ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ଦୃଷ୍ଟିରେ ଜଣେ ଅସାଧାରଣ ବ୍ୟକ୍ତି ଭାବେ ରହି ଆସିଛନ୍ତି। ବିଶେଷକରି ରାଜନୀତିରେ ତାଙ୍କ ରହସ୍ୟ ଭେଦ କରିବା କଷ୍ଟ। ଏହି ସ୍ଥିତିରେ ନବୀନଙ୍କ ତୃତୀୟ ସମ୍ମୁଖ୍ୟରେ ଯୋଗଦେବା ନେଇ ବର୍ତ୍ତମାନ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏକ ତୃତୀୟ ରାଜନୈତିକ ଶକ୍ତି ଠିଆ କରିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଉଦ୍ୟମ ଆରମ୍ଭ କରିଛନ୍ତି। ଥାର୍ଡ ଫ୍ରଣ୍ଟକୁ ନେଇ ସମସ୍ତଙ୍କ ମନରେ ନବୀନଙ୍କ ପଦକ୍ଷେପକୁ ନେଇ ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ।
ମମତା ଇତିମଧ୍ୟରେ ସବୁ ବିରୋଧୀ ଦଳ ନେତାଙ୍କୁ ଗୋଟି ଗୋଟି କରି ଭେଟିଛନ୍ତି। କିନ୍ତୁ ନବୀନ ପଟ୍ଟନାୟକ ଏକ ମାତ୍ର ବିରୋଧୀ ଦଳ ଯିଏ ତୃତୀୟ ସାମ୍ମୁଖ୍ୟ ପ୍ରସଙ୍ଗରେ ବିଶେଷ ଆଗ୍ରହ ଦେଖାଉନାହାନ୍ତି।
ଦେଶରେ ବିକଳ୍ପ ରାଜନୈତିକ ବ୍ୟବସ୍ଥା ପାଇଁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପକ୍ଷରୁ ମାର୍ଚ୍ଚ ୧୩ ତାରିଖରେ ବିରୋଧୀ ଦଳର ନେତାଙ୍କ ପାଇଁ ଏକ ଭୋଜିସଭା ଦିଲ୍ଲୀରେ ଆୟୋଜନ କରାଯାଇଥିଲା। ଏହି ଡିନର ପାର୍ଟି ସମ୍ପର୍କରେ ନବୀନଙ୍କୁ ଯେତେବେଳେ ପଚରାଗଲା, ନବୀନ ତାଙ୍କର ପାରମ୍ପରିକ ଢଙ୍ଗରେ କହିଥିଲେ କଂଗ୍ରେସ ଓ ବିଜେପି ଠାରୁ ବିଜେଡି ସମାନ ଦୂରତା ବଜାୟ ରଖିବା ପାଇଁ ଚାହିଁବ।
ଏହାପରେ ତେଲୁଗୁ ଦେଶମ ପାର୍ଟିର ଅଧ୍ୟକ୍ଷ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ମମତା ବାନାର୍ଜୀ ଉଭୟେ ନବୀନଙ୍କ ସହ ଫୋନରେ କଥାବାର୍ତ୍ତା କରିଥିଲେ। ଏହା ସତ୍ତ୍ୱେ ନବୀନ ଥାର୍ଡ ଫ୍ରଣ୍ଟ ପାଇଁ କୌଣସି ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଉନାହିଁ।
ଅବଶ୍ୟ ପିନାକୀ ମିଶ୍ର ଓ ଅନୁଭବ ମହାନ୍ତିଙ୍କର ମଙ୍ଗଳବାର ଦିନ ମମତାଙ୍କ ସହ ସଂସଦ ଭବନରେ ଦେଖା ସାକ୍ଷାତ ହୋଇଥିଲା। କିନ୍ତୁ ଏହି ଦୁଇ ସାଂସଦ କହିଛନ୍ତି ଯେ ଏହା କେବଳ ଏକ ଔପଚାରିକ ସାକ୍ଷାତ ଥିଲା।
