ଓଡିଶାଲାଇଭ ବ୍ୟୁରୋ

ନିରବ ମୋଦିଙ୍କ ବହୁଚର୍ଚ୍ଚିତ ଏଗାର ହଜାର କୋଟି ଟଙ୍କାର ମହାଠକେଇ ପରେ ଓଡ଼ିଶାରେ ଏକ ପ୍ରକଳ୍ପକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଓଡିଶା ସରକାରଙ୍କ ପକ୍ଷରୁ ନିରବ ମୋଦିଙ୍କ ସହ ଅନ୍ୟ ଜଣେ ଖସି ପଳାଇଥିବା ବ୍ୟକ୍ତିଙ୍କ କମ୍ପାନି ସହିତ ଏକ ଚୁକ୍ତି ହୋଇଥିଲା ଯେଉଁ ଚୁକ୍ତିରେ କି ୬୮୫ କୋଟି ଟଙ୍କାର ରତ୍ନ ଓ ଅଳଙ୍କାର ପାର୍କ ପ୍ରତିଷ୍ଠା ହୋଇଥାନ୍ତା।

କଟକ ଜିଲ୍ଲାର ରାମଦାସପୁରଠାରେ ଗୀତାଞ୍ଜଳି ଇନ୍ଫ୍ରାଟେକ ପକ୍ଷରୁ ଏହି ପାର୍କ ପ୍ରତିଷ୍ଠା ହେବାର ଥିଲା। ଗୀତାଞ୍ଜଳି ଇନ୍ଫ୍ରାଟେକ ହେଉଛି ମେହୁଲ ଚୋକ୍ସିଙ୍କ ମୂଳ କମ୍ପାନି ଗୀତାଞ୍ଜଳି ଜେମ୍ସଲିର ଏକ ଅଂଶବିଶେଷ। ମେହୁଲ ହେଉଛନ୍ତି ନିରବଙ୍କ ମାମୁଁ। ବର୍ତ୍ତମାନ ଚୋକ୍ସି ଓ ନିରାବଙ୍କ ବିରୁଦ୍ଧରେ ମାମଲା ଆରମ୍ଭ ହୋଇଥିବା ବେଳେ ଏବଂ ଏମାନଙ୍କୁ ଧରିବା ସକାଶେ ଇଣ୍ଟରପୋଲର ସାହାଯ୍ୟ ନିଆଯାଇଥିବା ବେଳେ ରାମଦାସପୁର ଜେମ୍ସ ଓ ଲାଇଫଷ୍ଟାଇଲ ପାର୍କ ପ୍ରତିଷ୍ଠା ହେବା ଆଉ ଦେଖାଯାଉନାହିଁ। ଓଡିଶା ସରକାରଙ୍କ ଜଣେ ଅଧିକାରୀ ଏକଥା ସ୍ଵୀକାର କରିଛନ୍ତି।

୨୦୧୬ ଫେବ୍ରୁଆରି ମାସରେ ମୁମ୍ବାଇଠାରେ ଯେଉଁ ମେକ ଇନ୍ ଇଣ୍ଡିଆ ବୈଠକ ଅନୁଷ୍ଠିତ ହୋଇଥିଲା, ସେଥିରେ ଗୀତାଞ୍ଜଳି ଇନ୍ଫ୍ରାଟେକ ପକ୍ଷରୁ ଓଡ଼ିଶାରେ ଏକ ଜେମ୍ସ ପାର୍କ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଓଡିଶା ସରକାରଙ୍କ ଷ୍ଟେଟ ଲେଭେଲ କମିଟି ପକ୍ଷରୁ ଏହି ପ୍ରସ୍ତାବକୁ ତତକ୍ଷଣାତ ମଞ୍ଜୁରୀ ଦିଆଯାଇଥିଲା।

