ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୧ଟି ବିଧାନସଭା ଆସନ ପାଇଥିବା କଂଗ୍ରେସକୁ ମେଘାଳୟରେ ନିରାଶ ହେବାକୁ ପଡ଼ିଛି। ୪ଟି ଦଳର ସମର୍ଥନରେ କନରାଡ୍ ସାଙ୍ଗମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ମେଘାଳୟ ମୁଖ୍ୟମନ୍ତ୍ରୀ ଭାବେ କନରାଡ୍ ସାଙ୍ଗମା ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି। ୟୁଡିପିର ୬ ବିଧାୟକ, ପିଡିଏଫ୍‌ର ୪ ବିଧାୟକ, ଏଚଏସ୍‌ପିଡିପିର ୨ ଏବଂ ବିଜେପିର ୨ ଜଣ ବିଧାୟକଙ୍କ ସହଯୋଗରେ ୪୦ ବର୍ଷିୟ ସାଙ୍ଗମା ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

୩ ତାରିଖରେ ମେଘାଳୟ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା। ୬୦ ଆସନ ବିଶିଷ୍ଟ ବିଧାନସଭାରେ କୌଣସି ଦଳକୁ ସଂଖ୍ୟା କରିଷ୍ଠତା ମିଳି ନଥିଲା। ସରକାର ଗଠନ ପାଇର୍ ୩୧ ଜଣ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ହେଉଥିବାରୁ କଂଗ୍ରେସ ଏବଂ ବିଜେପି ଜୋରଦାର ଉଦ୍ୟମ କରିଥିଲେ।

କଂଗ୍ରେସ ୨୧ଟି ଆସନ ପାଇଥିଲା। ସରକାର ଗଠନ ପାଇଁ ୧୦ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡ଼ୁଥିଲା। ମେଣ୍ଟ କରିବା ପାଇଁ କଂଗ୍ରେସ ଅନ୍ୟ ଦଳ ସହ ଆଲୋଚନା କରିଥିଲା। ହେଲେ ଆଲୋଚନା ବିଫଳ ହୋଇଥିଲା। ଶେଷରେ ୧୯ଟି ଆସନ ପାଇଥିବା ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି)କୁ ଅନ୍ୟ ୪ ଦଳ ସମର୍ଥ କରିବାରୁ ସାଙ୍ଗମା ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ସାଙ୍ଗମାଙ୍କ ସମେତ ୧୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।

ସାଙ୍ଗମାଙ୍କ ରାଜନୀତି ଯାତ୍ରା

କନରାଡ୍ ସାଙ୍ଗମାଙ୍କ ରାଜନୀତି ଯାତ୍ରା ଆରମ୍ଭ ହୁଏ ୧୯୯୦ରୁ। ପାଠ ପଢ଼ା ଶେଷ କରିବା ପରେ କନରାଡ୍ ତାଙ୍କ ବାପା ପି ଏ ସାଙ୍ଗମାଙ୍କ ପାଇଁ ପ୍ରଚାର କରିଥିଲେ। ୨୦୦୪ରେ ସେ ଏନସିପି ପାର୍ଟିରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ୧୮୨ ଭୋଟରେ ପରାଜିତ ହୋଇଥିଲେ।

୨୦୦୮ରେ ସେ ପ୍ରଥମ ଥର ପାଇଁ ମେଘାଳୟ ବିଧାନସଭାକୁ ନିର୍ବାଚିତ ହୋଇ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ। ୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ ସାଙ୍ଗମା ମେଘାଳୟ ବିଧାନସଭାରେ ବିରୋଧୀ ଦଳ ନେତା ରହିଥିଲେ। ୨୦୧୬ରେ ସେ ନ୍ୟାସନାଲ ପିପୁଲ୍ସ ପାର୍ଟିର ରାଷ୍ଟ୍ରୀ ସଭାପତି ଭାବେ ନିର୍ବାଚିତ ହୋଇଥିଲେ।

Comment