ଛନ୍ଦା ମିଶ୍ର

ଜନ୍ ଏଫ୍ କେନେଡିଙ୍କ ପିଲାଦିନ। ବାପା ତାଙ୍କୁ କହିଥିଲେ, ବାବୁରେ ତୁମେ ଘୋଡ଼ାଚଢ଼ କି ଘାସକାଟ, କାମ ଯେ କୌଣସିଟି ବି ହେଉ ସେଥିରେ ଉତ୍କର୍ଷ କର ଓ ନାମ ଅର୍ଜନ କର। କେନେଡି ବାପାଙ୍କ କଥାକୁ ମୂଳମନ୍ତ୍ର କରି ନିଜ ଜୀବନକୁ ଅନ୍ୟମାନଙ୍କ ପାଇଁ ଏକ ସୁନ୍ଦର ଉଦାହରଣରେ ପରିଣତ କରିଯାଇଥିଲେ। ପାଠକେ, ଏଠାରେ ଓଡ଼ିଶାର ସେହି ଢଗଟିକୁ ମନେପକାନ୍ତୁ – ଦେଉଳ ତୋଳିଲେ ନାଁ ଓ ବାଟ ଅସନା କଲେ ନଁ।।

ଆଜିର ଯୁଗ ହେଉଛି ସର୍ଟକଟର। ଏଠି ସୁଇଚ୍ ଟିପିଲେ ସବୁ ମିଳେ। ଆଗ କାଳ ପରି ହାତଲେଖା ଚିଠି ବା ଟ୍ରଙ୍କକଲ ନାହିଁ। ଗୋଟିଏ ମିନିଟରେ ଇଣ୍ଟରନେଟ୍ ସାହାଯ୍ୟରେ ସାରା ପୃଥିବୀ ଭ୍ରମଣ କରିହୁଏ। ତେଣୁ ଚାନ୍ଦା ସଂଗ୍ରହ କରି, ଉତ୍ତମ ଭୂମିଟିଏ ଚୟନ କଲାପରେ ମୂଲିଆ ମିସ୍ତ୍ରୀ ଓ କର୍ମକୁଶଳୀ କାରିଗରମାନଙ୍କୁ ଧରି ମନ୍ଦିରଟିଏ ତୋଳିବା ଯେ କେତେ କଷ୍ଟକର ବ୍ୟାପାର, ତାହା କେବଳ ଭୁକ୍ତଭୋଗି ହିଁ ଜାଣେ। କିନ୍ତୁ ରାସ୍ତାରେ ଝାଡ଼ା ଫେରିବାଟା ନିତାନ୍ତ ସହଜ, ମାତ୍ର ସେଥିପାଇଁ ଦରକାର ହୁଏ ନିର୍ଲଜ୍ଜତା ଓ ସମାଜ ପ୍ରତି ଏକ ବେଖାତିର ଭାବ।

ଏହିଭଳି କିଛି ସୁଗୁଣର ଅଧିକାରିଣୀମାନଙ୍କ ମଧ୍ୟରେ ଅଭିନେତ୍ରୀ ରାକ୍ଷୀ ସାଓ୍ୱନ୍ତଙ୍କ ନାମ ସର୍ବାଗ୍ରେ ରହିଛି। ଜୁନିୟର ଆର୍ଟିଷ୍ଟ ହୋଇ କାମ ଆରମ୍ଭ କରିଥିବା ରାକ୍ଷୀଙ୍କର ଅଭିନୟ ଦକ୍ଷତା କେତେ ତାହା ଦର୍ଶକେ ଭଲରୂପେ ଜାଣନ୍ତି। ମାତ୍ର ରାକ୍ଷୀ ଚିନ୍ତା କଲେ ଯେ, ଏପରି ଛୋଟ ମୋଟ ଅଭିନୟ ଓ ଗୋଟିଏ ଦୁଇଟି ଆଇଟମ୍ ସଙ୍ଗ୍ କଲେ ନାଁ କମେଇ ହେବନି। ତେଣୁ ଏକ ସହଜ ରାସ୍ତା ଖୋଜିଲେ ସେ ଓ ଗଣମାଧ୍ୟମ ଏଥିରେ ତାଙ୍କୁ ପୂର୍ଣ୍ଣ ସହଯୋଗ ପ୍ରଦାନ କଲା। ମିକାଙ୍କ ସହ ଚୁମ୍ବନ ହେଉ କିମ୍ବା ଜେଲରେ କମ୍ପ୍ୟୁଟର ବଣ୍ଟନ ହେଉ ପ୍ରତ୍ୟେକ କଥାରେ ଚର୍ଚ୍ଚାରେ ରହିଲେ ରାକ୍ଷୀ। ଏହାକୁ ଦେଖି ଇମାଜିନ୍ ଟିଭି ଆରମ୍ଭ କଲା ରାକ୍ଷୀ କା ସ୍ଵୟଂବର ।

