ଓଡ଼ିଶାଲାଇଭ୍ ବ୍ୟୁରୋ

ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦାବେନ୍ ଆହତ ହୋଇଛନ୍ତି।

ରାଜସ୍ଥାନର କୋଟାରେ ଥିବା ଏକ ବିବାହ ଭୋଜିରେ ଭାଗ ନେବା ପାଇଁ ଯାଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦାବେନ୍ ବୁଧବାର ସକାଳେ ଦୁର୍ଘଟଣାର ଶିକାର ହୋଇଛନ୍ତି।

ରାଜସ୍ଥାନର କୋଟା-ଚିତ୍ତୋରଗଡ଼ ହାଇୱେରେ ଘଟିଛି ଏହି ଦୁର୍ଘଟଣା। ଏଥିରେ ଯଶୋଦାବେନ୍ ଆହତ ହେବା ସହ ସେ ଯାତ୍ରା କରୁଥିବା କାର ଚାଳକଙ୍କର ମୃତ୍ୟୁ ଘଟିଛି। ସେଥିରେ ଥିବା ଅନ୍ୟ ଦୁଇ ଜଣ ମହିଳା ଏବଂ ଜଣେ ଏସପିଜି କମାଣ୍ଡୋ ମଧ୍ୟ ଆହତ ହୋଇଛନ୍ତି।

ଯଶୋଦାବେନ୍ ପୂର୍ବାହ୍ନ ୧୦ଟା ବେଳେ ବାରାର ଅତ୍ରୁଠାରୁ ଉଦୟପୁର ଆଡ଼କୁ ଯାଉଥିବା ବେଳେ କାରଟି ଗୋଟିଏ ଟ୍ରକ୍‌ ସହ ଧକ୍କା ହୋଇଥିଲା। ଗାଡ଼ିରେ ମୋଟ ୭ ଜଣ ଯାତ୍ରୀ ଥିଲେ।

 ଯଶୋଦାବେନଙ୍କ ଶରୀରର କେତେ ଜାଗାରେ ସାମାନ୍ୟ ଆଘାତ ଲାଗିଛି ଏବଂ ସେ ବିପଦମୁକ୍ତ ଅଛନ୍ତି । ତାଙ୍କୁ ଚିତ୍ତୋରଗଡ଼ସ୍ଥିତ ଜିଲ୍ଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନ୍ୟ ଦୁଇ ମହିଳାଙ୍କର ମଧ୍ୟ ଚିକିତ୍ସା କରାଯାଉଛି। କମାଣ୍ଡୋଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଟ୍ରକ୍ ଚାଳକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଟ୍ରକ୍ ଚାଳକଙ୍କୁ ଅଟକ ରଖା ଯାଇଛି। ମୃତ କାର୍ ଚାଳକଙ୍କ ନାମ ବସନ୍ତ ବୋଲି କୁହାଯାଉଛି।

ଅବସରପ୍ରାପ୍ତ ସ୍କୁଲ୍ ଶିକ୍ଷୟିତ୍ରୀ ଯଶୋଦାବେନ୍ ନିଜ ଭାଇ ଅଶୋକ ମୋଦିଙ୍କ ସହ ବ୍ରାହ୍ମଣଓ୍ଵାଡ଼ା ଗାଁରେ ରହନ୍ତି।

Comment