ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଡାମ୍‌ ତୁସାଦ୍‌ର ଗୋଟିଏ ଛାତ ତଳେ ବଲିଉଡ୍‌ ଓ ହଲିଉଡ୍‌ ସାଙ୍ଗକୁ ଐତିହାସିକ ଓ ରାଜନୈତିକ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ୱଙ୍କ ମହମ ପ୍ରତିକୃତି ଶୋଭା ପାଉଥିଲାବେଳେ ସେମାନଙ୍କ ସହ ଏବେ ଯୋଡ଼ି ହେବାକୁ ଯାଉଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି।

କ୍ରୀଡ଼ା କିମ୍ବଦନ୍ତୀ କପିଳ ଦେବ, ସଚିନ୍‌ ତେନ୍ଦୁଲକର ଏବଂ ଲିଓନେଲ୍‌ ମେସିଙ୍କ ମହମ ପ୍ରତିକୃତି ପାଖରେ ଏବେ କୋହଲିଙ୍କ ପ୍ରତିକୃତି ଯୋଡ଼ି ହୋଇଯିବ। ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ମହମ ପ୍ରତିକୃତି ଏବେ ଦିଲ୍ଲୀର ମାଡାମ୍‌ ତୁସାଦ୍‌ରେ ଶୋଭା ପାଇବ।

୨୦୦୬ରୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ପଦାର୍ପଣ କରି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜେତା ହେବାଠୁ ଭାରତୀୟ ଦଳର ଅଧିନାୟକ ପର୍ଯ୍ୟନ୍ତ ନିଜର ଅବିଶ୍ୱସନୀୟ ପ୍ରଦର୍ଶନ ପାଇଁ କୋହଲି ଚର୍ଚ୍ଚାରେ ରହିଥିଲା ବେଳେ ଏବେ ମାଡାମ୍‌ ତୁସାଦ୍‌ରେ ତାଙ୍କ ମହମ ପ୍ରତିକୃତି ସ୍ଥାନ ପାଇବାକୁ ଯାଉଛି। କୋହଲି ତାଙ୍କ ପ୍ରଦର୍ଶନ ଏବଂ ପ୍ରତିଭା ବଳରେ ଅର୍ଜୁନ ପୁରସ୍କାର, ଆଇସିସି ବିଶ୍ୱ କ୍ରିକେଟର୍‌ ଅଫ୍‌ ଦି ଇୟର ସାଙ୍ଗକୁ ତିନିଥର ବିସିସିଆଇର ଆନ୍ତର୍ଜାତିକ କ୍ରିକେଟର୍‌ ଅଫ୍‌ ଦି ଇୟର ପୁରସ୍କାର ହାତେଇ ସାରିଛନ୍ତି। ତାଙ୍କୁ ମଧ୍ୟ ଭାରତ ସରକାର ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି।

ଲଣ୍ଡନରୁ ବିଶ୍ୱର ଖ୍ୟାତିସମ୍ପନ୍ନ ଏକ କଳାକାର ଦଳ ଭାରତ ଆସି ଦିଲ୍ଲୀରେ କୋହଲିଙ୍କୁ ଭେଟିବା ପରେ ତାଙ୍କର ସଠିକ୍‌ ଆକୃତିର ମୂର୍ତ୍ତି ତିଆରି କରିବା ପାଇଁ ୨୦୦ ପାଖାପାଖି ଶାରୀରିକ ମାପ ନେଇଛନ୍ତି। “ନିଜର ଏକ ମହମ ପ୍ରତିକୃତି ମାଡାମ୍‌ ତୁସାଦ୍‌ରେ ସ୍ଥାନ ପାଇବା ବଡ଼ ଗୌରବର କଥା। ସେଥିପାଇଁ ମାଡାମ୍‌ ତୁସାଦ୍‌ସ ଦଳକୁ କୋହଲି ଧନ୍ୟବାଦ ଜଣାଉଛି”, କହିଛନ୍ତି କୋହଲି।

“ପ୍ରତି ଭାରତୀୟଙ୍କ ହୃଦୟ ଓ ସମ୍ମାନ ଜିତିପାରିଥିବା କୋହଲିଙ୍କୁ ଆମର ପରବର୍ତ୍ତୀ ତଥା ୨୩ତମ ମହମ ପ୍ରତିକୃତି ରୂପେ ବାଛିବା ମାଡାମ୍‌ ତୁସାଦ୍‌ ପାଇଁ ଗୌରବର କଥା”, କହିଛନ୍ତି ମେର୍ଲିନ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ମହାପ୍ରବନ୍ଧକ ତଥା ନିର୍ଦ୍ଦେଶକ ଅଂଶୁଲ୍‌ ଜୈନ୍‌।

Comment