ଏକଲା ଚଲୋ ଅଭିଯାନ
ଯଦି ନବୀନ ପଟ୍ଟନାୟକଙ୍କ ପୁରୁଣା ଇତିହାସକୁ ଦେଖାଯାଏ, ତାହାଲେ ନବୀନ କେବେବି ନିଜର ‘ଏକଲା ଚଲୋ’ ନୀତିରୁ ଓହରିବେ ନାହିଁ। ୨୦୦୯ରେ ବିଜେପି ସହିତ ମେଣ୍ଟ ଭାଙ୍ଗିଯିବା ପରଠାରୁ ଏ ପର୍ଯ୍ୟନ୍ତ ନବୀନ ଜାତୀୟ ସ୍ତରରେ ଅନ୍ୟ କୌଣସି ଦଳ ସହିତ ହାତ ମିଳାଇ ନାହାନ୍ତି। ଅବଶ୍ୟ ଆଞ୍ଚଳିକ ସ୍ତରରେ ସେ ଶରଦ ପାୱାରଙ୍କ ଏନସିପି ସହିତ କିଛି ଆସନ ପାଇଁ ମେଣ୍ଟ କରିଥିଲେ।
ବିଗତ ୨୦ ବର୍ଷ ଭିତରେ ନବୀନ ପଟ୍ଟନାୟକ ତାଙ୍କ ଦଳକୁ ଲଗାତାର ଆଗେଇ ନେଇଛନ୍ତି ଓ ଏହାକୁ ଶକ୍ତିଶାଳୀ କରିବା ପାଇଁ ଯାବତୀୟ ପଦକ୍ଷେପ ନେଇଛନ୍ତି। ହେଲେ ଜାତୀୟ ସ୍ତରରେ କୌଣସି ମେଣ୍ଟ ସପକ୍ଷରେ ସେ ନାହାନ୍ତି। କେନ୍ଦ୍ରରେ ଯେତେବେଳେ ଯେଉଁ ସରକାର ରହିଛି ସେହି ସରକାର ସହିତ ନବୀନ ଉତ୍ତମ ସମ୍ପର୍କ ସ୍ଥାପନ କରି ଆସିଛନ୍ତି – ତାହା ୟୁପିଏ ହେଉକି ଏନଡିଏ ହେଉ। ଆଉ ଏହା ହିଁ ନବୀନଙ୍କ ୟୁଏସପି।
୨୦୧୪ରେ ବି ଦୂରରେ ଥିଲେ
୨୦୧୪ ସାଧାରଣ ନିର୍ବାଚନ ସମୟରେ ଯେତେବେଳେ ଥାର୍ଡ ଫ୍ରଣ୍ଟ ପାଇଁ ଉଦ୍ୟମ ଚାଲିଥିଲା, ସେତେବେଳେ ବି ନବୀନଙ୍କ ଆଭିମୁଖ୍ୟ ଅତି ପାଣିଚିଆ ଥିଲା। ବିଜେଡି ସୁପ୍ରିମୋ ଦିଲ୍ଲୀରେ ପ୍ରସ୍ତାବିତ ୧୧ ଦଳିଆ ମେଣ୍ଟର ସଭାକୁ ନିଜେ ନଯାଇ ଜଣେ ପ୍ରତିନିଧିଙ୍କୁ ପଠାଇଥିଲେ। କିନ୍ତୁ ତା ପରେ ଏହି ଉଦ୍ୟମ ପ୍ରତି ନବୀନ ବିଶେଷ ଆଗ୍ରହ ଦେଖାଇନଥିଲେ।
ସିପିଏମ ସାଧାରଣ ସମ୍ପାଦକ ପ୍ରକାଶ କରାତ ବ୍ୟକ୍ତିଗତ ଭାବେ ଭୁବନେଶ୍ୱର ଆସି ମେଣ୍ଟରେ ଯୋଗଦେବାକୁ ନବୀନଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ନବୀନ ଏହି ମେଣ୍ଟ ଆଡକୁ ଆଦୌ ଢଳି ନଥିଲେ। ଏହାର କାରଣ ଅତି ସ୍ପଷ୍ଟ। ନବୀନ ଜାଣିଛନ୍ତି ସେ ଓ ତାଙ୍କ ଦଳ ଓଡ଼ିଶାରେ ନିଜ ଦମରେ ସହଜରେ ନିର୍ବାଚନ ଜିତିପାରିବେ। ସେ ହିସାବ କରି ଦେଖିଛନ୍ତି ଜାତୀୟ ସ୍ତରରେ ତାଙ୍କ ପାଇଁ ବିଶେଷ କିଛି ମଜା ନାହିଁ।
ଘାଟାରେ କାହିଁକି ପଡ଼ିବେ?