ରାକ୍ଷୀଙ୍କର ସୁନ୍ଦରତା ଓ ଗୁଣବତ୍ତାକୁ ଦେଖି ଚଉଦ ହଜାର ଯୁବକ ସେହି ସ୍ଵୟଂବରରେ ଯୋଗଦେବା ପାଇଁ ଆବେଦନ କଲେ। ଯେଉଁ ଯୁବକ ଜଣକ ରାକ୍ଷୀଙ୍କର ପ୍ରତ୍ୟେକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ତାଙ୍କ ମନ ଜିଣିବାରେ ସଫଳ ହେଲେ, ତାଙ୍କର ସୌଭାଗ୍ୟ ଯେ ରାକ୍ଷୀଙ୍କ ସହିତ ତାଙ୍କର ମତାନ୍ତର ହୋଇଗଲା ଓ ତାଙ୍କ ଜୀବନଟି ବଞ୍ଚିଗଲା। ମାତ୍ର ରାତାରାତି ରାକ୍ଷୀ ହୋଇଗଲେ ଷ୍ଟାର। ସେ ଏତେ ପପୁଲାର ହେଲେ ଯେ ବିଚାରପତିଙ୍କ ଭଳି ବିଚାର କରିବାର ଦକ୍ଷତା ତାଙ୍କର ଆସିଗଲା ଏବଂ ରାକ୍ଷୀ କି ଅଦାଲତ ଆରମ୍ଭ ହେଲା ।

ଏହି ଡ୍ରାମା କିଛି ଚାଲି ଟିକେ ଥଣ୍ଡା ହୋଇ ଆସିଲାବେଳକୁ ରାକ୍ଷୀ ପ୍ରସ୍ତାବ ଦେଲେ ଯେ, ଯଦି ଯୋଗଗୁରୁ ରାମଦେବ ରାଜି ହୁଅନ୍ତେ ତେବେ ସେ ତାଙ୍କୁ ବିବାହ କରନ୍ତେ। କିନ୍ତୁ ଦୁଃଖର ବିଷୟ, ଯୋଗଗୁରୁ ଏହି ପ୍ରସଙ୍ଗରେ ନୀରବ ରହିବାକୁ ଉଚିତ ମନେକଲେ। ଏବେ ରାକ୍ଷୀଙ୍କ ନୂଆ ଚାଲ ଦେଖିବା ବାକି ରହିଲା ।

ଏଥର ଆସିବା ପୁନମ୍ ପାଣ୍ଡେଙ୍କ ପ୍ରସଙ୍ଗକୁ। ଏହି ମଡେଲଙ୍କୁ କେହି ଜାଣି ନଥିଲେ। ସେ ନିଜକୁ ସମସ୍ତଙ୍କ ପାଖରେ ଜଣେଇ ହେବା ପାଇଁ ଘୋଷଣା କଲେ ଯେ, ଯଦି ଟିମ୍ ଇଣ୍ଡିଆ ଜିତିଯାଏ ତେବେ ସର୍ବସାଧାରଣଙ୍କ ସାମ୍ନାରେ ଷ୍ଟାଡିୟମ ଭିତରେ ସେ ଉଲଗ୍ନ ହେବେ। ତେବେ ଏଥିରୁ ଟିମ୍ ଇଣ୍ଡିଆାର କେଉଁ ଲାଭ ହେବ ତାହା କେବଳ ସେହି ବୁଦ୍ଧିମତୀଙ୍କୁ ହିଁ ଜଣା। ଏଥିପାଇଁ ସେ ଏକ କାଉଣ୍ଟଡାଉନ୍ ଆରମ୍ଭ କଲେ, ଯାହାର ଶୀର୍ଷକ ସେ ରଖିଥିଲେ, ‘ପୁନମ୍ ପାଣ୍ଡେ ଉଇଦାଉଟ୍ ବିକିନି’। ସେ ଭଲରୂପେ ଜାଣିଥିଲେ ଯେ ଏହା ରକ୍ଷଣଶୀଳ ଭାରତୀୟ ସମାଜରେ ହଇଚଇ ସୃଷ୍ଟି କରିବ ଓ ସେ ରାତାରାତି (କୁ)ଖ୍ୟାତ ହୋଇଯିବେ ଓ ତାହାହିଁ ହେଲା। ସେ ହୋଇଗଲେ ଷ୍ଟାର।

