ଓଡ଼ିଶାଲାଇଭ୍‍ ବ୍ୟୁରୋ

  • ଭୁବନେଶ୍ୱରରେ ୫ମ ଆଇଟି କନକ୍ଲେଭ-୨୦୧୮ ଉଦ୍‌ଘାଟିତ
  • କନକ୍ଲେଭର ଶୀର୍ଷକ ରହିଛି “ସ୍ମାର୍ଟ ସିଟି ସ୍ମାର୍ଟ ଲିଙ୍କ୍’
  • ଯୋଗ ଦେଲେ ଆଇଟି ଶିଳ୍ପ ସହ ଜଡ଼ିତ ବ୍ୟକ୍ତି
  • ଆଇଟି ବିଶେଷଜ୍ଞ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବ କନକ୍ଲେଭ

‍“ଦୈନନ୍ଦିନ ଜୀବନରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଏକ ସାଧାରଣ ଘଟଣା ହୋଇଗଲାଣି। ଏଥିରୁ ଲୋକମାନେ ବହୁତ ସୁବିଧା ପାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ମାର୍ଟ ସିଟି ଭୁବନେଶ୍ୱର ଏବଂ ସମଗ୍ର ରାଜ୍ୟରେ ଆମେ ଏକ ବଳିଷ୍ଠ ଆଇଟି ଇକୋସିଷ୍ଟମ ଏବଂ ଆଇଟି ଶିଳ୍ପର ଅନ୍ୟାନ୍ୟ ଦିଗକୁ ବିକଶିତ କରିବା ପାଇଁ ଚାହୁଁଛୁ”, କହିଛନ୍ତି ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ସଚିବ ଅଶୋକ କେ ମୀନା।

ଭୁବନେଶ୍ୱରରେ ମଙ୍ଗଳବାର ଦିନ ଦ ଆଇଟି ଆସୋସିଏସନ୍ ଅଫ୍ ଓଡ଼ିଶା (ଆଇଟିଏଓ) ପକ୍ଷରୁ ୫ମ ଆଇଟି କନକ୍ଲେଭ-୨୦୧୮ ଉଦଘାଟିତ ହୋଇଛି। ଏହି କନକ୍ଲେଭର ଶୀର୍ଷକ ରହିଛି ‘ସ୍ମାର୍ଟ ସିଟି ସ୍ମାର୍ଟ ଲିଙ୍କ୍’। ପ୍ରମୁଖ ଆଇଟି କ୍ଷେତ୍ର ଏବଂ ସ୍ମାର୍ଟ ସିଟି ଭୁବନେଶ୍ୱର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖିବା ଆଶାରେ କନକ୍ଲେଭରେ ଏହି ଶୀର୍ଷକକୁ ଗୁରୁତ୍ୱ ଦିଆଯାଇଛି। ଆଇଟି ଶିଳ୍ପ ସହ ଜଡ଼ିତ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ଏହି କନକ୍ଲେଭରେ ଯୋଗ ଦେଇ ଶ୍ରୀ ମୀନା କହିଛନ୍ତି ଯେ ସାରା ବିଶ୍ୱରେ ଆଇଟି କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଛି। ଉଦ୍ୟୋଗୀ ଏବଂ ତୃଣମୂଳ ସ୍ତରରେ ଆଇଟି କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିମାନେ ନିଜ ଦକ୍ଷତାର ଅଭିବୃଦ୍ଧି ଘଟାଇ ନିଜକୁ ଆଇଟି ବିକାଶରେ ସାମିଲ କରିବାକୁ ପଡ଼ିବ। ଆଇଟି ବିଶେଷଜ୍ଞମାନଙ୍କଠାରୁ ପରାମର୍ଶ ନେଇ ଆଇଟି ଶିଳ୍ପକୁ ସମୃଦ୍ଧ କରିବାକୁ ପଡ଼ିବ।

“ଓଡ଼ିଶାରେ ଆଇଟି ଏବଂ ଇଲେକ୍ଟେ୍ରାନିକ୍ସ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ଘଟୁଛି। ଆଇଆଇଟି, ଭୁବନେଶ୍ୱରରେ ଦ ସେଣ୍ଟର ଅଫ୍ ଏକ୍ସଲେନ୍ସ ଅନ୍ ଭରଚୁଆଲ ରିଅଲିଟି ଖୋଲିବା ପରେ ଅନ୍ୟ ରାଜ୍ୟ ପାଇଁ ଓଡ଼ିଶା ମଡେଲ ପାଲଟିଛି”, କହିଛନ୍ତି ଏସଟିପିଆଇ ଡିରେକ୍ଟର ଜେନେରାଲ ଓମକାର ରାୟ।

ପ୍ରଯୁକ୍ତିବିଦ୍ୟା ସାରା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ଦୈନନ୍ଦିନ ଜୀବନର ପ୍ରମୁଖ ଅଙ୍ଗ ପାଲଟି ଯାଇଛି। ନୂଆପିଢ଼ିର ପିଲାମାନେ ପରିବର୍ତ୍ତିତ ଜୀବନ ଶୈଳୀକୁ ଆପଣାଉଛନ୍ତି। ସମସ୍ତେ ଆଗକୁ ଯିବାକୁ ଚାହୁଁଛନ୍ତି। ଏଭଳି ଏକ ସମୟରେ ପ୍ରଯୁକ୍ତିବିଦ୍ୟା ସେମାନଙ୍କ ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି। ପରିବର୍ତ୍ତିତ ଜୀବନଶୈଳୀରେ ଆଇଟି ପ୍ରମୁଖ ଭୂମିକା ଗ୍ରହଣ କରିଛି”, କହିଛନ୍ତି ସିଏସଡିଏସ୍ ଅଧ୍ୟକ୍ଷ ଦାନ ମିଶ୍ର।

