ଭାସ୍କର ପରିଚ୍ଛା

ଓଡ଼ିଶାରେ ୨୦୧୩-୧୪ରୁ ୨୦୨୨-୨୩ ଯାଏଁ ୯ ବର୍ଷ ମଧ୍ୟରେ ପ୍ରାୟ ୧ କୋଟି ୨ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି। କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଓ ୟୁଏନ୍‌‌ଡିପି ପକ୍ଷରୁ ମିଳିତ ଭାବେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ଏହାସହ ଦେଶବ୍ୟାପୀ ବହୁମୁଖୀ ଦାରିଦ୍ର୍ୟରୁ ମୁକୁଳିବା ତାଲିକାରେ ଓଡ଼ିଶା ଶ୍ରେଷ୍ଠ ପାଞ୍ଚ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ତେବେ ଏସବୁକୁ ଦେଖିଲେ ଏହା ପଛରେ ନିଯାଇଥିବା ଦାରିଦ୍ର୍ୟ ଦୂରୀକରଣ ପଦକ୍ଷେପଗୁଡ଼ିକର କଥା ସାମ୍ନାକୁ ଆସେ।

ଓଡ଼ିଶାରେ ୨୦୦୫ରୁ ୨୦୧୪ ମଧ୍ୟରେ ବହୁମୁଖୀ ଦାରିଦ୍ର୍ୟ ଭିତରେ ଥିବା ଲୋକଙ୍କ ସଂଖ୍ୟା ଥିଲା ମୋଟ୍‌‌ ଜନସଂଖ୍ୟାର ପ୍ରାୟ ୬୪ ପ୍ରତିଶତ ଥିଲା। ତଥ୍ୟ ଅନୁସାରେ ୨୦୧୫-୧୬ରେ ଏହି ସଂଖ୍ୟା ୨୯.୩୪ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ୨୦୧୯-୨୧ରେ ୧୫.୬୮ ପ୍ରତିଶତକୁ ହ୍ରାସ ପାଇଛି। ଶାସନ ବ୍ୟବସ୍ଥା ସହ ରାଜନୈତିକ ସ୍ଥିରତା ରହିବା ଯୋଗୁଁ ରାଜ୍ୟକୁ ଏହି ସଫଳତା ମିଳିଛି ବୋଲି ଅନେକ ବିଶେଷଜ୍ଞ ମତ ଦେଇଥାନ୍ତି।     

ପ୍ରସଙ୍ଗତଃ, ବହୁମୁଖୀ ଦାରିଦ୍ର୍ୟ ସାଧାରଣ ବା ଅର୍ଥନୈତିକ ଦାରିଦ୍ର୍ୟ ନୁହେଁ। ଯାହାର ଦୈନିକ ରୋଜଗାର ନିର୍ଦ୍ଦିଷ୍ଟ ରୋଜଗାର ସୀମାଠାରୁ କମ୍‌‌ ସେ ଆର୍ଥିକ ଦୃଷ୍ଟିରୁ ଗରିବ ଭାବେ ବିବେଚିତ ହୁଏ। ହେଲେ ବହୁମୁଖୀ ଦାରିଦ୍ର୍ୟର ସଂଜ୍ଞା ଭିନ୍ନ। ଏଥିରେ ସ୍ୱାସ୍ଥ୍ୟ, ଖାଦ୍ୟ, ପୋଷକତତ୍ତ୍ୱ, ଶିକ୍ଷା, ସାମାଜିକ ସ୍ଥିତି, ରୋଜଗାର ସୁଯୋଗ ଓ ଅନ୍ୟାନ୍ୟ ବିଭିନ୍ନ କାରକ ଅନ୍ତର୍ଭୁକ୍ତ।

ୟୁଏନ୍‌‌ଡିପିର ରିପୋର୍ଟ ଅନୁସାରେ ସମଗ୍ର ବିଶ୍ୱରେ ଏବେ ୧୧୦ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟ ଶ୍ରେଣୀରେ ଅଛନ୍ତି ଏବଂ ସେମାନଙ୍କ ସଂଖ୍ୟା ଦକ୍ଷିଣ-ଏସିଆ ଓ ଆଫ୍ରିକାରେ ଅଧିକ। ଭାରତରେ ମଧ୍ୟ ଏହି ସଂଖ୍ୟା ବେଶ୍‌‌ ଅଧିକ। ଏବେ ଭାରତରେ ବହୁମୁଖୀ ଦାରିଦ୍ର୍ୟ ବର୍ଗରେ ଥିବା ଲୋକଙ୍କ ସଂଖ୍ୟା ମୋଟ୍‌‌ ଜନସଂଖ୍ୟାର ୧୧.୨୮ ପ୍ରତିଶତ।

ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ

ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଓଡ଼ିଶାର ଭଲ ପ୍ରଦର୍ଶନ କରିବା ପଛରେ ଅନେକ କାରଣ ରହିଛି। ଅଣକୃଷି ନିଯୁକ୍ତିରେ ଅଭିବୃଦ୍ଧି ଓଡ଼ିଶାରେ ଦାରିଦ୍ର୍ୟ ହ୍ରାସର ବିଶେଷ ସହାୟକ ହେଉଛି। ଗ୍ରାମାଞ୍ଚଳରେ ଲୋକଙ୍କୁ କ୍ଷୁଦ୍ର ବ୍ୟବସାୟ, ହସ୍ତଶିଳ୍ପ, ଗୋପାଳନ, କୁକୁଡ଼ା, ଛେଳି ଓ ମାଛଚାଷ, ବନୀକରଣ, ଖାଦ୍ୟ ପ୍ରକ୍ରିୟାକରଣ, ଯାନ୍ତ୍ରିକ ମରାମତି କାମ ଜରିଆରେ ସଫଳ ରୋଜଗାରର ପନ୍ଥା ଯୋଗାଇ ଦିଆଯାଉଛି।

ଏହାସହ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ  ଅନେକ ରାସ୍ତା ଖୋଲାଯାଇଛି, ଯାହା ଦ୍ୱାରା ଏବେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ‌ଏଚ‌ଜି)ଗୁଡ଼ିକ ଏମଏସ‌ଏମ‌ଇ (ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ)ରେ ପରିଣତ ହେଉଛନ୍ତି। ଏହାଦ୍ୱାରା ସାମଗ୍ରିକ ଭାବେ ରାଜ୍ୟର ମୁଣ୍ଡପିଛା ଆୟ ବଢ଼଼ୁଛି।

ସେହିପରି  ଦ୍ରୁତ ଶିଳ୍ପାୟନ ଓ ସେବା କ୍ଷେତ୍ରରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ହେଉଛି ଏବଂ ଏ ସବୁ କ୍ଷେତ୍ର ସହିତ ପରୋକ୍ଷ ଭାବେ ଜଡ଼ିତ ଆନୁଷଙ୍ଗିକ କ୍ଷେତ୍ରରେ ମଧ୍ୟ ଅନେକ ଲୋକ ରୋଜଗାରର ସୁଯୋଗ ପାଉଛନ୍ତି। ରୋଜଗାରକ୍ଷମ ହେବାକୁ ଯୁବଶକ୍ତିଙ୍କ ଦକ୍ଷତା ବିକାଶ ଓ ତାଲିମ୍‌‌ ଦିଗରେ ମଧ୍ୟ ଓଡ଼ିଶା ସରକାର ଯଥେଷ୍ଟ ଧ୍ୟାନ ଦେଉଛନ୍ତି।

ଲକ୍ଷ୍ୟ କରିବାର କଥା ଯେ ୨୩ ବର୍ଷ ତଳେ ଓଡ଼ିଶା ସବୁକ୍ଷେତ୍ରରେ ଦେଶର ସବୁଠୁ ପଛୁଆ, ଅନଗ୍ରସର ରାଜ୍ୟ ଥିଲା। ଏହି ରାଜ୍ୟରେ ପୁଣି ୨୩ ପ୍ରତିଶତ ଆଦିବାସୀ ଓ ୧୭ ପ୍ରତିଶତ ତଫସିଲଭୁକ୍ତ ଜାତିର ଲୋକ ବାସ କରନ୍ତି, ଯେଉଁମାନେ ବିଭିନ୍ନ ଐତିହାସିକ କାରଣ ଯୋଗୁଁ ଦରିଦ୍ର। ତା’ ସତ୍ତ୍ବେ ଏହି ୨୩ ବର୍ଷ ମଧ୍ୟରେ ଓଡ଼ିଶା କେବଳ ଦାରିଦ୍ର୍ୟ ଦୂରୀକରଣ ନୁହେଁ, ବିଭିନ୍ନ କ୍ଷେତ୍ରରେ ଦ୍ରୁତ ପ୍ରଗତି କରି ଦେଶର ଅନ୍ୟତମ ପ୍ରଗତିଶୀଳ ରାଜ୍ୟରେ ପରିଣତ ହୋଇଛି।

ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଓଡ଼ିଶାର ନୂଆ ଯୋଜନା ଓ ଶାସନଗତ ଅଭିନବତା ଅନ୍ୟ ରାଜ୍ୟଙ୍କ ପାଇଁ ଉଦାହରଣ ପାଲଟିଛି। ଏହି ଦ୍ରୁତ ବିକାଶ ଓ ସଫଳତା କେବଳ ଓଡ଼ିଶା ପାଇଁ ନୁହେଁ ଦେଶ ପାଇଁ ମଧ୍ୟ ଏକ ମାଇଲଖୁଣ୍ଟ। ଦାରିଦ୍ର୍ୟ ବିରୋଧରେ ଯେଉଁ ବହୁମୁଖୀ ରଣନୀତି କାର୍ଯ୍ୟକାରୀ ହେଉଛି, ତାହାର ସକାରାତ୍ମକ ପ୍ରଭାବ ନିତି ଆୟୋଗଙ୍କ ରିପୋର୍ଟରେ ପ୍ରତିଫଳିତ ହୋଇଛି।

