ଓଡ଼ିଶାଲାଇଭ୍ ବ୍ୟୁରୋ

ନୀତି ଆୟୋଗ ନିକଟରେ ‘ହେଲ୍‌ଥି ଷ୍ଟାଟସ, ପ୍ରୋଗ୍ରେସିଭ ଇଣ୍ଡିଆ’ ଶୀର୍ଷକ ଏକ ରିପୋର୍ଟ ପ୍ରସ୍ତୁତ କରିଛି। ଏଥିରେ କୁହାଯାଇଛି ଯେ ଗତବର୍ଷ ତୁଳନାରେ ଓଡ଼ିଶାର ସ୍ୱାସ୍ଥ୍ୟ ସୂଚକାଙ୍କ ହ୍ରାସ ପାଇଛି।

ନୀତି ଆୟୋଗର ସ୍ୱାସ୍ଥ୍ୟ ସୂଚକାଙ୍କକୁ ନେଇ ପ୍ରକାଶିତ ଏକ ରିପୋର୍ଟ ଉପରେ ଏବେ ଏକ ବିବାଦ ଛିଡ଼ା ହୋଇଛି। ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ତଥ୍ୟକୁ ଭୁଲ ବୋଲି କୁହାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ବିଗତ କିଛି ବର୍ଷ ଧରି ଯାହା କରି ଆସିଛି ତାର ପୂର୍ଣ୍ଣାଙ୍ଗ ଚିତ୍ର ଏହି ରିପୋର୍ଟ ଦେଉ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ଆପତ୍ତି ଉଠାଇଛି।

ଖବର ଅନୁସାରେ ଦେଶର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ନୀତି ଆୟୋଗ ନିକଟରେ ‘ହେଲ୍‌ଥି ଷ୍ଟାଟସ, ପ୍ରୋଗ୍ରେସିଭ ଇଣ୍ଡିଆ’ ଶୀର୍ଷକ ଏକ ରିପୋର୍ଟ ପ୍ରସ୍ତୁତ କରିଛି। ଏଥିରେ କୁହାଯାଇଛି ଯେ ଗତବର୍ଷ ତୁଳନାରେ ଓଡ଼ିଶାର ସ୍ୱାସ୍ଥ୍ୟ ସୂଚକାଙ୍କ ହ୍ରାସ ପାଇଛି ଅଥବା ଯେମିତିକୁ ସେମିତି ରହିଛି।

ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବାକୁ ହେଲେ ବହୁତ ସମୟ ଲାଗେ। କିନ୍ତୁ ନୀତି ଆୟୋଗ କେବଳ ବିଗତ ଦୁଇଟି ବର୍ଷର ତଥ୍ୟକୁ ଆଧାର କରି ‘ହ୍ରାସ ପାଇଥିବା’ ସିଦ୍ଧାନ୍ତରେ ପହଁଚିଛି। ଆୟୋଗର ଏହି ରିପୋର୍ଟ ସମ୍ପୂର୍ଣ୍ଣ ଚିତ୍ର ପ୍ରଦାନ କରୁନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ରାଜ୍ୟରେ ବିଗତ କୋଡ଼ିଏ ବର୍ଷ ଧରି ଶିଶୁ ମୃତ୍ୟୁ ହାର ଓ ମାତୃ ମୃତ୍ୟୁ ହାର ତଳକୁ ଖସି ଆସିବା ଏବଂ ମୋଟ ପ୍ରଜନନ ହାର ବୃଦ୍ଧି ପାଇବାରେ ଓଡ଼ିଶା ବେଶ୍ ଅଗ୍ରଗତି କରିଥିବା ବେଳେ ନୀତି ଆୟୋଗ ରିପୋର୍ଟରେ ଏହା ଦର୍ଶା ଯାଇନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକଥା ମଧ୍ୟ ପଚାରାଯାଇଛି ଯେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-4(NFHS)କୁ କାହିଁକି ହିସାବକୁ ନିଆ ଯାଇନାହିଁ। ଏହି ସର୍ଭେର ଆକାର କେବଳ ବଡ଼ ଥିଲା ତାହା ନୁହେଁ ଏଥିରେ ପ୍ରକୃତ ତଥ୍ୟ ସଂଗ୍ରହ କରାଯାଇଥିଲା।

ଶିଶୁ ଜନ୍ମ ହେବା ପରେ ଯତ୍ନ, ଗର୍ଭବତୀ ମହିଳାଙ୍କ ପାଇଁ ବିଭିନ୍ନ ପ୍ରକାର ସହାୟତା, ହସ୍ପିଟାଲରେ ଭର୍ତ୍ତି ହେବାର ସୁବିଧା, ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ନିଯୁକ୍ତି, ନର୍ସଙ୍କ ଉପସ୍ଥିତି, ଗାଁ ଓ ସହରରେ ଥିବା ସରକାରୀ ଚିକିତ୍ସାଳୟରେ ପ୍ରଶାସନିକ ଦକ୍ଷତାର ଅଭିବୃଦ୍ଧିରେ ଢେର ଉନ୍ନତି ଆସିଛି। ହେଲେ ନୀତି ଆୟୋଗ ରିପୋର୍ଟରେ ଏଥିପ୍ରତି ଅଣଦେଖା କରାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଭିଯୋଗ କରାଯାଇଛି।

କେରଳ, ଦିଲ୍ଲୀ,ତାମିଲନାଡୁ ଓ ବିହାର ଭଳି ଓଡ଼ିଶାରେ ମଧ୍ୟ ଗୁଣାତ୍ମକ ସ୍ୱାସ୍ଥ୍ୟ ପହଞ୍ଚାଇବା କ୍ଷେତ୍ରରେ ବେଶ୍ କିଛି ଆଖିଦୃଶିଆ ପଦକ୍ଷେପ ସରକାର ନେଇଛନ୍ତି ଅଥଚ ନୀତି ଆୟୋଗ ଏଥିପ୍ରତି ଆଖି ବୁଜି ଦେଇଛି ବୋଲି ବୋଲି ସ୍ପଷ୍ଟୀକରଣରେ ଉଲ୍ଲେଖ କରାଯାଇଛି।

Comment