ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୋଟ ପାଇଁ ପ୍ରାର୍ଥୀ ବିଜେପୁରରେ ଘର ଘର ବୁଲୁଥିବା ବେଳେ ଦୋଛକିରେ ଛିଡ଼ା ହୋଇଛନ୍ତି ବିଜେପୁର ଭୋଟର। ବିଜେପୁରର ବୁଣାକାର ଏବଂ ଚାଷୀଙ୍କ ସମସ୍ୟା ଦୂର ହୋଇ ନଥିବାରୁ ସେମାନେ କାହାକୁ ଛାଡ଼ିବେ କାହାକୁ ଆପଣାଇବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

ବିଜେପୁର ଉପ-ନିର୍ବାଚନରେ ବିଜୟ ହାସଲ କରିବା ପାଇଁ ବିଭିନ୍ନ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି। ବିଜେପୁରରେ ବିଜୟ ବାନା ଉଡ଼ାଇବା ପାଇଁ ୩ ପ୍ରମୁଖ ଦଳ କସ୍‌ରତ ଆରମ୍ଭ କରିଛନ୍ତି। ଉପ-ନିର୍ବାଚନରେ କିଏ ଜିତିବ ଏବଂ କିଏ ହାରିବ ତାହା ତ ପଛକଥା, କିନ୍ତୁ ବିଜେପୁର ଭୋଟର ଦୋଛକିରେ ଛିଡ଼ା ହୋଇଛନ୍ତି। କାହାକୁ ଆପଣାଇବେ ଏବଂ କାହାକୁ ଛାଡ଼ିବେ ତାକୁ ନେଇ ଭାଳି ହେଉଛନ୍ତି ବିଜେପୁର ମତଦାତା।

ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଛି ତିନୋଟି ବ୍ଲକ -ବିଜେପୁର,ବରପାଲି ଓ ଗାଇସିଲଟ। ଏହି ତିନି ବ୍ଲକର ହଜାର ହଜାର ପରିବାର ପାଇଁ ମୁଖ୍ୟ ସମସ୍ୟା ହେଉଛି ଚାଷ ଓ ଅଭାବୀ ଧାନ ବିକ୍ରି।

“ମୁଁ ୨୦ ଏକର ଜମିରେ ଧାନ ଚାଷ କରିଥିଲି। ହେଲେ ବିଶେଷ କିଛି ଲାଭ ହେଲାନାହିଁ। ସରକାରଙ୍କ ପକ୍ଷରୁ ଧାନ ମହଜୁଦ ରଖିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ମୋ ଭଳି ଅନେକ ଚାଷୀ ଶସ୍ତା ମୂଲ୍ୟରେ ଧାନ ବିକ୍ରି କରୁଛନ୍ତି। ମୁଁ କୁଇଣ୍ଟାଲ ଧାନକୁ ୮୦୦ ଟଙ୍କାରେ ବିକ୍ରୀ କରିବାକୁ ବାଧ୍ୟ ହେଲି”,ଏହା କହିଛନ୍ତି ବିଜେପୁର ବ୍ଲକର ଜଣେ ଚାଷୀ ବିନୋଦ ପରିଡା।

ସେ ଆହୁରି କହିଛନ୍ତି ଯେ,ଏଠାକାର ଚାଷୀମାନେ ସର୍ବନିମ୍ନ ମୂଲ୍ୟ ବା ଏମଏସପି କେବେ ପାଆନ୍ତି ନାହିଁ। ଆଉ ଜଣେ ଚାଷୀ ସୁବାସ ପ୍ରଧାନ କହିଛନ୍ତି,”ଏହି ବ୍ଲକର ୬୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଛନ୍ତି। ଜଳସେଚନ ସୁବିଧା ନଥିବାରୁ ଲୋକେ କାମ ଧନ୍ଦା ଅନ୍ୱେଷଣରେ ଅନ୍ୟତ୍ର ଚାଲି ଯିବାକୁ ବାଧ୍ୟ ହେଉଛନ୍ତି।” କେବଳ ଚାଷୀ ନୁହନ୍ତି, ବୁଣାକାରମାନଙ୍କ ଅବସ୍ଥା ମଧ୍ୟ ଏକା ରକମର।