ଟିମ୍ ଇଣ୍ଟିଆ ଜିତିଲା। ମାତ୍ର ଦୁର୍ଭାଗ୍ୟର ବିଷୟ ପୁନମକୁ ପୋଲିସ ଅନୁମତି ଦେଲାନାହିଁ ଏପରି କରିବା ପାଇଁ । ତେଣୁ ଏବେ ସେ କେବଳ ନିଜର ଟପଲେସ୍ ଫଟୋ ଦେଇ ଫ୍ୟାନମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ।

ଏଠାରେ ଲକ୍ଷ୍ୟ କରନ୍ତୁ ଉଭୟଙ୍କର ମାନସିକତା। ଉଭୟେ ନିଜ ପାଇଁ ଖ୍ୟାତି ଆଣିବାର ତୀବ୍ର ଇଚ୍ଛା ପୋଷଣ କରି ନାରୀର ଭୂଷଣ ଲଜ୍ଜାକୁ ସମ୍ପୂର୍ଣ୍ଣରୂପେ ତ୍ୟାଗ କରିଦେବା ପାଇଁ ପ୍ରସ୍ତୁତ।

ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ସମାଜରେ ଚଳପ୍ରଚଳ ହେବା ପାଇଁ ତାକୁ କେତେକ ନୀତିନିୟମ ମାନି ଚଳିବାକୁ ପଡ଼େ। ଏହି ନୀତିନିୟମ ଗୁଡ଼ିକ ମନୁଷ୍ୟର ଦୈନନ୍ଦିନ ଜୀବନ ସହିତ ଏପରି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇରହିଛି ଯେ, ସେଥିରେ ତିଳେ ବିଚ୍ୟୁତି ହେଲେ ମନୁଷ୍ୟର ନୈତିକତାରେ ଭୟଙ୍କର ଅସନ୍ତୁଳନ ଦେଖାଦେଉଛି। କାରଣ ଭାରତୀୟ ସମାଜ, ନାରୀକୁ ଦେବୀର ଆସନରେ ଦେଖିବାକୁ ହିଁ ଭଲପାଏ, ଯେଉଁଠି ନାରୀର ନଗ୍ନ ଶରୀରକୁ ନୁହେଁ, ତାର ସ୍ଵର୍ଗୀୟ ଗୁଣଗୁଡ଼ିକୁ ହିଁ ପୂଜା କରାଯାଇଛି।

ଏଇ ଅଳ୍ପକିଛି ଦିନ ତଳେ ନାରୀମାନଙ୍କର ପୋଷାକ ଚୟନ ଉପରେ ବଳାତ୍କାର ହାର ନିର୍ଭର କରୁଛି ବୋଲି ମତ ଦେଇ ଏକ ଦକ୍ଷିଣୀ ରାଜ୍ୟ ଡିଜିପି ଉଗ୍ର ଆଧୁନିକ ନାରୀମାନଙ୍କର ରୋଷର ଶିକାର ହୋଇଥିଲେ।