ମିଳିତ ଜାତିସଂଘ ଯେଉଁ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌‌ଡିଜି) ଧାର୍ଯ୍ୟ କରିଛନ୍ତି, ତଦନୁସାରେ ବିଶ୍ୱର ସବୁ ରାଷ୍ଟ୍ର ୨୦୩୦ ସୁଦ୍ଧା ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତ ହେବା ଆବଶ୍ୟକ। ତେଣୁ ଭାରତ ଏହି ଲକ୍ଷ୍ୟ ପୂରଣ ପଥରେ ଅଗ୍ରସର ଏବଂ ଏଥିରେ ପ୍ରତ୍ୟେକ ରାଜ୍ୟ ସରକାର ପ୍ରାଣପଣେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କେନ୍ଦ୍ର ସରକାର ମଧ୍ୟ ଏଥିପାଇଁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଉଛନ୍ତି। 

ରିପୋର୍ଟ ଅନୁସାରେ ବିଗତ ୯ ବର୍ଷ ମଧ୍ୟରେ ଭାରତର ୨୪.୮୨ ଶତାଂଶ ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି। ୟୁଏନ୍‌‌ଡିପି ବା ଅନ୍ୟ ଆନ୍ତର୍ଜାତିକ ସଂସ୍ଥା ଏହି ଦାରିଦ୍ର୍ୟ ହ୍ରାସ ବୃଦ୍ଧି ସଂକ୍ରାନ୍ତ ତଥ୍ୟ ପ୍ରକାଶ କରିବାକୁ ନିଜ ପକ୍ଷରୁ ସର୍ବେକ୍ଷଣ କରନ୍ତି ନାହିଁ। ସେମାନେ ସମ୍ପୃକ୍ତ ଦେଶମାନଙ୍କର ଏ ସଂକ୍ରାନ୍ତ ତଥ୍ୟକୁ ନେଇ ତାହାର ବିଶ୍ଳେଷଣ କରି ରିପୋର୍ଟ ପ୍ରସ୍ତୁତ କରନ୍ତି। ତେବେ ଭାରତ ଓ ଓଡ଼ିଶାରେ ଏହି ବହୁମୁଖୀ ଦାରିଦ୍ର୍ୟ ହାର ହ୍ରାସ ଦ୍ରୁତତର ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।

ଦାରିଦ୍ର୍ୟ ହେଉ ବା ବହୁମୁଖୀ ଦାରିଦ୍ର୍ୟ, ସବୁ କ୍ଷେତ୍ରରେ ରୋଜଗାର ବା ଆୟର ଗୁରୁତ୍ୱ ଅଧିକ। ଅର୍ଥାଭାବ ହିଁ ବିବିଧ ସମସ୍ୟା ସୃଷ୍ଟି କରି ବହୁମୁଖୀ ଦାରିଦ୍ର୍ୟ ଆଣେ। ତେଣୁ ରୋଜଗାର ପାଇଁ ଉତ୍ତମ ସ୍ୱାସ୍ଥ୍ୟ, ସାମର୍ଥ୍ୟ, ବ୍ୟାଧିମୁକ୍ତ ଜୀବନ, ଉତ୍ତମ ଖାଦ୍ୟ, ଶିକ୍ଷା, ଦକ୍ଷତା ବିକାଶ, ଆବାସ ଓ ନିଯୁକ୍ତି ସୁଯୋଗର ଆବଶ୍ୟକତା ରହିଛି। ମୋଟ ୧୨ଟି ସୂଚକାଙ୍କକୁ ନେଇ ଏହି ବହୁମୁଖୀ ଦାରିଦ୍ର୍ୟ ନିର୍ଣ୍ଣୟ କରାଯାଉଛି। ଏ କ୍ଷେତ୍ରରେ ଯେଉଁ ସାମାଜିକ ସମସ୍ୟାମାନ ରହିଛି, ତାହାର ସମାଧାନ ବିଶେଷ ଗୁରୁତ୍ୱ ଲୋଡ଼େ। ସୁଶାସନ ଏବଂ ସରକାରୀ ଇଚ୍ଛାଶକ୍ତି ବିନା ଏହା ସମ୍ଭବ ନୁହେଁ। 

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Tags: #MultifacetedPoverty #PovertyAlleviation #UNDP #NITIAyog #India #Odisha

Comment