ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟସଭା ପ୍ରାର୍ଥୀ ଘୋଷଣା ହେବାର ଦିନକ ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ନେତ୍ରୀ ଜ୍ୟୋତି ପାଣିଗ୍ରାହୀ। ତାଙ୍କୁ ରାଜ୍ୟସଭା ଟିକେଟ ନମିଳିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି।

ମାର୍ଚ୍ଚ ୨୩ରେ ରାଜ୍ୟସଭା ପାଇଁ ଭୋଟ। ଓଡ଼ିଶାରୁ ୩ଟି ଆସନ ପାଇଁ ହେବ ନିର୍ବାଚନ। ଏନେଇ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି। ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ, ଡକ୍ଟର ଅଚ୍ୟୁତ ସାମନ୍ତ ଏବଂ ପ୍ରଶାନ୍ତ ନନ୍ଦଙ୍କୁ ପ୍ରାର୍ଥୀ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସୌମ୍ୟ ଏବଂ ଅଚ୍ୟୁତ ବିଜେଡିରେ ମିଶି ରାଜ୍ୟସଭା ପ୍ରାର୍ଥୀ ହୋଇଥିବାରୁ ବିଜେଡି ଶିବିରରେ ଉତ୍ସାହ ଦେଖାଦେଇଛି। ହେଲେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ନେତ୍ରୀ ଜ୍ୟୋତି ପାଣିଗ୍ରାହୀ।

ଜ୍ୟୋତି ପାଣିଗ୍ରାହୀ କହିଛନ୍ତି, “ବିଜୁ ବାବୁ ମୋତେ ରାଜନୀତିକୁ ଆଣିଥିଲେ। ବିଜେଡି ଗଠନ ହେବା ପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ମୁଁ କାମ କରୁଛି। ଯେତେବେଳେ ଯାହା ଦାୟିତ୍ୱ ଦିଆଯାଇଛି ତାହାକୁ ମୁଁ ସୁଚାରୁରୂପେ କରିଛି। ଦଳ ପକ୍ଷରୁ ମୋତେ ଏଥର ରାଜ୍ୟସଭା ପଠାଯିବ ବୋଲି ଆଶା କରିଥିଲି। ହେଲେ ଅନ୍ୟମାନଙ୍କୁ ପଠାଗଲା। ମୋତେ ନିରାଶ ହେବାକୁ ପଡ଼ିଛି।”

ରାଜ୍ୟସଭା ଟିକେଟ ଘୋଷଣା ହେବାର ଦିନକ ପୂର୍ବରୁ ଜ୍ୟୋତି ପାଣିଗ୍ରାହୀ ଦୃଢ଼ତାର ସହ କହିଥିଲେ ଯେ ବିଜେଡି ସଭାପତି ତାଙ୍କ କଥା ବିଚାର କରିବେ। ରାଜ୍ୟସଭା ଯିବା ପାଇଁ ତାଙ୍କର ଇଚ୍ଛା ଥିବାରୁ ସେ ବିଜେଡି ସଭାପତିଙ୍କ ନିକଟରେ ଆବେଦନ କରିଥିଲେ। ହେଲେ ଏହି ମନ୍ତବ୍ୟ ଦେବାର ଦିନକ ପରେ ସବୁ ଗଣିତ ବଦଳି ଯାଇଥିଲା। ଜ୍ୟୋତି ପାଣିଗ୍ରାହୀଙ୍କ ବଦଳରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ଅଚ୍ୟୁତ ସାମନ୍ତଙ୍କୁ ଦଳରେ ମିଶାଯାଇ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି।

LEAVE A REPLY

Please enter your comment!
Please enter your name here