ଓଡ଼ିଶାଲାଇଭ୍ ବ୍ୟୁରୋ

  • ଦୃଷ୍ଟିହୀନ ବା ସ୍ଵଳ୍ପ ଦୃଷ୍ଟିସମ୍ପନ୍ନ, ବଧିର, କୁଷ୍ଠରୋଗରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତି ମଧ୍ୟ ପାଇବେ ସୁବିଧା
  • ଓଡ଼ିଶା ସରକାର ମଧ୍ୟ ଦିବ୍ୟାଙ୍କମାନଙ୍କୁ ମାଗଣା ବ୍ୟାଙ୍କିଙ୍ଗ୍ କୋଚିଂ ପାଇଁ ଘୋଷଣା

ଏଣିକି ଏସିଡ୍‌ ଆକ୍ରମଣ ପୀଡ଼ିତା, ମାନସିକ ରୋଗୀ ଓ ବୌଦ୍ଧିକ ଅକ୍ଷମ ବ୍ୟକ୍ତିମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ସୁବିଧା ଦେବେ କେନ୍ଦ୍ର ସରକାର।

ଖାଲିପଡ଼ିଥିବା ମୋଟ ପଦବୀ ସଂଖ୍ୟାର ୪% ପ୍ରତ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟାରେ ନୂଆ ନିୟମ ଅନୁସାରେ ପୂରଣ କରାଯିବ। ୪୦% ଶାରୀରିକ ବା ମାନସିକ ଅକ୍ଷମ ଥିବା ଏଭଳି ଦିବ୍ୟାଙ୍ଗମାନଙ୍କୁ ‘କ’, ‘ଖ’ ଏବଂ ‘ଗ’ ବର୍ଗରେ ଶ୍ରେଣୀଭୁକ୍ତ କରାଯାଇ ଚାକିରି କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ନିକଟରେ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗ ପାଖକୁ ଏକ ପତ୍ର ଲେଖାଯାଇଛି। ଖାଲିଥିବା ସମସ୍ତ ସ୍ଥାନର ଅନୁନ୍ୟ ୧% ପଦବୀରେ ଦୃଷ୍ଟିହୀନ ବା ସ୍ଵଳ୍ପ ଦୃଷ୍ଟିସମ୍ପନ୍ନ, ବଧିର, କୁଷ୍ଠରୋଗରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତି, ବାମନ, ସ୍ନାୟବିକ କୁପୋଷଣ ଓ ଏସିଡ୍‌ ଆକ୍ରମଣରେ ପୀଡ଼ିତ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବାକୁ ଏଥିରେ କୁହାଯାଇଛି।

ସେହିପରି ମାନସିକ ରୋଗ, ବୌଦ୍ଧିକ ଅକ୍ଷମତା ତଥା ନିର୍ଦ୍ଦିଷ୍ଟ ଶିକ୍ଷା ଭିନ୍ନକ୍ଷମତା ଆଦି ରୋଗରେ ପୀଡ଼ିତଙ୍କୁ ମଧ୍ୟ ୧% ନିଯୁକ୍ତି ଦିଆଯିବାକୁ କୁହାଯାଇଛି। ମାନସିକ ଅକ୍ଷମତା ହେଉଛି ଏଭଳି ଏକ ଅବସ୍ଥା ଯହିଁରେ ଆକ୍ରାନ୍ତ ପୀଡ଼ିତଙ୍କଠାରେ ରିଜନିଂ, ଲର୍ନିଂ ଓ ପ୍ରୋବ୍ଲେମ୍‌ ସଲ୍‌ଭିଂ ଏବଂ ଆଡେପ୍ଟିଭ୍‌ ବିହେଭିଅର୍‌ ଭଳି ଦକ୍ଷତାର ଅଭାବ ରହିଥାଏ।