ଏବେ ପରିବର୍ତ୍ତିତ ପରିସ୍ଥିତିରେ ଯେହେତୁ ଗୀତାଞ୍ଜଳି ସହିତ ଏହି ପାର୍କ ପ୍ରତିଷ୍ଠା ପାଇଁ କଥାବାର୍ତ୍ତା ଆଗେଇବାର ସମ୍ଭାବନା କମ୍, ରାମଦାସପୁର ପ୍ରକଳ୍ପକୁ କେମିତି ଚାଲୁ ରଖାଯିବ ସେ ନେଇ ଚିନ୍ତା ଆରମ୍ଭ ହୋଇଛି। ଶିଳ୍ପବିଭାଗ ପ୍ରମୁଖ ସଚିବ ସଂଜୀବ ଚୋପ୍ରାଙ୍କ କହିବା ଅନୁଯାୟୀ ଏହି ପାର୍କ ପାଇଁ ଏକ ନୂଆ ପୁଞ୍ଜିନିବେଶକାରୀଙ୍କୁ ଖୋଜାଯିବ।

ଏହି ପାର୍କ ପାଇଁ ୧୦୦ ଏକର ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ରାଜି ହୋଇଥିଲେ। ଏଥିମଧ୍ୟରୁ ୩୦ ଏକର ମୂଳ କମ୍ପାନି (ଆଙ୍କର ଇନଭେଷ୍ଟର) ଗୀତାଞ୍ଜଳି ପାଇଁ ରଖାଯାଇଥାନ୍ତା। ଅବଶିଷ୍ଟ ଜମିରେ ଅନ୍ୟ ବ୍ରାଣ୍ଡର କମ୍ପାନୀଙ୍କୁ ସୁଯୋଗ ଦିଆଯାଇଥାନ୍ତା।

ଗୀତାଞ୍ଜଳି ଗ୍ରୁପ୍ ପକ୍ଷରୁ ୩୦ ଏକର ଜମି ପାଇଁ ଅର୍ଥ ପୈଠ ମଧ୍ୟ ସରିଥିଲା। ପ୍ରସ୍ତାବିତ ପାର୍କରେ ମୂଲ୍ୟବାନ ରତ୍ନ ପଥର ଯଥା ହୀରାର କଟିଂ ପଲିସିଙ୍ଗ, ଡିଜାଇନିଂ ଆଦି ହେବାର ଲକ୍ଷ୍ୟ ରଖାଯାଇଥିଲା। ହୀରା ଛଡା ସୁନା ଓ ରୂପା ଓ ପ୍ଲାଟିନମ୍ ଅଳଙ୍କାର ମଧ୍ୟ ଏଠି ତିଆରି ହୋଇଥାନ୍ତା।

ଭାରତରେ ବିକ୍ରି କରିବା ସହିତ ଏହି ପାର୍କରୁ ନିର୍ମିତ ଅଳଙ୍କାର ବିଦେଶକୁ ମଧ୍ୟ ରପ୍ତାନୀ ହୋଇଥାନ୍ତା। ଗୀତାଞ୍ଜଳି ଜେମ୍ସ ପକ୍ଷରୁ ଅନ୍ୟ ନାମୀ ବ୍ରାଣ୍ଡ ଯଥା ଅସ୍ମି, ନକ୍ଷତ୍ର, ଗିଲି, ସଙ୍ଗିନୀ, ନିର୍ବାଣ, କୈରଣା, ଭେଲେଣ୍ଟ ଓ ଭାଇଓଲା ଭଳି ଅଳଙ୍କାର ପ୍ରସ୍ତୁତକାରୀଙ୍କୁ ଏହି ପାର୍କର ଅଂଶୀଦାର କରିବାର ପ୍ରସ୍ତାବ ରହିଥିଲା।

ରାମଦାସପୁର ଜେମ୍ସ ପାର୍କ ପ୍ରତିଷ୍ଠା ହେଲେ ଅଳଙ୍କାର ରପ୍ତାନୀ କ୍ଷେତ୍ରରେ ଓଡିଶା ଉଲ୍ଲେଖନୀୟ ଅବଦାନ ରଖିପାରିଥାନ୍ତା। ଏଥିରେ ପ୍ରାୟ ୧୬ ହଜାର ଲୋକ ନିଯୁକ୍ତି ପାଇଥାନ୍ତେ। ଗତବର୍ଷ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିସାରିଛନ୍ତି।

Comment