“ବିଜେପୁର ନିର୍ବାଚନ ମଣ୍ଡଳୀର ଅଧିକାଂଶ ପରିବାର ହାତ ବୁଣା ଉପରେ ନିର୍ଭର କରୁଥିବା ବେଳେ ଏମାନଙ୍କ ଅବସ୍ଥା କହିଲେ ନସରେ”,କହିଛନ୍ତି ବିଜେପୁର ବ୍ଲକ ବୁଣାକାର ସଙ୍ଘର ସଭାପତି ଶିବ ମେହେର।

କେବଳ ବିଜେପୁର ବ୍ଲକରେ ପ୍ରାୟ ୮ ହଜାର ବୁଣାକାର ଅଛନ୍ତି। ଯଦି ବରପାଲି ଓ ଗାଇସିଲେଟ ବ୍ଲକକୁ ମିଶାଯାଏ ବୁଣାକାରଙ୍କ ସଂଖ୍ୟା ୨୦ ହଜାର ଟପିବ। କିନ୍ତୁ ଏଠାରେ ସୂତା କିଣିବା ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ଯେତିକି ବି ସୁବିଧା ମିଳୁଛି ତାହା ଅତି ବେଶୀରେ ୧୦ ପ୍ରତିଶତ ବୁଣାକାର ପରିବାର ପାଖରେ ପହଞ୍ଚି ପାରୁଛି।

ଆଉ ଜଣେ ବୁଣାକାର ଗିରିଧର ମେହେର କହିଛନ୍ତି, “ବୁଣାବୁଣି କାର୍ଯ୍ୟରେ ବିଶେଷ ରୋଜଗାର ହେଉ ନ ଥିବାରୁ ବେଶ୍ କିଛି ପରିବାର ଏହି କୌଳିକ ବୃତ୍ତି ଛାଡି ଅନ୍ୟ ଧନ୍ଦା ଧରିଲେଣି। ଦାଦନ ମଧ୍ୟ ବିଜେପୁର ନିର୍ବାଚନ ମଣ୍ଡଳୀର ଅନ୍ୟ ଏକ ବଡ଼ ସମସ୍ୟା।”

ଜଣେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବିଜେପୁର ଅଞ୍ଚଳରୁ ପ୍ରତି ବର୍ଷ ପ୍ରାୟ ୧୨/୧୩ ହଜାର ଲୋକ ଦାଦନ ଶ୍ରମିକ ଭାବେ ରୋଜଗାର କରିବା ପାଇଁ ବାହାରକୁ ଚାଲି ଯାଆନ୍ତି। “ଆମ ଗରିବଙ୍କ କଥା କେହି ବୁଝନ୍ତିନି। ଭୋଟ ସରିବା ପରେ ଆଉ କାହାର ଦେଖା ମିଳେ ନାହିଁ” କହିଛନ୍ତି ଗୋପାଳ ଦୀପ।

ପାନୀୟ ଜଳ ସମସ୍ୟା ବି ଏଠି ଉତ୍କଟ। ଫ୍ଲୋରାଇଡ଼ ମିଶା ପାଣିରୁ ରକ୍ଷା କରିବା ପାଇଁ ପିପିଲିପଲ୍ଲୀଠାରେ ସରକାରଙ୍କ ପକ୍ଷରୁ ଏକ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଥିଲେ ହେଁ ଏହା ଅନେକ ସମୟରେ କାମ କରେ ନାହିଁ ବୋଲି କହିଛନ୍ତି ସ୍ଥାନୀୟ ଲୋକେ।

Comment