ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାପା ଗାଁ ଠାକୁରାଣୀଙ୍କ ବେଢାରେ ଅଧିଆ ପଡ଼ିଛନ୍ତି। ମାଆ ଆଖିରୁ ଲୁହ ଶୁଖୁନି। ଗାଁ ପୂରା ସ୍ତବ୍ଧ ପାଲଟି ଯାଇଛି। କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ତାଳବସ୍ତ ଗ୍ରାମରେ ୧୫ ଦିନର ଶିଶୁକୁ ପାତି ମାଙ୍କଡ଼ ଟେକିନେବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି।

କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ତାଳବସ୍ତ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଶନିବାର ସକାଳେ ୧୫ ଦିନର ଶିଶୁପୁତ୍ର ଶେଯରେ ଶୋଇଥିବା ବେଳେ ତାକୁ ପାତି ମାଙ୍କଡ଼ ଟେକି ନେଇଛି। ପୁଅକୁ ନପାଇ ମା’ ଆଖିରୁ ଲୁହ ଶୁଖୁ ନଥିବା ବେଳେ ଘଟଣାର ୧୨ ଘଣ୍ଟା ପରେ ବି ବନବିଭାଗ ଶିଶୁପୁତ୍ରର ଠାବ କରିପାରିନି।

ତାଳବସ୍ତ ଗାଁର ରାମକୃଷ୍ଣ ନାୟକ ଏବଂ ତାଙ୍କ ସ୍ତ୍ରୀ ଶୁକ୍ରବାର ରାତିରେ ଅଗଣାରେ ଶୋଇଥିଲେ। ବାପା, ମାଆଙ୍କ ପାଖରେ ୧୫ ଦିନର ଶିଶୁପୁତ୍ରଟି ଶୋଇଥିଲା। ହେଲେ ଶନିବାର ସକାଳ ପ୍ରାୟ ୭ଟାରେ ବାପା ଏବଂ ମାଆ ବିଛଣା ଛାଡ଼ିଥିଲେ। ଅଗଣାରେ ଶୋଇ ରହିଥିଲା ଶିଶୁପୁତ୍ରଟି।

ଏହି ସମୟରେ ହଠାତ୍ ଏକ ପାତି ମାଙ୍କଡ଼ ଆସି ପୁଅକୁ ଟେକି ନେଇଗଲା। ଶିଶୁଟିର ମାଆ ପାଟି କରିଥିଲେ ମଧ୍ୟ ଶିଶୁକୁ ମାଙ୍କଡ଼ ହାତରୁ ଉଦ୍ଧାର କରିବା ସମ୍ଭବ ହୋଇ ନଥିଲା।

ଘଟଣା ସମ୍ପର୍କରେ ଗ୍ରାମବାସୀ ପ୍ରଥମେ ଡମପଡ଼ା ଅଗ୍ନିଶମ ବିଭାଗ, ତାଳବସ୍ତ ଫାଣ୍ଡି ଏବଂ ବନ ବିଭାଗ କର୍ମଚାରୀଙ୍କୁ ଅବଗତ କରିଥିଲେ। ବନ ବିଭାଗ କର୍ମଚାରୀ ଶିଶୁପୁତ୍ରଟିର ଘରକୁ ଆସି ପଚରା ଉଚରା କରିଥିଲେ। ଏହାପରେ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ଶିଶୁପୁତ୍ର ଉଦ୍ଧାର ଅଭିଯାନ।

୩୦ ଜଣ ବନ ବିଭାଗ କର୍ମଚାରୀଙ୍କୁ ନେଇ ଗଠନ ହେଲା ଟିମ୍‌। ଆଖପାଖ ଅଞ୍ଚଳରେ ଏହି ଟିମ୍‌ ସର୍ଚ୍ଚ ଅପରେସନ୍ ଜାରି ରଖିଥିଲେ ମଧ୍ୟ ଶିଶୁପୁତ୍ରର କୌଣସି ପତ୍ତା ମିଳିନାହିଁ। ସବୁଠୁ ବଡ଼ କଥା ହେଉଛି ଜନ୍ମ ହେବା ପରଠାରୁ ଶିଶୁପୁତ୍ରଟି ଠିକ୍‌ରେ କାନ୍ଦିପାରୁ ନଥିଲା। ଏଣୁ ତାକୁ ପାଇବା ମୁସ୍କିଲ ବୋଲି ବନବିଭାଗ କର୍ମଚାର କହିଛନ୍ତି।

“୩୦ ବର୍ଷର ଚାକିରି କାଳ ଭିତରେ ଏହି ଘଟଣା ହେଉଛି ମୋ ପାଇଁ ପ୍ରଥମ। ଏହି ଅଞ୍ଚଳରେ ମାଙ୍କଡ଼ ଉପଦ୍ରବ ରହିଥିଲେ ବି ଏମିତି କଥା କେବେ ଶୁଣିବାକୁ ମିଳି ନଥିଲା। ତେବେ ଆମେ ଖବର ପାଇବା ମାତ୍ରେ ପଦକ୍ଷେପ ନେଇଛୁ। ଶିଶୁପୁତ୍ରକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି”, କହିଛନ୍ତି ଡମପଡ଼ା ଫରେଷ୍ଟ ରେଞ୍ଜର ସଂଗ୍ରାମ କେଶରୀ ମହାନ୍ତି।

ପୁଅକୁ ଝୁରିଝୁରି ମାଆ, ବାପାଙ୍କ ଆଖିରୁ ଲୁହ ଶୁଖୁନି। ବାପା ଗାଁ ଠାକୁରାଣୀଙ୍କ ବେଢ଼ାରେ ଗୁହାରିଆ ପଡ଼ିଥିବା ବେଳେ ମାଆ କାନ୍ଦି କାନ୍ଦି ନୟାନ୍ତ ହୋଇଗଲେଣି।

Comment