ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବିଶ୍ୱର ପ୍ରମୁଖ ଏୟାରପୋର୍ଟରେ ନୋଟିସ
  • ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମୁମ୍ବାଇସ୍ଥିତ ବ୍ରେଡି ହାଉସ ଶାଖା ସିଲ୍
  •  ବିପୁଲ ଅମ୍ବାନିଙ୍କୁ ଜେରା
  • ୩୫ଟି ସ୍ଥାନରେ ପୁଣି ଚଢ଼ାଉ କଲା ଇଡି

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇର ମାଷ୍ଟରମାଇଣ୍ଡ ନିରବ ମୋଦିଙ୍କୁ ଖୋଜୁଛି ସିବିଆଇ। ଜାନୁଆରି ୩୧ରୁ ସେ ଭାରତ ଛାଡ଼ି ଦେଇଥିବାରୁ ତାଙ୍କର ପତ୍ତା ପାଉନି ତଦନ୍ତକାରୀ ସଂସ୍ଥା। କେତେବେଳେ ସେ ନ୍ୟୁୟର୍କରେ ତ ଆଉ କେତେବେଳେ ବେଲଜିୟମ୍ ଚାଲି ଯାଇଥିବା କୁହାଯାଉଥିଲା। ହେଲେ ଏବେ ନିରବ ଦୁବାଇରେ ଥିବା ତଦନ୍ତକାରୀ ସଂସ୍ଥା ଅନୁମାନ କରୁଛି।

ନିରବ ମୋଦିଙ୍କ ସାମ୍ରାଜ୍ୟର ଖୋଳତାଡ଼ କରୁଥିବା ଇଡି ଏବଂ ସିବିଆଇ ସୋମବାର ବି ତନଘନା କରିଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମୁମ୍ବାଇସ୍ଥିତ ବ୍ରେଡି ହାଉସ ଶାଖାକୁ ସିବିଆଇ ସୋମବାର ସିଲ୍ କରିଛି। ଏହି ବ୍ୟାଙ୍କରୁ ମହାଘୋଟାଲା ଆରମ୍ଭ ହୋଇଥିବାରୁ ଏଣିକି ଏଠାରେ କିଛି ଟ୍ରାଞ୍ଜାକ୍ସନ ହୋଇ ପାରିବ ନାହିଁ ସିବିଆଇ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।

ଏପଟେ ନିରବ ମୋଦି ଗ୍ରୁପର ସିଏଫ୍‌ଓ ବିପୁଲ ଅମ୍ବାନି ସିବିଆଇରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସିବିଆଇ ଅଧିକାରୀ ପଚରା ଉଚରା କରିଥିଲେ। ଇଡି ଅଧିକାରୀ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି।

ବିହାରର କିସନଗଞ୍ଜରେ ଥିବା ଗୀତାଞ୍ଜଳି ଜୁଏଲର୍ସର ଷ୍ଟୋର ଉପରେ ଇଡି ଚଢ଼ାଉ କରି ଛାନଭିନ କରିଥିଲା। ଏହାସହ ଫାୟାରଷ୍ଟାର ଇଣ୍ଟରନ୍ୟାସନାଲ ସଂସ୍ଥା ସହ ଜଡ଼ିତ ବ୍ୟକ୍ତିଙ୍କୁ ପଚରା ଉଚରା କରିବା ପାଇଁ ଇଡି ନୋଟିସ ଜାରି କରିଛି। ଏହାସହ ପୁନେର ୧୦ଟି, ଥାନେର ୫ଟି ସ୍ଥାନ ସହ ମୋଟ ୩୫ଟି ସ୍ଥାନରେ ଇଡି ଚଢ଼ାଉ କରିଛି।

ନିରବ ମୋଦିଙ୍କୁ ଗିରଫ କରିବା ପାଇଁ ସିବିଆଇ ଜାଲ ବିଛାଇଛି। ଇଣ୍ଟରପୋଲ୍ ସହାୟତା ମାଗିବା ସହ ବିଶ୍ବର ପ୍ରମୁଖ ଏୟାରପୋର୍ଟକୁ ନୋଟିସ ଜାରି କରିଛି।

Comment