ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର: ଚନ୍ଦନେଶ୍ୱର ମହାଦେବଙ୍କ ପୀଠରେ ଆୟୋଜିତ ହେବାକୁ ଥିବା ପ୍ରସିଦ୍ଧ ଚଡ଼କ ମେଳା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଏହି ବୈଠକରେ ଅଧ୍ୟକ୍ଷତା କରି ଚଡକ ମେଳାର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରସ୍ତୁତି ସମ୍ପର୍କରେ ଉପସ୍ଥିତ ଅଧିକାରୀ ଏବଂ ଚନ୍ଦନେଶ୍ୱର ମହାଦେବ ଟ୍ରଷ୍ଟବୋର୍ଡର ସଦସ୍ୟ-ସଦସ୍ୟାମାନଙ୍କ ସହ ଆଲୋଚନା କରିଥିଲେ। ଭୋଗରାଇ ତହସିଲଦାର ରାମଚନ୍ଦ୍ର କିସ୍କୁ ଗତବର୍ଷ ବୈଠକର ବିବରଣୀ ପାଠ କରିବା ସହିତ ୨୦୧୭ ମସିହା ଚଡକ ମେଳାର ଆୟ ଓ ବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ। ଏହାପରେ ଚଳିତବର୍ଷର ଚଡକ ମେଳାର ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଚଳିତବର୍ଷ ପ୍ରସିଦ୍ଧ ଚଡକ ମେଳା ଏପ୍ରିଲ ୨ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏପ୍ରିଲ ୧୨ ତାରିଖ ଦିନ ମହାନୀଳ ପର୍ବ ଏବଂ ଏପ୍ରିଲ ୧୩ ତାରିଖ ଦିନ ମହାପାଟ ପର୍ବ ଅନୁଷ୍ଠିତ ହେବ। ଶ୍ରଦ୍ଧାଳୁମାନଙ୍କ ସୁବିଧା ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ ଲାଗି ବୈଠକରେ ମତପ୍ରକାଶ ପାଇଥିଲା। ବିଶେଷ କରି ଭକ୍ତମାନଙ୍କର ଯାତାୟତଜନିତ ଅସୁବିଧାକୁ ଦୂର କରିବା ପାଇଁ  ଜବରଦଖଲ ହଟାଇବା ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଆଲୋକ ସଜ୍ଜା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯିବା ସହିତ ଉଚ୍ଚ ସ୍ୱରରେ ଡାକବାଜି ଯନ୍ତ୍ର କିମ୍ବା ଡି.ଜେ ବଜାଇବା ଉପରେ କଟକଣା ଜାରି କରିବାକୁ ବୈଠକରେ କୁହାଯାଇଥିଲା। ସେହିପରି ସ୍ୱାସ୍ଥ୍ୟ, ସଫେଇ ଗୁରୁତ୍ୱାରୋପ କରାଯାଇଥିଲା। ଏତଦବ୍ୟତୀତ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା, ଆଇନ ଶୃଙ୍ଖଳା, ଯାନବାହାନ ବ୍ୟବସ୍ଥା ଏବଂ ଟ୍ରାଫିକ ନିୟନ୍ତ୍ରଣ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଇତ୍ୟାଦି ଉପରେ ସବିଶେଷ ଆଲୋଚନା କରାଯାଇଥିଲା।

ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ବାଲେଶ୍ୱର ଉପଜିଲ୍ଲାପାଳ ଭବତାରଣ ସାହୁ, ଭୋଗରାଇ ବ୍ଲକ ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରା, ଭୋଗରାଇ ବି.ଡି.ଓ. ଦୀପ୍ତିରଂଜନ ସେଠୀ, ପୂର୍ବତନ ସାଂସଦ ଡକ୍ଟର କାର୍ତ୍ତିକେଶ୍ୱର ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିବେକାନନ୍ଦ ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମେଶ ପାଣିଗ୍ରାହୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ମହାପାତ୍ରଙ୍କ ସମେତ ଟ୍ରଷ୍ଟ ବୋର୍ଡର ସଦସ୍ୟ-ସଦସ୍ୟା ଉପସ୍ଥିତ ଥିଲେ।

Comment