ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତ୍ରୀ ମହାଶ୍ୱେତା ରାୟ ପଦ୍ମ ଧରିବେ। ସୋମବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ମିଶ୍ରଣ ପର୍ବରେ ସେ ଯୋଗଦେବେ।

୨୦୧୯ ପୂର୍ବରୁ ଓଡ଼ିଶା ବିଜେପିରେ ଷ୍ଟାର ପଲିଟିକ୍ସ। ଜଣକ ପରେ ଜଣେ ସିନେ ଷ୍ଟାରଙ୍କୁ ଆପଣାଇ ଚାଲିଛି ରାଜ୍ୟ ବିଜେପି। ନିକଟରେ ମହିର ଦାସ ଏବଂ ଅନୁ ଚୌଧୁରୀ ବିଜେପିରେ ସାମିଲ ହେବା ପରେ ସୋମବାର ମହାଶ୍ୱେତା ରାୟ ପଦ୍ମ ଧରିବାକୁ ଯାଉଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ମିଶ୍ରଣ ପର୍ବରେ ମହାଶ୍ବେତା ପଦ୍ମ ଧରିବେ ବୋଲି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ପୂର୍ବରୁ ଅଭିନେତା ଅଜିତ୍ ଦାସ, ଶ୍ରୀତମ ଦାସ, ପିଣ୍ଟୁ ନନ୍ଦ, ହରିହର ନାୟକ, ପିଙ୍କି ପ୍ରଧାନ, ମିହିର ଦାସ, ଅନୁ ଚୌଧୁରୀ ବିଜେପିରେ ଯୋଗ ଦେଇଛନ୍ତି।

ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, “ସୋମବାର ଦିନ ୧୧ଟାରେ ବିଜେପି ରାଜ୍ଞ କାର୍ଯ୍ୟାଳୟରେ ମେଗା ମିଶ୍ରଣ ପର୍ବ ଆୟୋଜନ କରାଯିବ। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ। ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ବଢ଼ୁଛି। ମହିଳାମାନେ ଅସୁରକ୍ଷିତ ମନେ କରୁଛନ୍ତି। ଏଣୁ ବହୁ ସଂଖ୍ୟାରେ ମହିଳା ବିଜେପିରେ ଯୋଗଦେବେ।”

“କିଛିଦିନ ହେଲା ଏହି ଚର୍ଚ୍ଚା ହୋଇ ଆସୁଥିଲା। ଏବେ ମୁଁ ବିଜେପିରେ ଯୋଗଦେବା ପାଇଁ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ଯୋଗ ଦେଉଛି। ମୋଦିଙ୍କ କାର୍ଯ୍ୟ ଶୈଳୀ ମୋତେ ବିଜେପିକୁ ଆକର୍ଷିତ କରିଛି”, କହିଛନ୍ତି ମହାଶ୍ୱେତା ରାୟ।

Comment