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର-ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ସ୍ୱତନ୍ତ୍ର ସଚିବ ନାରାୟଣ ପଲାଇ ପ୍ରମୁଖ ଏହି କନକ୍ଲେଭରେ ଉପସ୍ଥିତ ଥିଲେ।

ଏହି କନକ୍ଲେଭରେ ବହୁ ନାମୀଦାମୀ ସଫ୍ଟୱେୟାର କମ୍ପାନି ଯୋଗ ଦେଇଛନ୍ତି। ଆମେରିକାର ଏଡୋବ୍, ସିଏସଡିଏସ୍, ଜାପାନର ଏପ୍ସନ୍ ଏବଂ ଆମେରିକାର କ୍ୱାଡଜେନ୍ କମ୍ପାନିର ଅଧିକାରୀ ଯୋଗ ଦେଇଥିଲେ।

ଓଡ଼ିଶାରେ ଏହି ଶିଳ୍ପକୁ ଆଗକୁ ନେବା ପାଇଁ ସରକାର ଉଦ୍ୟମ ଜାରି ରଖିଥିବା ବେଳେ ଆଇଟି ଆସୋସିଏସନ ଅଫ ଓଡ଼ିଶା (ଆଇଟିଏଓ) ମଧ୍ୟ ପ୍ରୟାସ ଜାରି ରଖିଛି। ଏହି ଶିଳ୍ପକୁ ଓଡ଼ିଶାରେ ଆହୁରି ଆଗକୁ ନେବା ପାଇଁ ୪୦୦ରୁ ଅଧିକ ସଦସ୍ୟଙ୍କୁ ନେଇ ଗଠିତ ଆଇଟିଏଓ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ଓଡ଼ିଶାରେ ହେଉଥିବା ଆଇଟି କାରବାରରେ ପ୍ରାୟ ୭୫ ପ୍ରତିଶତ ଅର୍ଥ ଆଇଟିଏଓ ସଦସ୍ୟମାନେ ଡିଲ୍ କରିଥାନ୍ତି।

“ଓଡ଼ିଶାରେ ଆଇଟି କ୍ଷେତ୍ରକୁ ଏକ ନୂଆ ଦିଗ ଦେଖାଇବା ଏବଂ ଏହାର ଭିତ୍ତିଭୂମିକୁ ସୁଦୃଢ଼ କରିବା ହେଉଛି ଆମର ଲକ୍ଷ୍ୟ। ଆଇଟି କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିମାନଙ୍କ ପାଇଁ ଆମେ ଏକ ପ୍ଲାଟଫର୍ମ ତିଆରି କରିବାକୁ ଚାହୁଁଛୁ। ଆଇଟି ଶିଳ୍ପକୁ ଓଡ଼ିଶାରେ କିପରି ଆଗକୁ ନିଆଯାଇପାରିବ ସେ ସମ୍ପର୍କରେ ଏହି ପ୍ଲାଟଫର୍ମରେ ଆଲୋଚନା କରାଯିବା ସହ ଗ୍ରାହକମାନଙ୍କୁ ସଚେତନ କରିବାର ଲକ୍ଷ୍ୟ ରଖିଛୁ। ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାକୁ କିପରି ସଠିକ୍ ଭାବେ ବ୍ୟବହାର କରାଯାଇ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇପାରିବ ସେ ସମ୍ପର୍କରେ ଆମେ ସଚେତନ କରିବାକୁ ଯାଇ ବିଭିନ୍ନ ପଦକ୍ଷେପ ନେଉଛୁ”, କହିଛନ୍ତି ଆଇଟିଏଓ ସଭାପତି ସୌଭାଗ୍ୟ ରାଉତରାୟ।

ଓଡ଼ିଶାର ବିଭିନ୍ନ କମ୍ପାନିର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନ ତଥା ବିଶ୍ୱବିଦ୍ୟାଳୟ  ଏବଂ ଆଇଟି ବିଶେଷଜ୍ଞମାନଙ୍କୁ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ରାଜ୍ୟର ଅନେକ ଗ୍ରାହକ ମଧ୍ୟ ଏଥିରେ ଅଂଶଗ୍ରହଣକରି ଜାତୀୟ ଏବଂ ବିଶ୍ୱସ୍ତରରୁ ଆସିଥିବା ଆଇଟି ବିଶେଷଜ୍ଞଙ୍କଠାରୁ ନୂଆ ଉତ୍ପାଦ ସମ୍ପର୍କରେ ଜାଣିବାର ସୁଯୋଗ ପାଇଥିଲେ।

ଆଇଟିଏଓ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ବିଭିନ୍ନ ସରକାରୀ ସଂସ୍ଥା, କର୍ପୋରେଟ୍, ପବ୍ଲିକ ସେକ୍ଟର, ଡିଷ୍ଟ୍ରିବ୍ୟୁଟର ଏବଂ ଶିଳ୍ପୋଦ୍ୟୋଗୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ସମ୍ମାନିତ କରାଯାଇଥିଲା।

Comment