ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶର ଦୀନଦୟାଲ ଉପାଧ୍ୟାୟ ବିଶ୍ୱବିଦ୍ୟାଳୟରେ ଚାରିଦିନିଆ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଛି। ଏହି ପ୍ରଦର୍ଶନୀରେ ବାଲେଶ୍ୱର ଜିଲ୍ଲାର ଚିତ୍ରଶିଳ୍ପୀ ସନ୍ଦୀପ୍ କୁମାର ଦେବଙ୍କ କଳାକୃତି ୫୫ ହଜାରରେ ବିକ୍ରି ହୋଇଛି।

ବାଲେଶ୍ୱରର ଅନନୋନ୍ସ ଆର୍ଟ ଗ୍ରୁପ ପକ୍ଷରୁ ଉତ୍ତରପ୍ରଦେଶର ଗୋରଖପୁର ସ୍ଥିତ ଦୀନଦୟାଲ ଉପାଧ୍ୟାୟ ବିଶ୍ୱବିଦ୍ୟାଳୟରେ ଏକ ଚାରିଦିନିଆ ଚିତ୍ରକଳା ପ୍ରଦର୍ଶନୀ ତଥା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଭି. କେ. ସିଂହ ଏହି ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏ ପ୍ରକାର ପ୍ରୟାସର ଭୂୟସୀ ପ୍ରଶଂସା କରିବା ସହ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଚିତ୍ରକଳା ପ୍ରଦର୍ଶନୀରେ ବାଲେଶ୍ୱର ଆର୍ଟ କଲେଜରୁ ଶ୍ରାବଣୀ ମହାନ୍ତି, ଶ୍ରାବନ୍ତି ମିଶ୍ର, ଶାନ୍ତ୍ୱନୁ ଦାସ, ସସ୍ମିତା ସିଂହ, ଭାଗ୍ୟଶ୍ରୀ ବେହେରା, ଅବନୀନ୍ଦ୍ର କର, ବିଶ୍ୱଜିତ ଘଡ଼ିଆ, ଦୀପରଞ୍ଜନ, ରାମ କିଶୋର, ମୟଙ୍କ ସାଇନି ଓ ସନ୍ଦୀପ ଦେବ।

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ସମରେନ୍ଦ୍ର ବେହେରା, କେଦାର ନାୟକ, ଶତୃଘ୍ନ ସାହୁ, ବାବୁରାମ ଦଳାଇ, ଦୀପାଲି ନନ୍ଦୀ, ସନ୍ଦୀପ ଘଡ଼ାଇ।

କୋଲକାତାର ସରକାରୀ ଆର୍ଟ ଓ କ୍ରାଫ୍ଟ ମହାବିଦ୍ୟାଳୟ ତରଫରୁ ସଞୟ କୁମାର ରାଉଳ ଓ ସୀମାନ୍ତ ପାଲ, ବିଶ୍ୱଭାରତୀ ଶାନ୍ତି ନିକେତନ ତରଫରୁ ଅତ୍ରିଚେତନ, ଜେ.କେ. ସ୍କୁଲ ଅଫ୍ ଆର୍ଟ ମୁମ୍ବାଇରୁ ପ୍ରାଚୀ ସହସ୍ରବୃଦ୍ଦେ, ସୁଭାରତୀ ବିଶ୍ୱବିଦ୍ୟାଳୟ ମିରଟରୁ ଆୟୁଷ ବଂଶଲ, ବର୍ଦ୍ଧମାନ କଲେଜ ଅଫ ଆର୍ଟ ଆଣ୍ଡ ଡ଼ିଜାଇନ୍ ତରଫରୁ ଜୟନ୍ତି ମାଣ୍ଡି, ରାଜସ୍ଥାନ ବିଶ୍ୱବିଦ୍ୟାଳୟ ତରଫରୁ ଚନ୍ଦ୍ର ପ୍ରକାଶ ଜୈନ ପ୍ରମୁଖ ଯୋଗ ଦେଇଥିଲେ।

ପୂର୍ବରୁ ଏହି କଳାକାରମାନେ ବିଭିନ୍ନ ସମୟରେ ଅନ୍ନୋନସ୍ ଆର୍ଟ ଗ୍ରୁପ ପକ୍ଷରୁ ଭୁବନେଶ୍ୱର ମଡର୍ଣ୍ଣ ଆର୍ଟ ଗ୍ୟାଲେରି, ପଞ୍ଜାବର ଇଣ୍ଡିଆନ ଏକାଡେମୀ ଅଫ ଫାଇନ ଆର୍ଟ ଠାରେ ସମଧରଣର ପ୍ରଦର୍ଶନୀ ଓ କର୍ମଶାଳାରେ ଅଂଶଗ୍ରହଣ କରିଛନ୍ତି।

ସୁପ୍ରସିଦ୍ଧ ଚିତ୍ରଶିଳ୍ପୀ ନିଶା ଅଗ୍ରୱାଲ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶିଳ୍ପୀ ତଥା କଳାକାରମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ କଳାର ପ୍ରଶଂସା କରିଥିଲେ। ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ସ୍ଥାନୀୟ ମାଜିଷ୍ଟେଟ୍ ସ୍ଥପତିମାନେ ଏହି କର୍ମଶାଳାରେ ଉପସ୍ଥିତ ଥିଲେ।

ସନ୍ଦୀପ୍ କୁମାର ଦେବଙ୍କ ଚିତ୍ର ୫୫ ହଜାର ଟଙ୍କାରେ ବିକ୍ରି ହୋଇଥିଲା। ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ପତ୍ନୀ ନୀରଜା ଦେବୀ ଏହାକୁ କିଣିଥିଲେ।

ଏହି ଅବସରରେ ସମରେନ୍ଦ୍ର ବେହେରାଙ୍କ ‘ଗଡସ୍ ଗିଫ୍ଟ ଶିରୋନାମା’ରେ ଥିବା ଫଟୋଗ୍ରାଫି ମଧ୍ୟ ୬ ହଜାର ଟଙ୍କାରେ ବିକ୍ରି ହୋଇଥିଲା।

ସ୍ଥାନୀୟ ପ୍ରଶାସନ ତରଫରୁ କଳାକାରମାନଙ୍କୁ ଗୋରଖପୁରର ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଭ୍ରମଣର ବ୍ୟବସ୍ଥା କରାଯିବା ସହିତ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଦର୍ଶକମାନେ ଅନନୋନ୍ସ ଆର୍ଟ ଗ୍ରୁପର କଳାତ୍ମକ ଦକ୍ଷତାର ପ୍ରଶଂସା କରିଥିଲେ। ଏଭଳି ଚିତ୍ରକଳା ପ୍ରଦର୍ଶନୀ ତଥା କର୍ମଶାଳାର ଆୟୋଜନ ଫଳରେ କଳାକାରମାନଙ୍କ ନିକଟରେ ଥିବା ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆସିପାରିବ ବୋଲି ମତବ୍ୟକ୍ତ କରିଥିଲେ।

Comment