ଓଡ଼ିଶାଲାଇଭ୍ ବ୍ୟୁରୋ

- ତନାଘନା କଲା ଇଡି
- ମୋଦିଙ୍କ ଅଫିସ ସମେତ ତାଙ୍କ ସମ୍ପର୍କୀୟଙ୍କ ଘରେ ବି ଚଢ଼ାଉ
- ଅଭିଯୁକ୍ତ ନିରବ ମୋଦିଙ୍କ ପତ୍ତା ମିଳୁନି
- ଲୁକ୍ ଆଉଟ୍ ସର୍କୁଲାର ଜାରି କଲା ସିବିଆଇ
- କଂଗ୍ରେସ-ବିଜେପି କଥା କଟାକଟି
ମୁମ୍ବାଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇର ଖୋଳତାଡ଼ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନିରବ ମୋଦିଙ୍କ ସୋ’ରୁମ୍ ଏବଂ ଅଫିସରେ ଇଡି ରେଡ୍ କରିଛି। ଏହାସହ ମୋଦିଙ୍କ ସମ୍ପର୍କୀୟ ଏବଂ ତାଙ୍କ ସହ ସମ୍ପର୍କ ରଖିଥିବା ଅନ୍ୟ ବ୍ୟବସାୟୀଙ୍କ ଘର ଏବଂ ଅଫିସରେ ଇଡି ଚଢ଼ାଉ କରିଛି।
ମୁମ୍ବାଇର ୪ଟି, ଦିଲ୍ଲୀର ୨ଟି, ସୁରାଟର ଗୋଟିଏ ସ୍ଥାନରେ ଇଡି ଏକକାଳୀନ ଚଢ଼ାଉ କରିଛି। ୧୩ ଶହ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି। ହେଲେ ଅଭିଯୁକ୍ତ ନିରବ ମୋଦିଙ୍କ ପତ୍ତା ମିଳୁନି। କୁହାଯାଉଛି ମହାଠକେଇ କରି ନିରବ ବିଦେଶକୁ ଚମ୍ପଟ ମାରିଥିବା କୁହାଯାଉଛି।
ଇଡି ନିରବ ମୋଦିଙ୍କ ନାଁରେ ମନି ଲଣ୍ଡ୍ରିଂ ଆକ୍ଟରେ ମାମଲା ରୁଜୁ କରିଥିବା ବେଳେ ପିଏନବିର ଦୁଇ ଅଧିକାରୀଙ୍କ ସହାୟତାରେ ନିରବ ଏହି ଠକେଇ କରିଥିବା ଇଡି ଅଭିଯୋଗ କରିଛି। ସିବିଆଇ ଏହି ଘଟଣାରେ ସଂପୃକ୍ତ ବ୍ୟାଙ୍କ କର୍ମଚାରୀ ଏବଂ ନିରବ ମୋଦିଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି।
ପିଏନ୍ବି ପକ୍ଷରୁ ଦିଆଯାଇଥିବା ଲେଟର ଅଫ୍ ଅଣ୍ଡରଷ୍ଟାଣ୍ଡିଂ କାଗଜପତ୍ରକୁ ଜାଲିଆତି କରି ନିରବ ମୋଦି ୧୧ ହଜାର ୩୦୦ କୋଟି ଟଙ୍କା ହଡ଼ପ କରିଥିବା ଇଡି ଅନୁମାନ କରୁଛି।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏମ୍ଡି ସୁନିଲ ମେହଟ୍ଟା କହିଛନ୍ତି, “୨୦୧୧ରେ ଏହି ଠକେଇ ଆରମ୍ଭ ହୋଇଥିଲା। ଏହି ଠକେଇକୁ ପ୍ରଥମେ ଆମ ବ୍ୟାଙ୍କ ଧରିଥିଲା। ତେବେ ଏହି ଠକେଇ କେମିତି ହେଲା ଏବଂ ବ୍ୟାଙ୍କ ଅଧିକାରୀମାନେ କେମିତି ଜାଣି ପାରିଲେ ନାହିଁ ସେ ସମ୍ପର୍କରେ ତଦନ୍ତ ଚାଲିଛି। ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ।”
ନିରବଙ୍କ ବେଆଇନ କାରବାର ସମ୍ପର୍କିତ ସମସ୍ତ କାଗଜପତ୍ର ୨୦୧୬ରେ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିଲା। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟଓ୍ବାଲା ଅଭିଯୋଗ କରିଛନ୍ତି। କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଏସ୍ ପି ଶୁକ୍ଲା ଜବାବ ରଖିଛନ୍ତି। ୨୦୧୧ରୁ ଏହି ଠକେଇ ଜଣାପଡ଼ିଥିଲା। କ୍ଷମତାରେ ଥିବା ଉପା ସରକାର କ’ଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।


















