ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ମହିଳା କ୍ରିକେଟ୍‌ ଦଳର ଦ୍ରୁତତମ ବୋଲର୍ ଭାବେ ପରିଚିତ ଝୁଲଣ ଗୋସ୍ୱାମୀ ରଚିଛନ୍ତି ଇତିହାସ। ବିଶ୍ୱର ପ୍ରଥମ ମହିଳା ବୋଲର୍‌ ଭାବେ ଦିନିକିଆରେ ହାସଲ କରିଛନ୍ତି ୨୦୦ ୱିକେଟ।

ମହିଳା କ୍ରିକେଟ୍‌ରେ ନୂତନ ଇତିହାସ ସୃଷ୍ଟି କରିଛନ୍ତି ଭାରତର ଝୁଲଣ ଗୋସ୍ୱାମୀ। ବିଶ୍ୱର ସର୍ବପ୍ରଥମ ମହିଳା କ୍ରିକେଟର ଭାବେ ଦିନିକିଆରେ ୨୦୦ ୱିକେଟ ନେଇଛନ୍ତି ଝୁଲଣ।

ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳା ଯାଇଥିବା ୨ୟ ଦିନିକିଆ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ଲୌରା ଉଲ୍‌ଭାଡ୍‌ର୍ଟଙ୍କୁ କଟ୍‌ ବିହାଇଣ୍ଡ୍‌ କରି ପେସ୍‌ ବୋଲର ଝୁଲଣ ଜୀବନର ୨୦୦ତମ ଆନ୍ତର୍ଜାତିକ ଦିନିକିଆ ୱିକେଟ ହାସଲ କରିଥିଲେ।

ଏହି ଦିନିକିଆ ପୂର୍ବରୁ ଝୁଲଣ ୧୯୯ତମ ଦିନିକିଆ ୱିକେଟ ହାସଲ କରିଥିଲେ। ମହିଳା ଦିନିକିଆ ୱିକେଟ ହାସଲକାରୀ ତାଲିକାରେ ୨ୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆର କାଥ୍‌ରିନ୍‌ ଫିଜ୍‌ପାଟ୍ରିକ୍‌ ୧୦୯ ଦିନିକିଆରୁ ୧୮୦ଟି ୱିକେଟ ନେଇ ୨ୟ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ଫିଜ୍‌ପାଟ୍ରିକ୍‌ କ୍ରିକେଟ୍‌ରୁ ଅବସର ନେଇ ସାରିଲେଣି।

ଦିନିକିଆ ୱିକେଟ ହାସଲ କରିବାରେ ବିଶ୍ୱରେ ୫ମ ତଥା ଭାରତରେ ୨ୟ ସ୍ଥାନରେ ଥିବା ଅବସର ନେଇ ସାରିଥିବା ବାମହାତି ସ୍ପିନର ନିତୁ ଡେଭିଡ୍ ୯୭ଟି ଦିନିକିଆରୁ ୧୪୧ଟି ୱିକେଟ ନେଇଛନ୍ତି।

ଏହା ଝୁଲଣଙ୍କର ୧୬୬ତମ ଦିନିକିଆ ମ୍ୟାଚ୍‌ ଥିଲା। ଏହା ଏକ ସଂଯୋଗ ହୋଇପାରେ ଯେ ଭାରତର କପିଳଦେବ ପୁରୁଷ କ୍ରିକେଟ୍‌ରେ ପ୍ରଥମ ବୋଲର ଭାବେ ୨୦୦ ଦିନିକିଆ ୱିକେଟ ନେଇଥିଲେ। ପୁଣି କପିଳଦେବ ମଧ୍ୟ ତାଙ୍କ ୧୬୬ତମ ଦିନିକିଆରେ ୨୦୦ତମ ୱିକେଟ ନେଇଥିଲେ।

୩୫ ବର୍ଷ ବୟସ୍କା ଝୁଲଣ ଗତ ୧୬ ବର୍ଷ ହେଲା ଭାରତ ପାଇଁ କ୍ରିକେଟ ଖେଳୁଛନ୍ତି। ସେ ମଧ୍ୟ ଭାରତର ପୂର୍ବତନ ଅଧିନାୟିକା।

କ୍ରିକେଟ୍‌ କ୍ୟାରିୟର୍‌

ମହିଳା କ୍ରିକେଟର ବ୍ରେଟ୍‌ ଲି ଭାବେ ପରିଚିତ ବଙ୍ଗଳାର ଝୁଲଣ ୨୦୦୨ ଜାନୁୟାରୀରେ ଲକ୍ଷ୍ନୌରେ ଇଂଲଣ୍ଡ ବିରୋଧରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ସେ ୨ ଥର ଏକ ଇନିଂସରେ ୫ଟି ୱିକେଟ ଏବଂ ୫ ଥର ଏକ ଇନିଂସରେ ୪ଟି ୱିକେଟ ନେଇଛନ୍ତି। ଝୁଲଣଙ୍କ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ହେଉଛି ୩୧ ରନ୍‌ରେ ୬ ୱିକେଟ।

ପୁରସ୍କାର

୧୬୬ଟି ଦିନିକିଆ ମ୍ୟାଚ୍‌ ସହ ଝୁଲଣ ୧୦ଟି ଟେଷ୍ଟରୁ ୪୦ଟି ଓ ୬୦ଟି ଟ୍ୱେଣ୍ଟି୨୦ ମ୍ୟାଚ୍‌ରୁ ୫୦ଟି ୱିକେଟ ନେଇଛନ୍ତି। ଏକାଧିକ ଥର ଝୁଲଣ ଆଇସିସି ପକ୍ଷରୁ ଶ୍ରେଷ୍ଠ ମହିଳା କ୍ରିକେଟର, ଶ୍ରେଷ୍ଠ ମହିଳା ଦିନିକିଆ କ୍ରିକେଟର ଏବଂ ଶ୍ରେଷ୍ଠ ମହିଳା ବୋଲର ପୁରସ୍କାର ପାଇଛନ୍ତି।

Comment