ବର୍ତ୍ତମାନଠାରୁ ଏହା ସ୍ପଷ୍ଟ ଭାବରେ ଜଣା ପଡ଼ିଲାଣି ଯେ ୨୦୧୯ରେ ନବୀନ ପଞ୍ଚମ ଥର ପାଇଁ ଓଡ଼ିଶାରେ ଶାସନ କ୍ଷମତାକୁ ଫେରିବେ। ଏଣୁ ସେ ଦେଖିଛନ୍ତି ଯଦି ଅନ୍ୟ ଦଳ ସହିତ ମେଣ୍ଟ କରିବେ ତାଙ୍କୁ ହିଁ କ୍ଷତି ସହିବାକୁ ପଡିବ। ତାଛଡା ଦଳର କିଛି ନେତା ମଧ୍ୟ ଏଥିରେ ଅସନ୍ତୋଷ ପ୍ରକାଶ କରିପାରନ୍ତି।
ନବୀନ ଏକଥା ମଧ୍ୟ ଭଲ ଭାବରେ ଜାଣିଛନ୍ତି ଯେ ଓଡ଼ିଶାରେ ତାଙ୍କ ଦଳକୁ ଛାଡିଦେଲେ ଅନ୍ୟ କୌଣସି ଦଳର ସେଭଳି କିଛି ସ୍ଥିତି ନାହିଁ ଓ ସେମାନେ କେବଳ ନବୀନଙ୍କ ଲୋକପ୍ରିୟତାର ଫାଇଦା ନେବାକୁ ଚାହୁଁଛନ୍ତି। ଏହି କାରଣରୁ ନବୀନ ୨୦୧୯ରେ ଏକାକୀ ନିର୍ବାଚନ ମଇଦାନକୁ ଓଲ୍ହାଇବା ସୁନିଶ୍ଚିତ।
ଡର ଲାଗୁଛି?
ଜାତୀୟ ରାଜନୀତିରେ ନବୀନଙ୍କ ସାମିଲ ନହେବା ପଛରେ ଭୟ ମଧ୍ୟ ଏକ ବଡ଼ କାରଣ। ଆହୁରି ମଧ୍ୟ ଏଥିରେ କିଛି ସ୍ୱାର୍ଥ ନିହିତ ଅଛି। ନବୀନ ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ଦଳ ଭିତରେ ଆଉ ଏକ କ୍ଷମତାକେନ୍ଦ୍ର ସୃଷ୍ଟି ନହେଉ।
ନବୀନ ଏକଥା ମଧ୍ୟ ସବୁବେଳେ ଚାହିଁ ଆସିଛନ୍ତି ଯେ ତାଙ୍କ ଛଡ଼ା ବିଜେଡିରେ ନମ୍ବର ୨ ବୋଲି କେହି ନ ରହୁ। ଖାସ୍ ଏଥିପାଇଁ ସେ କୌଣସି ମେଣ୍ଟ ସହିତ ହାତ ମିଳାଇବା ପାଇଁ ଅନିଚ୍ଛୁକ। କାରଣ ହେଉଛି : ଯଦି ସେ କୌଣସି ମେଣ୍ଟରେ ରହୁଛନ୍ତି ଓ ମେଣ୍ଟ ଯଦି କ୍ଷମତାକୁ ଆସେ ତେବେ ବିଜେଡିକୁ କେନ୍ଦ୍ରରେ କିଛି ମନ୍ତ୍ରୀ ପଦ ମଧ୍ୟ ମିଳିବ। ସେହି ପରିସ୍ଥିତିରେ ବିଜେଡି ଭିତରେ ଏକ ନୂଆ କ୍ଷମତା କେନ୍ଦ୍ର ସୃଷ୍ଟି ହେବ। ନବୀନ ପଟ୍ଟନାୟକଙ୍କୁ ଏହିଭଳି ଏକ ଝଟକା ଲାଗିଥିଲା ଏନଡିଏ -୧ ଶାସନ ସମୟରେ।
ବିଜେଡିର ତତ୍କାଳୀନ ନେତା ଦିଲ୍ଲୀପ ରାୟ ଯେତେବେଳେ କେନ୍ଦ୍ର କୋଇଲା ବିଭାଗର ମନ୍ତ୍ରୀ ହେଲେ ତାଙ୍କର ପଲ୍ଲା ଢେର ବଢିଯାଇଥିଲା ଓ ନବୀନ ତାଙ୍କୁ ପରେ ସାଇଜ କରିଦେଇଥିଲେ।। ନବୀନ ତାଙ୍କୁ ପରେ ଦଳରୁ ବରଖାସ୍ତ କରିଦେଇଥିଲେ। କିନ୍ତୁ ଏହାଦ୍ଵାରା ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।
ପ୍ୟାରୀମୋହନ ମହାପାତ୍ରଙ୍କ କ୍ଷେତ୍ରରେ ମଧ୍ୟ ଏକା ଘଟଣା ଘଟିଥିଲା। ଲଣ୍ଡନ ଗସ୍ତରେ ଯାଇଥିବା ବେଳେ ନବୀନ ପଟ୍ଟନାୟକଙ୍କ ବିରୋଧରେ ଯେଉଁ ଷଡ଼ଯନ୍ତ୍ର ରଚନା କରାଗଲା ତାହାକୁ ନବୀନ ଏ ଯାଏଁ ଭୁଲି ନାହାନ୍ତି। ଏହିସବୁ କାରଣରୁ ମେଣ୍ଟରେ ପଶି ନବୀନ ଆଉ କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି। ସେ ଭଲ ତ ତାଙ୍କ ଦଳ ଭଲ ନ୍ୟାୟରେ ଚାଲିଛନ୍ତି ନବୀନ।