ଦିବ୍ୟାଙ୍ଗ ଅଧିକାର ଆଇନ, ୨୦୧୬ ଲାଗୁ ହେବା ପରେ ଶିକ୍ଷାଗତ ଅକ୍ଷମତା ଏବଂ ଏସିଡ୍‌ ଆକ୍ରମଣର ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ସଂରକ୍ଷଣ ସୁବିଧାକୁ ସୁନିଶ୍ଚିତ କରିବା ନେଇ ଏହି ପଦକ୍ଷେପ ନିଆଯାଉଛି। କାର୍ମିକ ବିଭାଗର ୨୦୦୫ ନିର୍ଦ୍ଦେଶନାମା ଅନୁସାରେ ଦିବ୍ୟାଙ୍ଗମାନଙ୍କ ପାଇଁ ପୂର୍ବରୁ ୩% ସଂରକ୍ଷଣ ଦିଆଯାଉଥିଲା। ଏଥିରୁ ୧% ଲେଖାଏ ପଦବୀରେ ଦୃଷ୍ଟିହୀନ ବା ସ୍ଵଳ୍ପ ଦୃଷ୍ଟିସମ୍ପନ୍ନ, ବଧିର ଏବଂ ମାନସିକ ପକ୍ଷାଘାତ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ଦିଆଯାଉଥିଲା।

ନୂଆ ନିୟମ ଅନୁସାରେ ଅଧିକ ୧% ସଂରକ୍ଷଣ ବ୍ୟବସ୍ଥା କରିବାକୁ ସମସ୍ତ ସରକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଅଭିଯୋଗ ଶୁଣାଣି ଲାଗି ‘ଗ୍ରିଭେନ୍ସ ରିଡ୍ରେସାଲ୍‌ ଅଫିସର’ ନିଯୁକ୍ତ କରିବାକୁ ମଧ୍ୟ କୁହାଯାଇଛି। ଏହି ଅଧିକାରୀମାନେ ନିଜ ପାଖରେ ଏକ ରେଜିଷ୍ଟର ରଖିବେ। ସେଥିରେ ସମ୍ପୃକ୍ତ ଅଧିକାରୀ ଅଭିଯୋଗକାରୀଙ୍କ ନାମ, ଅଭିଯୋଗର ତାରିଖ, କେଉଁ ପ୍ରକାର ଅଭିଯୋଗ ଓ କାହା ବିରୋଧରେ ଅଭିଯୋଗ କରାଯାଇଛି ତା’ର ସବିଶେଷ ବିବରଣୀ ଉଲ୍ଲେଖ କରିବେ। କେହି ‘କ’, ‘ଖ’ ଏବଂ ‘ଗ’ ବର୍ଗର ଆବେଦନକାରୀ ନିଯୁକ୍ତିରେ ଭେଦଭାବର ଶିକାର ହୋଇଥିଲେ ସେ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିପାରିବେ।

ଦୁଇମାସ ମଧ୍ୟରେ ପ୍ରତ୍ୟେକ ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅଭିଯୋଗକାରୀଙ୍କୁ ଅବଗତ କରାଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ସେହିପରି ରାଜ୍ୟ ସରକାର ଦିବ୍ୟାଙ୍ଗ ବିକାଶ କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ୪ ପ୍ରତିଶତ ସଂରକ୍ଷଣ ବି ରହିଛି। ସେମାନଙ୍କ ନିଯୁକ୍ତିକୁ ବ୍ୟାପକ କରିବା ଲାଗି ଗତବର୍ଷଠାରୁ  ନିଯୁକ୍ତିପୂର୍ବ ତାଲିମ ବ୍ୟବସ୍ଥା ଆରମ୍ଭ ହୋଇଛି।

ସେପ୍ଟେମ୍ବର ମାସରେ ହୋଇଥିବା ଓଟିଇଟି ପରୀକ୍ଷାରେ ଶତ ପ୍ରତିଶତ ସଫଳତା ବି ମିଳିଛି। ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କିଙ୍ଗ୍‌ ଓ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବା ଲାଗି ପ୍ରସ୍ତୁତ ହେଉଥିବା ଆଗ୍ରହୀ ଦିବ୍ୟାଙ୍ଗଙ୍କୁ କୋଚିଂ ଦିଆଯିବ। ଫେବ୍ରୁଆରି ମାସରୁ ଏନେଇ ବ୍ୟାପକ ସଚେତନତା କରାଯିବ ବୋଲି ବିଜେବି କଲେଜ ପଡ଼ିଆରେ ଅନୁଷ୍ଠିତ ଆଇନ ସେବା ଓ ସଶକ୍ତୀକରଣ ଶିବିରରେ ଯୋଗଦେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ନିର୍ଦ୍ଦେଶିକା ମାନସୀ ନିମ୍ବଲ କହିଛନ୍ତି।

Comment