ଓଡ଼ିଶାଲାଇଭ୍‌ ପ୍ରମୁଖ ପ୍ରତିନିଧି

  • ବିଜେଡିରେ ମିଶିଲେ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ
  • ଓଡ଼ିଶାର ସ୍ଵାର୍ଥ, ସ୍ଵାଭିମାନ ଓ ବିକାଶ ପାଇଁ ମିଶିଲି: ସୌମ୍ୟରଞ୍ଜନ
  • ମୁଖ୍ୟମନ୍ତ୍ରୀଙ୍କ ସାମାଜିକ ପ୍ରତିବଦ୍ଧତା ମୋତେ ଆକର୍ଷିତ କରିଛି: ଅଚ୍ୟୁତ
  • ବିଜେଡି ଶିବିରରେ ଉଡ଼ୁଛି ଚୌକା ଓ ଛକା

ବିଜେଡି ଶିବିରରେ ଏବେ ମଳୟ ବହୁଛି। ନେତା ଓ ମନ୍ତ୍ରୀଙ୍କ ମନରେ ଚୌକା ଓ ଛକା। ନବୀନ ପଟ୍ଟନାୟକଙ୍କ ଯାଦୁ ଛଡ଼ିରେ ବହୁ ଅସମ୍ଭବ ସମ୍ଭବ ହେଉଛି। ବିଜେପୁର ଦୁର୍ଗରେ ବିଜୟ ପରେ ଆଜି ନବୀନ ବିରୋଧୀଙ୍କୁ ପକାଇଛନ୍ତି ଦୁଇଦୁଇଟି ଗୁଗୁଲି। ଦୁଇ ଜଣାଶୁଣା ବ୍ୟକ୍ତିତ୍ଵ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଅଚ୍ୟୁତ ସାମନ୍ତ ଆଜି ଦଳରେ ଯୋଗ ଦେବା ପରେ ବିଜେଡିର ପଲା ଆହୁରି ଭାରି ହୋଇଥିବା ନବୀନଙ୍କ ଶିବିର ମନେକରୁଛି।

‘ସମ୍ବାଦ’ର ସମ୍ପାଦକ ତଥା ଆମ ଓଡ଼ିଶା ପାର୍ଟିର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରେ ମିଶିବେ ବୋଲି ଗତ କିଛିଦିନ ହେଲା ଚର୍ଚ୍ଚା ଚାଲିଥିଲା। ସେହି ଚର୍ଚ୍ଚା ଆଜି ସତ୍ୟରେ ପରିଣତ ହୋଇଛି। ଆଜି ନବୀନ ନିବାସରେ ପହଞ୍ଚି ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି ସୌମ୍ୟ। ତାଙ୍କର ଏହି ମିଳନ ଫଳରେ ଆମ ଓଡ଼ିଶା ପାର୍ଟି ସତ୍ତା ହରାଇ ବସିଛି।

ହେଲେ ସୌମ୍ୟଙ୍କୁ ଟପିଯାଇଛନ୍ତି କିସ୍‌ ଓ କିଟ୍‌ର ପ୍ରତିଷ୍ଠାତା ତଥା ସମାଜସେବୀ ଅଚ୍ୟୁତ ସାମନ୍ତ। ନବୀନ-ସୌମ୍ୟ ଭେଟଘାଟ୍ ଦିନଠାରୁ ବିଜେଡିରେ ସୌମ୍ୟଙ୍କ ମିଶିବାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲାବେଳେ ନବୀନ-ଅଚ୍ୟୁତଙ୍କ ଚୋରାପ୍ରୀତି ବିଷୟରେ କେହି ଟେର୍ ପାଇନଥିଲେ। ଆଜି ଅଚ୍ୟୁତ ସାମନ୍ତ ନବୀନ ନିବାସରେ ପହଞ୍ଚି ଦଳରେ ସାମିଲ୍ ହେବା ସହ ନବୀନଙ୍କ ପ୍ରତି ତାଙ୍କର ଗଭୀର ସମ୍ମାନ ମିଡିଆ ଆଗରେ ବର୍ଣ୍ଣନା କରିଥିଲେ।

ଅଚ୍ୟୁତ ସାମନ୍ତ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀରେ ସେ ବେଶ୍ ପ୍ରଭାବିତ। ବିଶେଷକରି ନବୀନଙ୍କ ଭାବମୂର୍ତ୍ତି ଓ ସାମାଜିକ ପ୍ରତିବଦ୍ଧତା ତାଙ୍କୁ ଅତ୍ୟଧିକ ଆକର୍ଷିତ କରିଛି। ଏହି କାରଣରୁ ସେ ରାଜନୀତି କ୍ଷେତ୍ରକୁ ଆସିବାକୁ ଚାହିଁଲେ ଓ ବିଜେଡିରେ ଯୋଗ ଦେବାକୁ ସ୍ଥିର କଲେ।

