ଓଡ଼ିଶାଲାଇଭ୍‍ ବ୍ୟୁରୋ

  • ଶିକ୍ଷିତ ସମାଜ ଦେଶର ସାମାଜିକ ଓ ଆର୍ଥିକ ବିକାଶ ନିମନ୍ତେ ନିହାତି ଆବଶ୍ୟକ
  • ବ୍ୟାଙ୍କିଙ୍ଗ ପ୍ରଣାଳୀ ଦୃଢ଼ କରିବା ପାଇଁ ଭାରତର ଅଧିକରୁ ଅଧିକ ନାଗରିକଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିରେ ସାମିଲ ହେବାକୁ ପଡ଼ିବ
  • ଜନସାଧାରଣଙ୍କୁ ଆର୍ଥିକ ସାକ୍ଷରତା ପ୍ରଦାନ ସେମାନଙ୍କୁ ଠକ ଯୋଜନା ଓ ନୀତି ନିୟମ ସମ୍ବନ୍ଧରେ ସୂଚାଇବ

“ସମାଜର ଉନ୍ନତି ନିମନ୍ତେ ଆର୍ଥିକ ସାକ୍ଷରତା ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଆର୍ଥିକ ଅନ୍ତର୍ଭୁକ୍ତି ମଧ୍ୟ ବିଶେଷ ଭାବେ ଦେଶର ଆର୍ଥ-ସାମାଜିକ ବିକାଶ ଦିଗରେ ଅତି ଆବଶ୍ୟକ” ବୋଲି କହିଥିଲେ ଓଡ଼ିଶାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ସ୍ଥାନୀୟ ଜୟଦେବ ଭବନଠାରେ ଆର୍ଥିକ ସାକ୍ଷରତା ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଉପରେ ହେଉଥିବା ରାଜ୍ୟସ୍ତରୀୟ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶ୍ରୀ ସାମଲ ଏହି ବକ୍ତବ୍ୟ ପ୍ରଦାନ କରିଥିଲେ। ଅଭ୍ୟୁତ୍‌ଥାନ ଫାଇନାନ୍ସିଆଲ ଲର୍ଣ୍ଣିଂ ସେଂଟର ଦ୍ୱାରା ପ୍ରୋତ୍ସାହିତ ଓଡ଼ିଶା ଫାଇନାନ୍ସିଆଲ ଲିଟେରାସି ଫୋରମ୍ ପକ୍ଷରୁ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା।

ଏହି ସମ୍ମିଳନୀରେ ଏମରଜିଙ୍ଗ ଚ୍ୟାଲେଞ୍ଜେସ୍ ଆଣ୍ଡ ଅପରଚ୍ୟୁନିଟି ଫର୍ ଇନ୍ଭେଷ୍ଟରସ୍ ଆଣ୍ଡ ଇନ୍‌ଷ୍ଟିଚ୍ୟୁସନ୍ସ୍ ବିଷୟରେ ବକ୍ତାମାନେ ଆଲୋଚନା କରିଥିଲେ। ଉଦ୍ଘାଟନୀ ସମାରୋହରେ ସେବିର ପୂର୍ବତନ ପୂର୍ଣ୍ଣକାଳୀନ ସଦସ୍ୟ ପ୍ରଶାନ୍ତ ସରନ୍, ଆର୍‌ବିଆଇର ପୂର୍ବତନ ମୁଖ୍ୟ ମହାପ୍ରବନ୍ଧକ ପି କ୍ରିଷ୍ଣମୂର୍ତି, ଦୋହା ବ୍ୟାଙ୍କର ନିର୍ଦ୍ଦେଶକ ଡକ୍ଟର କେ ସି ମିଶ୍ର, ଆରବିଆଇ ଭୁବନେଶ୍ୱରର ଦ୍ୱାୟିତ୍ୱପ୍ରାପ୍ତ ମହାପ୍ରବନ୍ଧକ ମାନବେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

“ସରକାର ବ୍ୟାଙ୍କ ମାଧ୍ୟମରେ ସମସ୍ତ ପ୍ରକାର ଅଫିସିଆଲ ନେଣଦେଣ ଆରମ୍ଭ କରଛନ୍ତି। ତେଣୁ ସାଧାରଣ ଜନତାଙ୍କୁ ବ୍ୟାଙ୍କିଙ୍ଗ ପଦ୍ଧତି ଏବଂ ନୀତିନିୟମ ସମ୍ବନ୍ଧରେ ଅବଗତ କରାଇବା ନିହାତି ଆବଶ୍ୟକ। କେବଳ ଆର୍ଥିକ ସାକ୍ଷର ହେଲେ ଚଳିବ ନାହିଁ, ବ୍ୟାଙ୍କିଙ୍ଗ ପଦ୍ଧତିକୁ ସୁଦୃଢ଼ କରିବାକୁ ହେଲେ ଅଧିକରୁ ଅଧିକ ଜନସାଧାରଣଙ୍କୁ ଆର୍ଥିକ ରୂପରେ ସାମିଲ କାରିବାକୁ ପଡ଼ିବ”, କହିଥିଲେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସିକ୍ୟୁରିଟିଜ୍ ମାର୍କେଟସ୍ (ଏନ୍ଆଇଏସ୍ଏମ୍) ମୁମ୍ବାଇର ନିର୍ଦ୍ଦେଶକ ସନ୍ଦିପ ଘୋଷ ।

