିଜେପିର ୧୨ ଘଣ୍ଟିଆ ହରତାଳ
  • ରେଳ ରୋକ୍ କଲେ କଂଗ୍ରେସ କର୍ମୀ
  • ବିଜେପି ସାରା ରାଜ୍ୟରେ କଲା ବିକ୍ଷୋଭ
  • ବନ୍ଦକୁ ମାଓବାଦୀଙ୍କ ସମର୍ଥନ
  • କୋରାପୁଟ ପୋଲିସ ଅଧିକାରୀଙ୍କ ବଦଳି ଦାବି କଲେ ମାଓବାଦୀ
  • କଟକରେ ଡିଜିପି ଅଫିସ୍ ଘେରାଉ କଲା କଂଗ୍ରେସ

କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବୁଧବାର ସାରା ରାଜ୍ୟରେ ନିଆଁ ଜଳିଛି। କୋରାପୁଟରୁ କଟକ ଏବଂ ବ୍ରହ୍ମପୁରରୁ ସମ୍ବଲପୁର ସବୁଠି କୁନ୍ଦୁଲି ନିଆଁ ଜଳିଛି।

କଂଗ୍ରେସ ଏବଂ ବିଜେପି ଓଡ଼ିଶା ବନ୍ଦ ଡାକରା ଦେଇଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। କଂଗ୍ରେସ କର୍ମୀମାନେ ବୁଧବାର ସକାଳୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିବା ସହ ରେଳରୋକ୍ କରିଛନ୍ତି। ସମ୍ବଲପୁର, ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍, ଜୟପୁର ଓ ବାଲେଶ୍ବର ଷ୍ଟେସନରେ କଂଗ୍ରେସ କର୍ମୀମାନେ ରେଳ ରୋକ୍ କରି ପ୍ରତିବାଦ କରିଥିଲେ।

ବନ୍ଦ ଯୋଗୁଁ ବସ୍‌ ଚଳାଚଳ ମଧ୍ୟ ଠପ୍ ହୋଇଯାଇଛି। ପୁରୀ, ଭୁବନେଶ୍ବର, କଟକ ଆଦି ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ବସ୍‌ ସେବା ବନ୍ଦ ରହିଛି। ବନ୍ଦ ଯୋଗୁଁ ଦୋକାନ ବଜାର ବି ପ୍ରଭାବିତ ହୋଇଛି।

ବାଲେଶ୍ବର, ଜୟପୁର, ଭବାନୀପାଟଣା, କଟକ ଓ ସମ୍ବଲପୁର ଆଦି ସ୍ଥାନରେ ଉଭୟ ବିଜେପି ଏବଂ କଂଗ୍ରେସ କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। କଂଗ୍ରେସ କର୍ମୀମାନେ ବିଭିନ୍ନ ଛକରେ ପିକେଟିଂ କରିଥିଲେ।

କଟକରେ କଂଗ୍ରେସ କର୍ମୀମାନେ ଡିଜିପି ଅଫିସ ଘେରାଉ କରିଥିଲେ। କୁନ୍ଦୁଲି ଘଟଣାରେ ପୋଲିସର ନିଷ୍କ୍ରିୟତା ଉପରେ ପ୍ରତିବାଦ କରିଥିଲେ। ହେଲେ ପୋଲିସ ଆନ୍ଦୋଳନକାରୀମାନଙ୍କୁ ଉଠାଇ ନେଇଥିଲା।

ଏପଟେ ବିଜେପି ଏବଂ କଂଗ୍ରେସର ବନ୍ଦକୁ ସମର୍ଥନ କରିଛନ୍ତି ମାଓବାଦୀ। ୧୨ ଘଣ୍ଟା ବଦଳରେ ୪୮ ଘଣ୍ଟା ବନ୍ଦ କରିବାକୁ ମାଓବାଦୀମାନେ ଅଡିଓଟେପ୍‌ ଜାରି କରି କହିଛନ୍ତି। କୋରାପୁଟ-ଶ୍ରୀକାକୁଲମ୍‌ ଡିଭିଜନ ସମ୍ପାଦିକା ଅରୁଣା ଅଡିଓଟେପ୍‌ ଜାରି କରି କୋରାପୁଟ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ବଦଳି ଦାବି କରିଛନ୍ତି। ଏହାସହ ସାଧାରଣତନ୍ତ୍ର ଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ସେ ଆହ୍ବାନ ଦେଇଛନ୍ତି।

ରାଉରକେଲାରେ ବନ୍ଦର ଚିତ୍ର

କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ପାଳନ ଓ ବିଜେପି ପକ୍ଷରୁ ହରତାଳ ଅବସରରେ ସ୍ମାର୍ଟ ସିଟି ରାଉରକେଲାରେ ସେଭଳି ବଡଧରଣର କୌଣସି ପ୍ରଭାବ ପରିଲକ୍ଷିତ ହୋଇନାହିଁ। ତେବେ ପେଟ୍ରୋଲ ପମ୍ପ,ଦୋକାନ ବଜାର, ସିଟି ଓ ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରହିଛି। ପାନପୋଷ ଛକଠାରେ କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଥିବା ବେଳେ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ ଜରିଆରେ ବନ୍ଦ ପାଳନ କରାଯାଉଛି। ମୋଟାମୋଟି ଭାବେ  ସହରରେ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

କଂଗ୍ରେସ ଏବଂ ବିଜେପିର ବନ୍ଦ ପାଳନରେ ବିଜେଡି ପ୍ରତିକ୍ରିୟ ରଖିଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ଗଣତାନ୍ତ୍ରିକ ଦଳମାନଙ୍କର ପ୍ରତିବାଦ କରିବାର ଅଧିକାର ରହିଛି। ହେଲେ ଯେଉଁଭଳି ରାଜନୀତି କରାଯାଉଛି ତାହା ଠିକ୍ ନୁହେଁ। କୁନ୍ଦୁଲି ଘଟଣାର ତଦନ୍ତ ଚାଲିଛି। ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ବିଜେଡି ପ୍ରତିଶ୍ରୁତିବଦ୍ଧ।”

କୁନ୍ଦୁଲି ପୀଡ଼ିତା ୨୧ ତାରିଖରେ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ କଂଗ୍ରେସ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଥିବା ବେଳେ ବିଜେପି ୧୨ ଘଣ୍ଟିଆ ହରତାଳ ଡାକରା ଦେଇଥିଲା।

୨୦୧୭ ଅକ୍ଟୋବର ୧୦ ତାରିଖରେ କୁନ୍ଦୁଲିର ଜନୈକା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ୪ ଜଣ ଯୁବକ ଯବାନ ପୋଷାକ ପିନ୍ଧି ଏହି କାଣ୍ଡ ଘଟାଇଥିବା ପୀଡ଼ିତା ଅଭିଯୋଗ କରିଥିଲେ। ପୀଡ଼ିତା ଆତ୍ମହତ୍ୟା କରିବା ପରେ ରାଜନୀତି ତେଜିଥିଲା। ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।

Comment