ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫାଇଲ୍ ଫଟୋ
  • ଶାନ୍ତିସ୍ତୂପ ଧଉଳି ପାଦ ଦେଶରେ ଚାଲିବ ମହୋତ୍ସବ
  • ୧୧ ତାରିଖ ଯାଏଁ ଚାଲିବ ମହୋତ୍ସବ
  • ‘ନଦୀ’ ଥିମ୍‌କୁ ନେଇ ନୃତ୍ୟ ପରିବେଷଣ କରିବେ ନୃତ୍ୟଶିଳ୍ପୀ
  • ରୁଚିବୁଦ୍ଧ ସମ୍ମାନ ପାଇବେ ନୃତ୍ୟଗୁରୁ ପଦ୍ମବିଭୂଷଣ ସୋନାଲ ମାନସିଂହ

ଫେବ୍ରୁଆରି ୯ ତାରିଖ ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହେଉଛି ଧଉଳି-କଳିଙ୍ଗ ମହୋତ୍ସବ। ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଏହି ମହୋତ୍ସବ ତିନି ଦିନ ଧରି ଚାଲିବ। ଓଡ଼ିଶା ଡ୍ୟାନ୍‌ସ ଏକାଡେମୀ ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ୧୧ ତାରିଖରେ ଉଦଯାପିତ ହେବ। ଆର୍ଟ ଭିଜନ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏହି ମହୋତ୍ସବକୁ ସହଯୋଗ କରୁଛି।

ପ୍ରତିବର୍ଷ କିଛି ନା କିଛି ଥିମ୍‌ ଉପରେ ନୃତ୍ୟ ପରିବେଷଣ କରାଯାଇଥାଏ। ଚଳିତବର୍ଷ ମହୋତ୍ସବର ଥିମ୍ ରହିଛି ନଦୀ। ଏହି ମହୋତ୍ସବରେ ଅଂଶଗ୍ରହଣ କରୁଥିବା ନୃତ୍ୟଶିଳ୍ପୀମାନେ ‘ନଦୀ’ ଥିମ୍ ଉପରେ ନୃତ୍ୟ ପରିବେଷଣ କରିବେ।

ମହୋତ୍ସବର ପ୍ରଥମ ସନ୍ଧ୍ୟାରେ କଲିକତାରୁ ଆସୁଥିବା ପ୍ରୀତି ପଟେଲଙ୍କ ଗ୍ରୁପ୍ ମଣିପୁରୀ ନୃତ୍ୟ ପରିବେଷଣ କରିବେ। ନୃତ୍ୟ ମାଧ୍ୟମରେ ନସୀର ଉତ୍ପତ୍ତି ସମ୍ପର୍କରେ ବଖାଣିବେ ନୃତ୍ୟଶିଳ୍ପୀ। ଦ୍ୱିତୀୟ ପର୍ଯ୍ୟାୟରେ ସୁଭଶ୍ରୀ ମୁଖାର୍ଜୀ  ଏବଂ ଗ୍ରୁପ୍‌ ଛଉ ନୃତ୍ୟ ପରିବେଷଣ କରିବେ।

ଦ୍ୱିତୀୟ ଦିନରେ ଚେନ୍ନାଇରୁ ଆସୁଥିବା  ଲିଲାସ ସାମସନ୍ ଓ ସାଥୀମାନେ ‘ନଦୀ ଦ ରିଭର’ ଉପରେ ନୃତ୍ୟ ପରିବେଷଣ କରିବେ। ପୁରୀର ଜ୍ଞାନ ରଞ୍ଜନ ମହାନ୍ତି ଏବଂ ଗ୍ରୁପ୍ ମାଲଖମ୍ବ, ପାଇକ ଓ ସାହି ଯାତ୍ରାର ସମ୍ମିଶ୍ରଣରେ ନୃତ୍ୟ ପ୍ରଦର୍ଶନ କରିବେ। ତୃତୀୟ ଦିନରେ କଥକ ଓ କୁଚିପୁଡ଼ି ନୃତ୍ୟ ସମେତ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ।