ଆଜି ଗଣମାଧ୍ୟମ ପ୍ରତିନିଧିମାନେ ସୌମ୍ୟଙ୍କ ପରେପରେ ଅଚ୍ୟୁତଙ୍କୁ ଦେଖି ଟେରା ହୋଇଯାଇଥିଲେ। ସେମାନେ ସିଧାସଳଖ ପ୍ରଶ୍ନ କରିଥିଲେ ଯେ ସମାଜସେବା କ୍ଷେତ୍ରରେ ଏତେ ବାଟ ଆସିବା ପରେ ରାଜନୀତିରେ ଯୋଗ ଦେବା କ’ଣ ନିହାତି ଜରୁରୀ ଥିଲା? ଅଚ୍ୟୁତ ସାମନ୍ତ ଏହାର ଉତ୍ତରରେ କହିଥିଲେ ଯେ ରାଜନୀତି ହେଉଛି ଏକ ବୃହତ୍ତର ସମାଜସେବା। ତେଣୁ ସେ ବିଜେଡିରେ ଯୋଗ ଦେବା ଫଳରେ କାର୍ଯ୍ୟ ଆହୁରି ଦୃଢ଼ୀଭୂତ ହେବ।

ବିଜେଡିରେ ଯୋଗ ଦେବାକୁ ନେଇ ଦଳ ପକ୍ଷରୁ ଆପଣଙ୍କୁ କିଛି ପୁରସ୍କାରର ପ୍ରତିଶ୍ରୁତି ମିଳିଛି କି? ଡକ୍ଟର ଅଚ୍ୟୁତ ସାମନ୍ତ କହିଥିଲେ ଯେ ସମାଜସେବା କ୍ଷେତ୍ରରେ ସେ ଅନେକ ସଫଳତା ପାଇଛନ୍ତି। କିଟ୍‌ ଓ କିସ୍‌ ଭଳି ଦୁଇଦୁଇଟି ବଡ଼ ଅନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି। ତେଣୁ କୌଣସି ଲାଭର ଆଶା ରଖି ସେ ରାଜନୀତି କ୍ଷେତ୍ରକୁ ଆସିନାହାନ୍ତି।

ସାମ୍ବାଦିକମାନେ ଆଉ ଏକ ପାଦ ଆଗକୁ ଯାଇ ଅଚ୍ୟୁତ ସାମନ୍ତଙ୍କୁ ପଚାରିଥିଲେ ରାଜନୀତି ଆପଣଙ୍କୁ ପଥଭ୍ରଷ୍ଟ କରିବ ନାହିଁ ତ? ଏହି ଜଟିଳ ପ୍ରଶ୍ନର ସରଳ ଉତ୍ତର ଦେଇ ଡକ୍ଟର ଅଚ୍ୟୁତ ସାମନ୍ତ କହିଥିଲେ ସେଭଳି କୌଣସି ଆଶଙ୍କାକୁ ସମସ୍ତେ ମନରୁ କାଢ଼ି ଦିଅନ୍ତୁ।

ଅଚ୍ୟୁତଙ୍କ ବିଜେଡିରେ ଯୋଗଦାନ ପଛର କାରଣ?

ଅଚ୍ୟୁତ ସାମନ୍ତ ଗତ ଦୁଇ ଦଶନ୍ଧି ମଧ୍ୟରେ କିଟ୍‌ ଓ କିସ୍‌ ଭଳି ଦୁଇଟି ଅନୁଷ୍ଠାନକୁ  ଆଗକୁ ନେଇ ନିଜ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି। କେବଳ ଓଡ଼ିଶା ନୁହେଁ, ଭାରତ ବାହାରେ ମଧ୍ୟ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ବିଶେଷକରି ଇଣ୍ଡିଆନ୍ ସାଇନ୍ସ କଂଗ୍ରେସର ସଭାପତି ଭାବେ ସେ ମନୋନୀତ ହେବା ପରେ ତାଙ୍କ ପରିଚୟ ଏକ ନୂଆ ଉଚ୍ଚତାକୁ ଯାଇଥିଲା।

ସମାଜସେବା କ୍ଷେତ୍ରରେ ଏତେ ବାଟ ଆସିବା ପରେ ଡକ୍ଟର ଅଚ୍ୟୁତ ସାମନ୍ତ ହଠାତ୍ ରାଜନୀତିରେ ଯୋଗ ଦେବାକୁ ଲୋକେ ସହଜରେ ଗ୍ରହଣ କରିନପାରନ୍ତି। ତେଣୁ ଅଚ୍ୟୁତ ସାମନ୍ତ ନବୀନବାବୁଙ୍କ ବ୍ୟକ୍ତିତ୍ଵରେ ପ୍ରଭାବିତ ହୋଇ ରାଜନୀତି କ୍ଷେତ୍ରକୁ ଆସିବାକୁ ଚାହିଁଲେ ନା ଏହା ତାଙ୍କର ଏକ ଆବଶ୍ୟକତା – ଏ ସମ୍ପର୍କରେ ଚର୍ଚ୍ଚା ହେଉଛି।