ଅର୍ଥନୈତିକ କ୍ଷେତ୍ର ସହ ଜଡ଼ିତ ପ୍ରମୁଖ ବ୍ୟକ୍ତି ଏବଂ ଅନୁଷ୍ଠାନ, ବ୍ୟାଙ୍କ ଅଫିସର, ଏକାଡେମିଆ, ଇନ୍‌ସ୍ୟୁରାନ୍ସ, ମ୍ୟୁଚୁଆଲ୍ ଫଣ୍ଡ୍ ସହ ଜଡ଼ିତ ବିଶେଷଜ୍ଞ, ଏମ୍ଏସ୍ଏମ୍ଇର ଉଦ୍ୟୋଗପତି, ଅର୍ଥନୈତିକ ଜଗତ ସହ ଜଡ଼ିତ ପ୍ରତିନିଧି ଏବଂ ଖ୍ୟାତନାମା ବିଜିନେସ୍ ସ୍କୁଲର ଛାତ୍ରଛାତ୍ରୀମାନେ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ।

ଯୁବ, ମହିଳା ଏବଂ ସ୍ୱଳ୍ପ ଆୟ ସମୂହଙ୍କୁ ଆର୍ଥିକ ସାକ୍ଷରତା ଜରିଆରେ ସଶକ୍ତ କରି ସମାଜ ଗଠନ କରିବା ଲକ୍ଷ୍ୟ ନେଇ ଏଏଫ୍ଏଲ୍‌ସି କାମ କରେ। କେବଳ ଜନସାଧାରଣଙ୍କୁ ଆର୍ଥିକ ଶିକ୍ଷା ପ୍ରଦାନ ନୁହେଁ, ଠିକ ଯୋଜନା ଓ ନୀତି ନିୟମ ସମ୍ବନ୍ଧରେ ସୂଚାଇବା ନିମନ୍ତେ ମଧ୍ୟ ତାଙ୍କ ସଂସ୍ଥା କାର୍ଯ୍ୟ କରେ ବୋଲି ଏଏଫ୍ଏଲସିର ପ୍ରତିଷ୍ଠାତା ଓ ପରିଚାଳନା ଅଂଶୀଦାର ଦାଶରଥୀ ମିଶ୍ର ସୂଚନା ଦେଇଥିଲେ।

ଏହି ସମ୍ମିଳନୀରେ ୨୦୦୯ରେ ଅର୍ଥନୈତିକ ଶିକ୍ଷା ପାଇଁ ଭାରତ ସରକାର ପ୍ରଣୟନ କରିଥିବା ରାଷ୍ଟ୍ରୀୟ ନୀତି ଓ ଅର୍ଥନୈତିକ କ୍ଷେତ୍ର ଏବଂ ବିକାଶକୁ ଆଗକୁ ବଢ଼ାଇବା ଉପରେ ଆଲୋଚନା ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଆଇଡିବିଆଇ କ୍ୟାପିଟାଲ ସର୍ଭିସେସ୍ ମୁମ୍ବଇର ଉପ-ସହ-ସଭାପତି ଶିବ ମିଶ୍ର, ନାବାର୍ଡର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏସ୍ କେ ମିତ୍ର, ଆର୍‌ବିଆଇ ହାଇଦ୍ରାବାଦର ପୂର୍ବତନ ଆଚଂଳିକ ନିର୍ଦ୍ଦେଶକ କେ ଆର୍ ଦାସ, ଆରବିଆଇର ପୂର୍ବତନ ମହାପ୍ରବନ୍ଧକ ସିଲାଦିତ୍ୟ ଚୌଧୁରୀ ଏବଂ ସେଣ୍ଟ୍ରାଲ ଡିପୋଜିଟରି ସର୍ଭିସେସ୍ ଲିମିଟେଡ୍ ଓ ନିର୍ମଳ ବ୍ୟାଙ୍ଗ ସିକ୍ୟୁରିଟିଜ୍ ଲିମିଟେଡ୍ କୋଲକାତାର ସଦସ୍ୟମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ।

Comment