ନୂଆଦିଲ୍ଲୀର ବିଧାଲାଲ ଏବଂ ଗ୍ରୁପ୍‌ କଥକ ନୃତୟ ମାଧ୍ୟମରେ ନଦୀର ବିଭିନ୍ନ ରୂପ ସମ୍ପର୍କରେ ବର୍ଣ୍ଣନା କରିବେ। ସେହିପରି ବେଙ୍ଗାଳୁରର ପ୍ରତିକ୍ଷା କାଶି ଏବଂ ଗ୍ରୁପ୍ କୁଚିପୁଡ଼ି ନୃତ୍ୟ ପରିବେଷଣ କରିବେ। ଓଡ଼ିଶା ଡାନ୍ସ ଏକାଡେମୀ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ। ଏହାଛଡ଼ା ଗାନ୍ଧିଜୀଙ୍କ ‘ଅହିଂସା’ ଉପରେ ନାଟକ ପରିବେଷଣ କରାଯିବ। ଏଥିରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ପ୍ରାୟ ୫୦ ଜଣ କଳାକାର ଭାଗ ନେବେ।

ମଧୁ ନାଟରାଜ ଏବଂ ଗ୍ରୁପ୍‌ଙ୍କ ପକ୍ଷରୁ ମାର୍ଶଲ ଆର୍ଟ ଶୈଳୀରେ ନୃତ୍ୟ ପରିବେଷଣ କରାଯିବ।

“୧୩ ବର୍ଷ ହେଲା ଧଉଳି ପାଦ ଦେଶରେ ଧଉଳି-କଳିଙ୍ଗ ମହୋତ୍ସବ ଆୟୋଜିତ ହୋଇ ଆସୁଛି। ଚଳିତବର୍ଷ ଏହି ମେହାତ୍ସବ ୧୪ ବର୍ଷରେ ପହଞ୍ଚିଛି। ଚଳିତବର୍ଷ ଆମେ ‘ନଦୀ’ ଥିମ୍ ରଖିଛୁ। ନଦୀ ଉପରେ କବିତା ଏବଂ ନୃତ୍ୟ ପରିବେଷଣ କରାଯିବ। ୩ ଦିନ ଧରି ଏହି ମହୋତ୍ସବ ଚାଲିବ”, କହିଛନ୍ତି ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି।

ଧଉଳି କଳିଙ୍ଗ ମହୋତ୍ସବ ୨୦୦୩ ମସିହାରୁ ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଅନୁଷ୍ଠିତ ହୋଇ ଆସୁଛି। ପୂର୍ବରୁ ଓଡ଼ିଶାରେ କେବଳ କୋଣାର୍କ ମହୋତ୍ସବ ହେଉଥିଲା। ଅନ୍ୟ କୌଣସି ମହୋତ୍ସବ ଯେତେବେଳେ ଆରମ୍ଭ ହୋଇ ନଥିଲା ସେତେବେଳେ  ଧଉଳି କଳିଙ୍ଗ ମହୋତ୍ସବ ଆରମ୍ଭ ହୋଇଥିଲା।

“ପ୍ରଥମ ଦିନ ନଦୀ ଉପରେ ଇଂରାଜୀରେ ଏକ କବିତା ଆବୃତ୍ତି କରିବେ ପାରମିତା ମହାପାତ୍ର। ଦ୍ୱିତୀୟ ସନ୍ଧ୍ୟାରେ ଲେଖକ ତଥା କବି ଦେବଦାସ ଛୋଟରାୟ ନଦୀ ଉପରେ କବିତା ପାଠ କରିବାକୁ ଥିବା ବେଳେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ନଦୀ ଉପରେ କବିତା ପାଠ କରିବେ”, କହିଛନ୍ତି ଅରୁଣା ମହାନ୍ତି।

ଧଉଳି-କଳିଙ୍ଗ ମହୋତ୍ସବ ବର୍ତ୍ତମାନ ଦେଶର ଅନ୍ୟ ଡ୍ୟାନ୍ସ ଫେଷ୍ଟିଭାଲ୍ ଭିତରେ ଏକ ଅଗ୍ରଣୀ ଫେଷ୍ଟିଭାଲ୍ ଭାବେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛି। ରାଜ୍ୟ ଓ ଦେଶର ବିଭିନ୍ନ ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟ, ଲୋକନୃତ୍ୟ ସହ  ସମରକଳାର ଅପୂର୍ବ ସମ୍ମିଶ୍ରଣ ଏହି ମଞ୍ଚରେ ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସୁଅଛି।

