ଓଡ଼ିଶାଲାଇଭ୍‍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଏୟାର ଓଡ଼ିଶା ଆରମ୍ଭ କରିବ ବିମାନ ସେବା। ଯାତ୍ରୀ ଉଡାଣ ପାଇଁ ଏୟାର ଓଡ଼ିଶାକୁ ମିଳିଲା ଲାଇସେନ୍ସ।

  • ଫେବ୍ରୁଆରି ମାସ ୧୭ ତାରିଖରୁ ମୁନ୍ଧ୍ରାରୁ ଅହମ୍ମଦାବାଦ ମଧ୍ୟରେ ଏୟାର ଓଡ଼ିଶାର ପ୍ରଥମ ସେବା
  • ୩୪ଟି ରୁଟରେ ପାରମ୍ପରିକ ଭିତ୍ତିରେ ବିମାନ ସେବା ଯୋଗାଇ ଦିଆଯିବ

ଭୁବନେଶ୍ୱରସ୍ଥିତ ଏୟାର ଓଡ଼ିଶାକୁ ବିମାନ ସେବା ପାଇଁ ଅନୁମତି ମିଳିଛି। ଆଞ୍ଚଳିକ ସଂଯୋଗ ଯୋଜନା ଅନୁସାରେ ଯାତ୍ରୀ ଉଡାଣ କ୍ଷେତ୍ରରେ ଯେଉଁ ଲାଇସେନ୍ସ ମିଳିବା କଥା ଏୟାର ଓଡ଼ିଶା ତାହା ପାଇଛି। ଆଗରୁ ଅଣଅଧିସୂଚିତ ଅଞ୍ଚଳକୁ ବିମାନ ସେବା ଯୋଗାଇ ଦିଆଯାଉଥିଲା। ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏୟାର ଓଡ଼ିଶାକୁ ଏବେ ଅଧିସୂଚିତ ଲାଇସେନ୍ସ ଦେଇଛନ୍ତି, ଯାହାଫଳରେ ଏହି କମ୍ପାନୀ ପାଇଁ ଯାତ୍ରୀ ସେବା ଯୋଗାଇବାରେ ଆଉ ଅସୁବିଧା ସୃଷ୍ଟି ହେବ ନାହିଁ।

ଏୟାର ଓଡ଼ିଶାର ପରିଚାଳନା ମୁଖ୍ୟ ସନ୍ତୋଷ ପାଣି କହିଛନ୍ତି, “ଉଡାଣ ଅନୁମତି ମିଳିବା ପରେ ଆନୁଷ୍ଠାନିକ ଭାବେ ଫ୍ଲାଇଟ ଚଳାଇବା ଆରମ୍ଭ କରାଯିବ। ଏ ମାସ ୧୭ ତାରିଖରୁ ମୁନ୍ଧ୍ରାରୁ ଅହମଦାବାଦ ମଧ୍ୟରେ ଆମେ ପ୍ରଥମ ସେବା ଆରମ୍ଭ କରିବୁ।“

ଏହି ପ୍ରଥମ ଉଡାଣକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଆରମ୍ଭ କରିବେ। ମୁଖ୍ୟତଃ ଗୁଜୁରାଟର ବିଭିନ୍ନ ସହର ସହିତ ସଂଯୋଗ ସ୍ଥାପନ ପାଇଁ ଏୟାର ଓଡ଼ିଶା ପ୍ରତିଶ୍ରୁତିବଦ୍ଧ ବୋଲି ଜଣେ ଅଧିକାରୀ କହିଛନ୍ତି।

ଖବର ଅନୁସାରେ ଗତ ମାର୍ଚ୍ଚ ମାସରେ ସବସିଡିଯୁକ୍ତ ଆଞ୍ଚଳିକ ପରିବହନ ସେବା ଅନ୍ତର୍ଭୁକ୍ତ ୫୦ଟି ମାର୍ଗରେ ବିମାନ ସେବା ପାଇଁ ଏୟାର ଓଡ଼ିଶାକୁ ଅନୁମତି ମିଳିଛି।

ପାଣି କହିଛନ୍ତି ଯେ ୧୯ ସିଟ୍ ବିଶିଷ୍ଟ ‘ବିଚକ୍ରାଫ୍ଟ ବି-1900’ ବିମାନଟିଏ କମ୍ପାନି କିଣିଛି। ଆଉ ଗୋଟିଏ ସେହିଭଳି ବିମାନ ଏପ୍ରିଲ ସୁଦ୍ଧା ଯୋଗ ଦେବ। ଏୟାର ଓଡ଼ିଶାକୁ ମିଳିଥିବା ଅଧିସୂଚିତ ବିମାନ ସେବା ଅନୁମତି ଅନୁସାରେ ନୂଆଦିଲ୍ଲୀ, ଅହମ୍ମଦାବାଦ, ଚେନ୍ନାଇରୁ ଓଡ଼ିଶା, ତାମିଲନାଡୁ, ଛତିଶଗଡ଼, ଝାରଖଣ୍ଡ, ଆନ୍ଧ୍ର ଓ ପଣ୍ଡିଚେରୀର ବିମାନ ସେବା ନଥିବା ସ୍ଥାନକୁ ଉଡାଣ ଆରମ୍ଭ କରାଯିବ। ଏୟାର ଓଡ଼ିଶା ପକ୍ଷରୁ ଏୟାର ଡେକାନ ସହିତ ମଧ୍ୟ ବ୍ୟବସାୟିକ ସମ୍ପର୍କ ସ୍ଥାପନ କରାଯାଇଛି ଓ ୩୪ଟି ରୁଟରେ ପାରମ୍ପରିକ ଭିତ୍ତିରେ ବିମାନ ସେବା ଯୋଗାଇ ଦିଆଯିବ, ଯାହାଫଳରେ କି ଖର୍ଚ୍ଚ କାଟ କରାଯାଇପାରିବ, କହିଛନ୍ତି ପାଣି।

Comment