ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବବି ମିଶ୍ରଙ୍କ ଏଣ୍ଟ୍ରି ଆଲବମ୍ ଇଣ୍ଡଷ୍ଟ୍ରିରେ ଲେଖିଥିଲା ଏକ ନୂଆ ଅଧ୍ୟାୟ କେତୋଟି ଆଲବମରେ ହିରୋ ହେବା ପରେ ବବି ବନିଯାଇଥିଲେ ଆଲବମ୍ ଦୁନିଆର ବାଦଶାହା

ଓଲିଉଡରେ ଏମିତି କିଛି କଳାକାର ଅଛନ୍ତି, ଯେଉଁମାନେ ଦର୍ଶକଙ୍କ ସାମ୍ନାକୁ ବିଭିନ୍ନ ଚରିତ୍ରରେ ଆସିଛନ୍ତି ଓ ପ୍ରତିଟି ଭୂମିକାରେ ତାଙ୍କୁ ସିନେପ୍ରେମୀ ପସନ୍ଦ ମଧ୍ୟ କରିଛନ୍ତି। ଏହି କଳାକାର କେତେବେଳେ ଅଭିନେତା ଭାବେ ନଜର ଆସିଛନ୍ତି, କେବେ ନାୟକ ଭାବେ ତଥା କେବେ ଚଳଚ୍ଚିତ୍ରର ଖଳନାୟକ ଭୂମିକାରେ। ହାସ୍ୟାଭିନେତା ଭାବେ ମଧ୍ୟ ନିଜର ଦକ୍ଷତା ଦେଖାଇଛନ୍ତି ବହୁ ଚଳଚ୍ଚିତ୍ରରେ। ଓଲିଉଡର ଏଭଳି ଜଣେ ଅଲରାଉଣ୍ଡର ଅଭିନେତା ହେଲେ ବବି ମିଶ୍ର।

ବବି ମିଶ୍ର ଯେତେବେଳେ ଆଲବମ୍ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ, ସୃଷ୍ଟି କରିଥିଲେ ହଇଚଇ। କେତୋଟି ହାତଗଣତି ଆଲବମରେ ହିରୋ ହେବା ପରେ ବବି ବନିଯାଇଥିଲେ ଆଲବମ୍ ଦୁନିଆଁର କିଙ୍ଗ୍। ଆଲବମ୍ ପରେ ସେ ଛୋଟ ପରଦାରେ ମଧ୍ୟ ଅଭିନୟ କରିଥିଲେ।

‘ତୋ ପାଇଁ’ ଥିଲା ବବି ମିଶ୍ରଙ୍କର ପ୍ରଥମ ମୁକ୍ତିପ୍ରାପ୍ତ ଚଳଚ୍ଚିତ୍ର। ଏହି ଫିଲ୍ମରେ ତାଙ୍କୁ ‘ଆଣ୍ଟି ହିରୋ’ ବା ‘ଭିଲିଆନ୍’ ଚରିତ୍ରରେ ଦେଖିବାକୁ ପାଇଥିଲେ ଦର୍ଶକ। ବବି ମିଶ୍ର ପ୍ରଥମ ଥର ପାଇଁ ନାୟକ ଭୂମିକାରେ ନଜର ଆସିଥିଲେ ଓଡ଼ିଆ ସିନେମା ‘ଜୟ ଶ୍ରୀରାମ’ରେ। ଏହାର ନିର୍ଦ୍ଦେଶନା ଦେଇଥିଲେ ତୃପ୍ତି ବିଶ୍ୱାଳ। ଏହି ଫିଲ୍ମରେ ବବି ମିଶ୍ରଙ୍କ ଅପୋଜିଟରେ ଥିଲେ ଭୋଜପୁରୀ ଫେମସ୍‍ ନାୟିକା ମୋନାଲିସା ଓରଫ୍ ଅନ୍ତରା ବିଶ୍ୱାସ।

ସେହି ସମୟରୁ ବବି ମିଶ୍ର ପ୍ରମାଣିତ କରିଦେଇଥିଲେ ଯେ ସେ ଜଣେ ଭଲ ଅଭିନେତା। ଏହି ଦୁଇ ସିନେମା ପରେ ବବି ମିଶ୍ର ନାୟକ ଭୂମିକାରେ ‘ତତେ ଭଲ ପାଉଛି ବୋଲି’, ‘ମା’ ଖୋଜେ ମମତା’, ‘ପୁଣି ଦେଖା ହେବ ଆର ଜନମରେ’ ଆଦି ଓଡ଼ିଆ ସିନେମାରେ ନାୟକ ଚରିତ୍ରରେ ନଜର ଆସିଛନ୍ତି।

