ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଇନା ସମେତ ବିଶ୍ଵର ବିଭିନ୍ନ ଦେଶରେ କୋଭିଡ୍‌ ସଂକ୍ରମଣ ବଢ଼ୁଥିବା ବେଳେ ଭାରତ ଏହାର ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି। କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ମଙ୍ଗଳବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଡାକ୍ତରଖାନାଗୁଡ଼ିକରେ ମକ୍‌ ଡ୍ରିଲ୍‌ ଆରମ୍ଭ ହୋଇଛି। ମକ୍‌ ଡ୍ରିଲରେ ଦେଶର ବଡ଼ ବଡ଼ ଡାକ୍ତରଖାନା ମଧ୍ୟ ସାମିଲ ହୋଇଛନ୍ତି। କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମକ୍‌ ଡ୍ରିଲର ସମୀକ୍ଷା କରିଛନ୍ତି।

ମଙ୍ଗଳବାର ହୋଇଥିବା ମକ୍ ଡ୍ରିଲରେ କୋଭିଡ୍‌ର ମୁକାବିଲା ନେଇ ସବୁ ଜିଲା ହସ୍ପିଟାଲଗୁଡ଼ିକର ସାମର୍ଥ୍ୟ, ଆଇସୋଲେଶନ ବେଡ୍‌, ଅକ୍ସିଜେନ୍‌ ଓ ଭେଣ୍ଟିଲେଟର ସୁବିଧା, ଆଇସିୟୁ ବେଡ୍‌ ଡାକ୍ତର, ନର୍ସଙ୍କ ସଂଖ୍ୟା ଯାଞ୍ଚ କରାଯାଇଛି। ଏଥିସହିତ କୋଭିଡ୍‌ ପରିଚାଳନା ଲାଗି କେତେଜଣ ସ୍ଵାସ୍ଥ୍ୟ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି, ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଭେଣ୍ଟିଲେଟର ପରିଚାଳନା ସମ୍ପର୍କରେ କେତେଜଣ ପ୍ରଶିକ୍ଷଣ ନେଇଛନ୍ତି, ପିଏସ୍‌ଏ ପ୍ଲାଣ୍ଟ ଇତ୍ୟାଦିକୁ ଚଳାଇବା ଲାଗି ସ୍ଵାସ୍ଥ୍ୟକର୍ମୀ ତାଲିମ ନେଇଛନ୍ତି କି ନାହିଁ, ତାହାର ସମୀକ୍ଷା କରାଯାଇଛି।

“ଦେଶରେ ଯେପରି କରୋନା ନ ବ୍ୟାପିବ ସେଥିପାଇଁ ସରକାର ସଚେତନ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କରୋନାକୁ ନେଇ ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କରୋନାର ବିପଜ୍ଜନକ ପରିସ୍ଥିତି ଉପୁଜେ ତେବେ ହସ୍ପିଟାଲଗୁଡ଼ିକ କରୋନା ସହ ମୁକାବିଲା ପାଇଁ କେତେଦୂର ପ୍ରସ୍ତୁତ ତାହାର ଯାଞ୍ଚ କରିବା ପାଇଁ  ଏହି ମକ୍ ଡ୍ରିଲ କରାଯାଉଛି”, କହିଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ।

ବିଭିନ୍ନ ଦେଶରେ କୋଭିଡ୍‌ ସଂକ୍ରମଣ ବଢ଼ୁଥିବାରୁ ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ ଭାରତରେ ଲୋକମାନଙ୍କୁ କୋଭିଡ୍‌ ନିୟମ ମାନିବାକୁ ନିବେଦନ କରିଛି।

Tags: #Covid-19 #MockDrill #Hospitals #AcrossIndia #mansukhMandaviya #HealthMinister

Comment