ଗୁରୁ ଅରୁଣା ମହାନ୍ତିଙ୍କ ତତ୍ତ୍ବାବଧାନରେ ଏବର୍ଷ ଗାନ୍ଧିଙ୍କୁ ନେଇ ଏକ ନାଟକ ପ୍ରସ୍ତୁତ କରାଯାଇଛି। ଏଥିରେ ଗାନ୍ଧିଙ୍କ ଜୀବନ ଓ ଭାରତ ସ୍ୱାଧୀନତାରେ ଗାନ୍ଧିଙ୍କ ଅବଦାନ ସମ୍ପର୍କରେ ନୃତ୍ୟଶିଳ୍ପୀମାନେ ନୃତ୍ୟ ମାଧ୍ୟମରେ ବାର୍ତ୍ତା ପ୍ରଦାନ କରିବେ। ଲବଣ ସତ୍ୟାଗ୍ରହ, ଅହିଂସା ଆନ୍ଦୋଳନ, ଚମ୍ପାରଣ ଆନ୍ଦୋଳନ ଇତ୍ୟାଦି ସ୍ଥାନିତ ହୋଇଛି। ସ୍ୱଚ୍ଛତା ଉପରେ ଗାନ୍ଧି ଦେଇଥିବା ବାର୍ତ୍ତା ଏଥିରେ ବର୍ଣ୍ଣିତ ହୋଇଛି।

ପ୍ରତିବର୍ଷ ଧଉଳି କଳିଙ୍ଗ ମହୋତ୍ସବରେ କଳା, ସାହିତ୍ୟ, ସଂସ୍କୃତି ଉପରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷମାନଙ୍କୁ ରୁଚିବୁଦ୍ଧ ସମ୍ମାନରେ ସମ୍ମାନିତ କରାଯାଇଥାଏ। ଏହି ଅବସରରେ ସମ୍ମାନିତ ବ୍ୟକ୍ତିବିଶେଷଙ୍କୁ ୫୦ହଜାର ଟଙ୍କା ସହ ଉପଢ଼ୌକନ ଏବଂ ମାନପତ୍ର ପ୍ରଦାନ କରାଯାଏ।

ରୁଚିବୁଦ୍ଧ ସମ୍ମାନ ପାଇବେ ସୋନାଲ ମାନସିଂହ

୧୪ ତମ ଧଉଳି କଳିଙ୍ଗ ମହୋତ୍ସବରେ ପଦ୍ମ ବିଭୂଷଣ ଓ ନୃତ୍ୟଗୁରୁ ସୋନାଲ ମାନସିଂହଙ୍କୁ ରୁଚିବୁଦ୍ଧ ସମ୍ମାନରେ ସମ୍ମାନିତ କରାଯିବ। ତାଙ୍କୁ ପୁରସ୍କାର ବାବଦରେ ୧ ଲକ୍ଷ ଟଙ୍କା, ମାନପତ୍ର ଏବଂ ଉପଢ଼ୌକନ ପ୍ରଦାନ କରାଯିବ।

ନାଲକୋର ପୂର୍ବତନ ସିଏମଡି ଡକ୍ଟର ଏସ କେ ତାମୋଟିଆ, ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ, ଗୀତିକାର ଓ କଳାକାର ଅତୁଲ୍ୟ ମହାକୁଡ, ଓଡ଼ିଶୀ ବସ୍ତ୍ର ତିଆରିରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାଗୀରଥି ଦାସଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବ।

ଧଉଳି-କଳିଙ୍ଗ ମହୋତ୍ସବରେ ‘ଓଡ଼ିଶାଲାଇଭ୍‌’ ଡିଜିଟାଲ ମିଡିଆ ପାର୍ଟନର୍‌ ରହିଛି।

Comment