ଅପରପକ୍ଷରେ ତାଙ୍କ ‘ଚକା ଚକା ଭଉଁରୀ’, ‘ପ୍ରେମ ରୋଗୀ’, ‘ମୁଁ ତତେ ଲଭ୍ କରୁଛି’, ‘ମତେ ତ ଲଭ୍ ହେଲାରେ’, ‘ଦେଲେ ଧରା କଥା ସରେ’ ଓ ‘ହାପି ଲକି’ ଆଦି ଛବିରେ ଦର୍ଶକ ତାଙ୍କୁ ଖଳନାୟକ ଭାବେ ପରଦାରେ ଦେଖିଛନ୍ତି।

ବବି ମିଶ୍ର ଖୁବ୍ ଭଲ କମେଡି ବି କରିପାରନ୍ତି। ଏହା ସେ ପ୍ରମାଣିତ କରିଦେଖାଇଛନ୍ତି ପ୍ରଦୀପ ସାହୁଙ୍କ ପ୍ରଯୋଜିତ ତଥା ଦିଲ୍ଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ସିନେମା ‘ରସିକ ନାଗର’ରେ।

ବବି ମିଶ୍ର ଏବେ ଓଲିଉଡକୁ କମବ୍ୟାକ୍ କରିଛନ୍ତି। ଗତବର୍ଷ ତାଙ୍କୁ କୌଣସି ବି ଗୋଟିଏ ଓଡ଼ିଆ ଛବିରେ ଦେଖିବାକୁ ପାଇନଥିଲେ ସିନେପ୍ରେମୀ। ଅବଶ୍ୟ ୨୦୧୬ରେ ତାଙ୍କ ଅଭିନୀତ ସିନେମା ଦେଲେ ‘ଧରା ଦେଲେ କଥା ସରେ’ ରିଲିଜ୍ ହୋଇଥିଲା।

ଏ ବର୍ଷ ଜାନୁଆରୀ ମାସରେ ରିଲିଜ୍ ହୋଇଥିବା ଫିଲ୍ମ ‘ହାପି ଲକି’ରେ ବବି ମିଶ୍ରଙ୍କୁ ଦେଖିବାକୁ ମିଳିଛି ଏକ ଦମଦାର୍ ରୋଲରେ। ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବବି ମିଶ୍ର ଖଳନାୟକ ଭୂମିକାରେ ନଜର ଆସିଥିଲେ। ଏହି ଭୂମିକା ଲାଗି ବି ସେ ବେଶ୍‌ ପ୍ରଶଂସିତ ମଧ୍ୟ ହୋ‍ଇଛନ୍ତି।

‘ହାପି ଲକି’ରେ ଧମାକା କରିବା ପରେ ବବି ମିଶ୍ର ପୁଣି ଆସୁଛନ୍ତି ଆଉ ଏକ ଓଡ଼ିଆ ସିନେମାରେ। ଏହି ସିନେମା ହେଲା ‘ଦୀପୁ ଦ ଡ୍ୟାନସ ବୟ’। ମନୋଜ ରାଉତଙ୍କ ପ୍ରଯୋଜିତ ତଥା ଅରୁଣ ଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପୁଣି ବବି ନଜର ଆସିବେ ନେଗେଟିଭ୍ ରୋଲରେ। ଏଥିରେ ତାଙ୍କର ଦମଦାର ରୋଲ୍ ଥିବା ଜଣାଯାଇଛି। ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ନବାଗତ ମନୋଜ, କୋଏଲ୍ ଓ ଅଜିତ୍ ଦାସ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ବବି ମିଶ୍ର ମଧ୍ୟ ଆଉ ଏକ ଓଡ଼ିଆ ସିନେମା ‘ଯୋଉଠି ଥିଲେ ବି ତୁ ମୋର’ରେ ଅଭିନୟ କରୁଛନ୍ତି। ଏହା ମଧ୍ୟ ଏ ବର୍ଷ ରିଲିଜ୍ ହେବ। ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ପ୍ରଥମ ଥର ପାଇଁ ବବି ମିଶ୍ରଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖା ଦେବେ ମେଘନା ମିଶ୍ର। ଏହି ଚଳଚ୍ଚିତ୍ରରେ  ସେ ଏକ ସମ୍ପୂର୍ଣ୍ଣ ଭିନ୍ନ ଭୂମିକାରେ ନଜର ଆସିବେ ବୋଲି ବବି ମିଶ୍ର ସୂଚନା ଦେଇଛନ୍ତି। ୨୦୧୮ରେ ବବି ମିଶ୍ର ଓଲିଉଡ୍‍ ଇଣ୍ଡଷ୍ଟ୍ରିରେ ଯେ ଧମାଲ୍ କରିବେ, ଏଥିରେ କୌଣସି ସନ୍ଦେହ ନାହିଁ।

LEAVE A REPLY

Please enter your comment!
Please enter your name here