ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁକ୍ରବାର ସାରା ଦେଶ ପାଳନ କରିଛି ରଙ୍ଗର ପର୍ବ ହୋଲି। ହେଲେ ଶନିବାର ୩ଟି ରାଜ୍ୟରେ ପଳନ ହେବ ରାଜନୀତିର ହୋଲି। ଶନିବାର ରାଜନୀତିର ହୋଲି କେଉଁ ଦଳ ଖେଳିବ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଶନିବାର ଭୋଟ ଗଣତି କରାଯିବ। ତେବେ ଏହି ୩ଟି ରାଜ୍ୟରେ କେଉଁ ଦଳ ବାଜିମାତ୍ କରିବ ତା ଉପରେ ସମସ୍ତଙ୍କ ନଜର।
ନାଗାଲାଣ୍ଡରେ ୧୭ଟି କେନ୍ଦ୍ରରେ ୩୪୯ଟି ଟେବୁଲରେ ହେବ ଭୋଟ ଗଣତି। ସେହିପରି ମେଘାଳୟରେ ୧୩ଟି ଭୋଟ ଗଣତି କେନ୍ଦ୍ର କରାଯାଇଛି। ଭୋଟ ଗଣତି କେନ୍ଦ୍ର ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି ୩ଟି ରାଜ୍ୟରେ ବିଜେପି ବାଜିମାତ କରିବ ବୋଲି ଏକଜିଟ୍ ପୋଲ୍ ପୂର୍ବାନୁମାନ କରିଛି।
ତ୍ରିପୁରାରେ ବାମ ଶାସନର ଅନ୍ତ ଘଟି ବିଜେପି କ୍ଷମତାକୁ ଆସିବ ବୋଲି ଏକଜିଟ୍ ପୋଲ୍ ରିପୋର୍ଟରୁ ଜଣାପଡ଼ିଛି। ତ୍ରିପୁରାରେ ୨୫ ବର୍ଷ ହେଲା ବାମ ଶାସନ ଚାଲିଥିଲା।
୧୦ ବର୍ଷ ହେଲା ମେଘାଳୟରେ କଂଗ୍ରେସ ଶାସନ ରହିଥିବା ବେଳେ ନାଗାଲାଣ୍ଡରେ ନାଗା ପିପୁଲ୍ସ ଫ୍ରଣ୍ଟ କ୍ଷମତାରେ ରହିଛି। ଏହିସବୁ ରାଜ୍ୟରେ ବିଜେପି କଡ଼ା ଟକ୍କର ଦେଇଛି।
ତ୍ରିପୁରାରେ ଫେବ୍ରୁଆରି ୧୮ରେ ଭୋଟ ହୋଇଥିବା ବେଳେ ନାଗାଲାଣ୍ଡ ଏବଂ ମେଘାଳୟରେ ଫେବ୍ରୁଆରି ୨୭ରେ ଭୋଟ ହୋଇଥିଲା। ଏହି ୩ଟି ରାଜ୍ୟରେ ୬୦ଟି ଲେଖାଏଁ ବିଧାନସଭା ଆସନ ରହିଛି।


















