ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ବଜେଟରେ ରାଜ୍ୟ ସରକାର କ୍ରୀଡ଼ାର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି। ୨୦୧୮ ନଭେମ୍ବରରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

୨୦୧୮ ନଭେମ୍ବରରେ କଳିଙ୍ଗ ଷ୍ଟାଡିୟମରେ ହେବ ପୁରୁଷ ହକି ବିଶ୍ୱକପ୍। ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି। ନୂଆଦିଲ୍ଲୀରେ ଭାରତୀୟ ହକି ଖେଳାଳିଙ୍କ ଜର୍ସି ଉନ୍ମୋଚନ କରିବା ସହ ଏହି ବିଶ୍ୱକପ୍ କିପରି ଆକର୍ଷଣୀୟ ହୋଇପାରିବ ସେନେଇ ଚାଲିଛି ମାନସମନ୍ଥନ। ଏହି ବିଶ୍ୱକପ୍‌କୁ ଆହୁରି ଆକର୍ଷଣୀୟ କରିବା ପାଇଁ ଚଳିତ ବଜେଟ୍‌ରେ ରାଜ୍ୟ ସରକାର କରିଛନ୍ତି ସ୍ୱତନ୍ତ୍ର ବ୍ୟବସ୍ଥା। ଏଥିପାଇଁ ୧୨୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର।

କେବଳ ହକି ବିଶ୍ୱକପକୁ ନୁହେଁ, କ୍ରୀଡ଼ା ବିକାଶକୁ ଗୁରୁତ୍ୱ ଦେଇଛନ୍ତି ସରକାର। କଳିଙ୍ଗ ଷ୍ଟାଡିୟମର ବିକାଶ ସହିତ ରାଉରକେଲା ଓ ବ୍ରହ୍ମପୁରରେ କ୍ରୀଡ଼ାର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନେଇଛନ୍ତି ସରକାର। ସେହିପରି କୋଣାର୍କରେ ସନ୍ ଆଣ୍ଡ ସ୍ୟାଣ୍ଡ ମାରାଥନ ପାଇଁ ୧୫ କୋଟି ଟଙ୍କା ବ୍ୟବୟରାଦ କରିଛନ୍ତି। ବିଜୁ ଯୁବ ବାହିନୀ ପାଇଁ ୧୦୩ କୋଟି ଟଙ୍କା ବ୍ୟବସ୍ଥା ହୋଇଛି।

ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଓ ପରିଚାଳନା ପାଇଁ ସ୍ୱର୍ଣ୍ଣ ଯୋଜନାରେ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କ୍ରୀଡ଼ା ଓ ଯୁବ ସେବା ବିଭାଗ ପାଇଁ ୩୪୧ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର।

ଏସୀୟ କ୍ରୀଡ଼ା ପ୍ରତିଯୋଗିତା, ବିଶ୍ୱ ହକି ଲିଗ୍, ଭାରତୀୟ ସୁପର ଲିଗ୍ ଫୁଟବଲ୍ ଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରି ରାଜ୍ୟ ସରକାର ବିଶ୍ୱରେ ପ୍ରଶଂସିତ ହୋଇଛନ୍ତି।

Comment