ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମଦର୍ସ ପବ୍ଲିକ୍ ସ୍କୁଲ-ଭୁବନେଶ୍ଵର ପ୍ରଥମ ସ୍ଥାନ
  • ଡିଏଭି ପବ୍ଲିକ୍ ସ୍କୁଲ- ସିଡିଏ କଟକ ଦ୍ୱିତୀୟ
  • ତୃତୀୟ ସ୍ଥାନରେ ଡିଏଭି ପବ୍ଲିକ୍ ସ୍କୁଲ-ପୋଖରିପୁଟ ଭୁବନେଶ୍ଵର
  • ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଚ୍ୟାନେଲ ଏବଂ ଓଡ଼ିଶାପୋଷ୍ଟ ଫେସ୍‌ବୁକ୍‌ ପେଜରେ ଲାଇଭ୍ ଷ୍ଟ୍ରିମିଂ

ଓଡ଼ିଶାପୋଷ୍ଟ ମେଟଲ୍‌ ମିଟ୍ ତୃତୀୟ ସଂସ୍କରଣ ଜୁନିୟର ବିଭାଗର ଗ୍ରାଣ୍ଡଫିନାଲେ ଶେଷ ହୋଇଛି। ଜୁନିୟର ବିଭାଗର ମୋଟ ୮ଟି ଟିମ୍‌ରୁ ଶ୍ରେଷ୍ଠ ୩ଟି ଟିମ୍‌କୁ ବଛା ଯାଇଛି। ମଦର୍ସ ପବ୍ଲିକ୍ ସ୍କୁଲ-ଭୁବନେଶ୍ଵର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଡିଏଭି ପବ୍ଲିକ୍ ସ୍କୁଲ- ସିଡିଏ କଟକ ଦ୍ୱିତୀୟ ଏବଂ ଡିଏଭି ପବ୍ଲିକ୍ ସ୍କୁଲ-ପୋଖରିପୁଟ ଭୁବନେଶ୍ଵର ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ମଦର୍ସ ପବ୍ଲିକ ସ୍କୁଲ ଟିମ୍‌ରେ ସୋହମ ପଣ୍ଡା, ନୈବେଦ୍ୟ ଅମ୍ରିତ ଦାଶ, ଉତ୍କର୍ଷ ପଣ୍ଡା, ବୈଭବ ତ୍ରିପାଠୀ ପ୍ରତିଯୋଗୀ ରହିଥିଲେ। ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଡିଏଭି ପବ୍ଲିକ ସ୍କୁଲ-ସିଡିଏ କଟକ ଟିମ୍‌ରେ ଅଭିଷେକ ରଥ, କ୍ରିଷ୍ଣା ଆଦିତ୍ୟ ମହାନ୍ତି, ବେଦାନ୍ତ ଗିରି ଏବଂ ପ୍ରିତମ ଆଚାର୍ଯ୍ୟ ପ୍ରତିଯୋଗୀ ରହିଥିଲେ। ପ୍ରତିଯୋଗିତାରେ ତୃତୀୟ ସ୍ଥାନ ହାସଲ କରିଥିବା ଡିଏଭି ପବ୍ଲିକ୍ ସ୍କୁଲ-ପୋଖରିପୁଟ ଭୁବନେଶ୍ଵର ଟିମ୍‌ରେ ସାହିଲ୍ ନାୟକ, ତୁଷାର ନାୟକ, ଅର୍ପଣ ଚକ୍ରବର୍ତ୍ତୀ, ହିଂମାଶୁ ନାୟକ ପ୍ରତିଯୋଗୀ ରହିଥିଲେ।

ଜୁନିୟର ବିଭାଗର ଏହି ଶ୍ରେଷ୍ଠ ୩ଟି ଟିମ୍‌କୁ ଆଜି ସନ୍ଧ୍ୟା ୮ଟାରେ ହେବାକୁ ଥିବା ବିଶେଷ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ।

ଗ୍ରାଣ୍ଡଫିନାଲେକୁ ନେଇ ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଶ୍ରେଷ୍ଠ ୩ଟି ସ୍ଥାନରେ ରହିବା ପାଇଁ ସମସ୍ତ ଟିମ୍‌ ପ୍ରୟାସ ଜାରି ରଖିଥିଲେ। କୁଇଜ୍ ମାଷ୍ଟର ଭେଙ୍କିଙ୍କଠାରୁ ଆସୁଥିବା ପ୍ରଶ୍ନର ମଜାଦାର ଉତ୍ତର ଦେଇଥିଲେ ପ୍ରତିଯୋଗୀ। ଅପରାହ୍ଣ ୨ଟାରୁ ଜୁନିୟର ବିଭାଗର ଗ୍ରାଣ୍ଡଫିନାଲେ ଆରମ୍ଭ ହୋଇଥିଲା। ବେଙ୍ଗଳୁରୁର ଜଣାଶୁଣା କୁଇଜ୍ ମାଷ୍ଟର ଭେଙ୍କେଟସ୍‌ ଶ୍ରୀନିବାସନ୍(ଭେଙ୍କି) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଶନିବାର ମେଟଲ୍ ମିଟ୍‌ର ପ୍ରିଲିମ୍ସ ରାଉଣ୍ଡ ଶେଷ ହୋଇଥିଲା। ଜୁନିୟର ବିଭାଗରେ ୩୪ଟି ଟିମ୍ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୮ଟି ଟିମ୍‌କୁ ଗ୍ରାଣ୍ଡଫିନାଲେକୁ ବଛା ଯାଇଥିଲା।