ଅତୀତରେ ଦୁଇଦୁଇଥର ପଦ୍ମଶ୍ରୀ ପାଇଁ ଅଚ୍ୟୁତ ବାବୁଙ୍କ ନାଁ ସୁପାରିଶ ହୋଇଥିଲେ ମଧ୍ୟ ତାଙ୍କୁ ସେହି ସମ୍ମାନ ପ୍ରାପ୍ତି ହୋଇନାହିଁ। ଏହା ପଛରେ ରାଜନୀତିକକାରଣ ଥିବା ପ୍ରତିଥର ଆଲୋଚନା ହୋଇଛି। ତେଣୁ ଆଲୋଚନା ହେଉଛି ଯେ କେନ୍ଦ୍ର ଓ ରାଜ୍ୟ ରାଜନୀତିର ଲଢ଼େଇ ଭିତରେ ଡକ୍ଟର ଅଚ୍ୟୁତ ସାମନ୍ତ ନବୀନଙ୍କ ଶିବିରରେ ଯୋଗଦେବା ଅଧିକ ସୁରକ୍ଷିତ ଓ ଲାଭଦାୟକ ଏ କଥା ଚିନ୍ତା କରି ଏହି ନିଷ୍ପତି ନେଇଥାଇପାରନ୍ତି।

ରାଜ୍ୟସଭାକୁ ଯିବେ ଅଚ୍ୟୁତ

ବୁଧୁବାରଦିନ ଡକ୍ଟର ଅଚ୍ୟୁତ ସାମନ୍ତ ବିଜେଡିରେ ଯୋଗଦେବା କେବଳ ଏକ ସଂଯୋଗ ନା ଏହା ପଛରେ କୌଣସି ପଲିଟିକାଲ୍ ଡିଜାଇନ୍ ରହିଛି ତାହା ଏକ ପ୍ରଶ୍ନ। କାରଣ ସନ୍ଧ୍ୟା ୫ଟାବେଳେ ତିନି ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସୂଚନା ଦେଇଛନ୍ତି ସେଥିରେ ଅଚ୍ୟୁତଙ୍କ ନାଁ ଥାଇପାରେ – ଏଇ ମୁହୂର୍ତ୍ତରେ ଅନ୍ତତଃ ଏହି କଥା ଅନେଶତ ଭାଗ ସତ ଭଳି ମନେହେଉଛି!

ଏକ୍ କେ ବଦ୍‌ଲେ ଦୋ

ଏବେ ବିଜେଡି ରାଜନୀତିରେ ଏକ ନୂଆ ଗଣିତ ନେଇ ଚର୍ଚ୍ଚା ଜୋର ଧରିଛି। ଗତ କିଛିଦିନ ଧରି ବଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମାଲିକାନାରେ ଥିବା ଟିଭି ଚ୍ୟାନେଲ୍ ନବୀନଙ୍କୁ ଝାଡ଼ୁ ମାରିବା ଆରମ୍ଭ କରିଛି! ଏହାକୁ ନେଇ ନବୀନଙ୍କ ଶିବିରରେ ଟେନ୍‌ସନ୍‌ କଥା କାହାକୁ ଅଛପା ନାହିଁ। ହେଲେ ଆଜି ଦଳରେ ସୌମ୍ୟରଞ୍ଜନ ଓ ଅଚ୍ୟୁତଙ୍କ ଯୋଗଦାନ ‘ଏକ୍ କେ ବଦ୍‌ଲେ ଦୋ’ ବୋଲି ଲୋକେ କୁହାକୁହି ହେଉଛନ୍ତି। କାରଣ ଶଙ୍ଖ ଧରିଥିବା ଏହି ଦୁଇ ମିଡିଆ ବ୍ୟକ୍ତିତ୍ଵଙ୍କ ମାଲିକାନାରେ ଏକାଧିକ ମିଡିଆ ରହିଛି।

ବିଜେପୁର ଉପନିର୍ବାଚନରେ ଆସନ ହାସଲ କରିବା ପାଇଁ ବେଶ୍ ଦୃଢ଼ମନା ଥିଲା ବିଜେପି। ହେଲେ ଏଥିରେ ବିଜେଡି କେବଳ ବିଜେପିକୁ ପଛରେ ପକାଇଲା ନାହିଁ ବରଂ ଏକ ଆଖିଦୃଶିଆ ଭୋଟ ବ୍ୟବଧାନ ସୃଷ୍ଟି କରି ପଦ୍ମଦଳକୁ ଚମକାଇ ଦେଇଥିଲା। ତେବେ ଆଜିର ଏହି ଦୁଇ ବ୍ୟକ୍ତିଙ୍କ ବିଜେଡିରେ ଯୋଗଦାନ ଫଳରେ ନବୀନ ତାଙ୍କ ବିରୋଧୀଙ୍କୁ ଦୁଇଦୁଇଟି ଗୁଗୁଲି ଫୋପାଡ଼ିଛନ୍ତି।

Keywords: #BJD #NaveenPatnaik #Politics #OdishaPolitics #RajyaSabhaPolitics

Comment