ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଣ କଂଗ୍ରେସ ଏବଂ ଅଣ ବିଜେପି ମେଣ୍ଟ ଗଠନ କରିବା ପାଇଁ ଦିଲ୍ଲୀରେ ଡେରା ପକାଇଛନ୍ତି ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ। ବିଭିନ୍ନ ଆଞ୍ଚଳିକ ଦଳର ନେତାଙ୍କୁ ଭେଟି ତୃତୀୟ ସମ୍ମୁଖ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ବିଜେପି ଏବଂ କଂଗ୍ରେସ ବିରୋଧୀ ପ୍ଲାଟଫର୍ମ ଗଠନ କରିବାକୁ ଲାଗି ପଡ଼ିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ। କିଛିଦିନ ତଳେ ଟିଆର୍‌ଏସ୍‌ ନେତା କେ ଚନ୍ଦ୍ରଶେଖର ରାଓ ତୃତୀୟ ସାମ୍ମୁଖ୍ୟ ଗଠନ ସମ୍ପର୍କରେ ମମତାଙ୍କ ସହ ଆଲୋଚନା କରିବା ପରେ ମମତା ଏବେ ଏହି ଅଭିଯାନକୁ ଜୋର୍ କରିଛନ୍ତି।

ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ଅନ୍ୟ ଦଳର ସହଯୋଗ ଆଶାରେ ମମତା ମଙ୍ଗଳବାର ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀରେ ମମତା କିଛି ନେତାଙ୍କୁ ଭେଟିଛନ୍ତି। ଏନସିପି, ଶିବସେନା, ଟିଆର୍‌ଏସ୍‌, ଟିଡିପି, ଆରଜେଡି ଏବଂ ସମାଜବାଦୀ ପାର୍ଟିର ନେତାଙ୍କୁ ଭେଟି ତୃତୀୟ ସାମ୍ମୁଖ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ହେଲେ ଏହି ଦଳ ମଧ୍ୟରୁ କିଏ ତୃତୀୟ ସାମ୍ମୁଖ୍ୟକୁ ସମର୍ଥନ କରୁଛନ୍ତି ଏବଂ କିଏ କରୁ ନାହାନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ମମତା ଦିଲ୍ଲୀରେ ଏନସିପି ନେତା ଶରଦ ପାୱାର, ଆର୍‌ଜେଡି ନେତ୍ରୀ ତଥା ଲାଲୁ ପ୍ରସାଦ ଯାଦବଙ୍କ ଝିଅ ମିସା ଭାରତୀ, ଶିବସେନା ସାଂସଦ ସଞ୍ଜୟ ରାଉତ, ଟିଡିପି ସାଂସଦ ୱାଇ ଏସ୍‌ ଚୌଧୁରୀଙ୍କୁ ଭେଟିଛନ୍ତି।

ମମତା ଦିଲ୍ଲୀରେ ଯେଉଁ ନେତାମାନଙ୍କୁ ଭେଟିଛନ୍ତି ସେମାନେ ସମସ୍ତେ କଂଗ୍ରେସ ଏବଂ ବିଜେପିଠାରୁ ଦୂରତା ରଖି ଆସିଛନ୍ତି। ନିକଟରେ ଟିଡିପି ଏବଂ ଶିବସେନା ଏନଡିଏ ମେଣ୍ଟରୁ ଓହରି ଯାଇଥିବା ବେଳେ ଶରଦ ପାୱାରଙ୍କ ଏନସିପି ମଧ୍ୟ ଉପା ମେଣ୍ଟରୁ ଓହରି ଯାଇଛି। ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ବି ବିଜେପି ବିପକ୍ଷରେ ରହିଛନ୍ତି। ଗତ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି କଂଗ୍ରେସ ସହ ହାତ ମିଳାଇଥିଲେ ବି ଆଗାମୀ ଦିନରେ ଏହି ମେଣ୍ଟ ଏକାଠି ହେବାର ସମ୍ଭାବନା ନାହିଁ।

ଏସବୁ ଦଳ ୨୦୧୯ରେ ଏକ ବିକଳ୍ପ ମଞ୍ଚରେ ଏକାଠି ହେବାକୁ ସୁଯୋଗ ଖୋଜୁଛନ୍ତି। କଂଗ୍ରେସ ଏବଂ ବିଜେପିକୁ ଦୂରେଇ ରଖିବା ପାଇଁ ଏହି ଆଞ୍ଚଳିକ ଦଳମାନେ ଚିନ୍ତା କରୁଛନ୍ତି। ଏହି ସମୟରେ ମମତା ବାନାର୍ଜୀ ଏକ ବିକଳ୍ପ ମଞ୍ଚ ଗଠନ କରିବାକୁ ଚାହୁଁଥିବା ବେଳେ ଏମାନେ ଏଥିରେ ସାମିଲ ହେଉଛନ୍ତି କି ନାହିଁ ତାହା ଅପେକ୍ଷା କରି ଦେଖିବାର କଥା।

Comment