ଆଜି ଆଧୁନିକତାର ଆଳ ଦେଖାଇ ସମସ୍ତେ ନାରୀକୁ ଏକ ପଣ୍ୟସାମଗ୍ରୀ ରୂପେ ବ୍ୟବହାର କରୁଛନ୍ତି। ଟିଭି ଖୋଲିଲା ମାତ୍ରେ ସେ ଜୋତା ପଲିସ ହେଉ କିମ୍ବା ଚକୋଲେଟ୍, ପାଣି ପମ୍ପ ହେଉ କିମ୍ବା ମୋଟରସାଇକେଲ, ପ୍ରତ୍ୟେକ ବିଜ୍ଞାପନରେ ଅର୍ଦ୍ଧନଗ୍ନ ନାରୀ ଦେହର ଆବଶ୍ୟକତା ପଡ଼ୁଛି। ଏହାକୁ ହିଁ ଆଧୁନିକତା ବୋଲି ମନେକରି ନାରୀମାନେ ମଧ୍ୟ ନିଜ ରୁଚି ବଦଳାଇ, ସେହିଭଳି ପୋଷାକ ପିନ୍ଧି ନିଜକୁ ଗୌରାବାନ୍ଵିତ ମନେକରୁଛନ୍ତି।

ଏହା ସହିତ ଆମେ ଏପରି ଭାବରେ ନିଜକୁ ଖାପ ଖୁଆଇ ନେଲୁଣି ଯେ, ଆମ ଝିଅ, ବୋହୂ ଓ ଭଉଣୀ ପ୍ରଭୃତି ଯଦି ସେପରି ପୋଷାକ ପିନ୍ଧୁଛନ୍ତି, ତେବେ ତାହା ଆଉ ଆମ ପାଇଁ ଦୃଷ୍ଟିକଟୁ ହେଉନାହିଁ। ମାତ୍ର ଆଧୁନିକତା ଥାଏ ଚିନ୍ତାଧାରାରେ। ଯାହାର ଚିନ୍ତାଧାରା ଯେତେ ଉନ୍ନତ ଓ ସକାରାତ୍ମକ, ସେ ସେତେ ଆଧୁନିକ।

ଝିଅଟିଏ ଯେତେବେଳେ ନିଜ ପାଇଁ ଏପରି ପୋଷାକ ଚୟନ କରୁଛି ତାକୁ ତାର ଅଭିଭାବକ, ଶିକ୍ଷକ ତଥା ଗୁରୁଜନମାନେ ବାରଣ କରନ୍ତୁ ଓ ଶାନ୍ତସ୍ଵରରେ ଏହିସବୁ ପୋଷାକଗୁଡ଼ିକୁ କିଏ ଚୟନ କରିଥାଏ ଏବଂ କଣ ପାଇଁ ତାହା ବୁଝାଇ ଦଇନ୍ତୁ। ପୋଷାକ ଆମ ଦେହକୁ ଅନ୍ୟମାନଙ୍କର ଉପଭୋଗ୍ୟ ବସ୍ତୁ ରୂପେ ବିଜ୍ଞାପିତ ନ କରି ଆମ ଶାଳୀନତା, ଆଧୁନିକତା ତଥା ଆମ ରୁଚିର ପରିପ୍ରକାଶ କରୁ।

ନିଜର ବାହ୍ୟ ଆବରଣ ପାଇଁ ନୁହେଁ, ନାରୀ ନିଜ ସୁଗୁଣର ବିକାଶ ଦ୍ଵାରା ଅନ୍ୟମାନଙ୍କ ପାଖରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟିକରୁ। ନିଜକୁ ବିଖ୍ୟାତ କରିବାର ପ୍ରଚେଷ୍ଟାରେ ନିଜ ବିବେକ ଓ ଆତ୍ମାକୁ ବଳି ପକାଇ ଏପରି ସହଜ ବାଟକୁ ଆପଣେଇଲେ ପରିଶେଷରେ ଡାର୍ଟି ପିକ୍ଚରର ସିଲ୍କସ୍ମିତା ପରି ଅବସ୍ଥାରେ ନେଡ଼ିଗୁଡ଼ କହୁଣିକୁ ବୋହିଯିବା ହିଁ ସାର ହେବ। ପୋଷାକ ଚୟନର ଅଧିକାର ନିଶ୍ଚିତ ରୂପେ ଆମର ଏକାନ୍ତ ବ୍ୟକ୍ତିଗତ ହୋଇଥିଲେ ମଧ୍ୟ ଏଥିରେ ସ୍ଵେଚ୍ଛାଚାରିତା ନିତାନ୍ତ ବର୍ଜନୀୟ ଓ ସମାଜ ପାଇଁ ଅମଙ୍ଗଳକାରୀ।

(ସୌଜନ୍ୟ – ଭିନ୍ନ ମଣିଷ)

Comment