ମଦର୍ସ ପବ୍ଲିକ୍ ସ୍କୁଲ-ଭୁବନେଶ୍ଵର, ଡିଏଭି ପବ୍ଲିକ୍ ସ୍କୁଲ- ସିଡିଏ କଟକ, ଡିଏଭି ପବ୍ଲିକ୍ ସ୍କୁଲ-ପୋଖରିପୁଟ ଭୁବନେଶ୍ଵର, ଡିଏଭି ପବ୍ଲିକ୍ ସ୍କୁଲ- ରାଉରକେଲା, ବ୍ଲେସିଙ୍ଗ୍ ସାକ୍ରାମେଣ୍ଟ୍ ହାଇସ୍କୁଲ- ପୁରୀ, ଓଡିଏମ୍ ପବ୍ଲିକ୍ ସ୍କୁଲ- ଭୁବନେଶ୍ଵର, ସେଣ୍ଟ୍ ଭିନସେଣ୍ଟ୍ କନଭେଣ୍ଟ୍ ସ୍କୁଲ- ବାଲେଶ୍ଵର, ରେଭେନ୍ସା ଜୁନିୟର କଲେଜ୍- କଟକ ଫାଇନାଲରେ ପ୍ରବେଶ କରିଥିଲେ।

ଜୁନିୟର ବିଭାଗରେ ଶ୍ରେଷ୍ଠ ୩ଟି ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ। ଶୁଭେଚ୍ଛା ଜଣାଇଛନ୍ତି। ରବିବାର ୮ଟାରେ ହେବାକୁ ଥିବା ସ୍ୱତନ୍ତ୍ର ଉତ୍ସବରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଟ୍ରଫି ସହ ୧ ଲକ୍ଷ, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଟ୍ରଫି ସହ ୫୦ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଟ୍ରଫି ସହ ୨୫ ହଜାର ଟଙ୍କା ପୁରସ୍କାର ଦିଆଯିବ।

ସନ୍ଧ୍ୟା ୬ଟାରେ ସିନିୟର ବିଭାଗର ୮ଟି ଟିମ୍‌ ମଧ୍ୟରେ ଗ୍ରାଣ୍ଡଫିନାଲେ ଅନୁଷ୍ଠିତ ହେବ। ସିନିୟର ବିଭାଗରୁ ସିଇଟି-ଭୁବନେଶ୍ୱର, ଏନ୍‌ଆଇଟି-ରାଉରକେଲା, ଆଇଆଇଟି-ଭୁବନେଶ୍ୱର, ଏମ୍‌ସ-ଭୁବନେଶ୍ୱର, ଭିଏସ୍‌ଏସ୍‌ୟୁଟି-ବୁର୍ଲା, କିଟ୍‌ ବିଶ୍ୱବିଦ୍ୟାଳୟ-ଭୁବନେଶ୍ୱର, ସିଲିକନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି-ଭୁବନେଶ୍ୱର, ଏସ୍‌ସିବି ମେଡିକାଲ କଲେଜ-କଟକ ଟିମ୍‌ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଶ୍ରେଷ୍ଠ ୩ଟି ସ୍ଥାନ ପାଇବା ପାଇଁ ଏହି ଟିମ୍‌ ମଧ୍ୟରେ ହେବ ଦମ୍‌ଦାର ଲଢ଼େଇ।

ଓଡ଼ିଶାରେ କୁଇଜ୍‌ ପରମ୍ପରାକୁ ଉଜ୍ଜୀବୀତ କରି ରଖିବା ପାଇଁ ଓଡ଼ିଶାପୋଷ୍ଟ ପକ୍ଷରୁ ୨୦୧୬ରୁ ଆରମ୍ଭ ହୋଇଥିଲା ମେଟଲ ମିଟ୍।

ଓଡ଼ିଶାପୋଷ୍ଟ ମେଟଲ ମିଟ୍‌ ଦ୍ୱିତୀୟ ସଂସ୍କରଣରୁ ‘ଓଡ଼ିଶାଲାଇଭ୍‌’ ଏହାର ଡିଜିଟାଲ ମିଡିଆ ପାର୍ଟନର୍‌ ରହି ଆସିଛି। ଏହି ସମ୍ମାନଜନକ ପ୍ରତିଯୋଗିତାକୁ ବିଶ୍ୱବ୍ୟାପି ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ୱେବ୍ ଏବଂ ସୋସିଆଲ ମିଡିଆ ଚ୍ୟାନେଲ ମାଧ୍ୟମରେ ଓଡ଼ିଶାଲାଇଭ୍‌ ପ୍ରୟାସ କରି ଆସୁଛି। ଡିଜିଟାଲ ମିଡିଆର ଦର୍ଶକମାନଙ୍କୁ ମେଟଲ ମିଟ୍‌ର ସିଧା ପ୍ରସାରଣ ଦେଖାଇବା ପାଇଁ ଓଡ଼ିଶାଲାଇଭ୍‌ ପକ୍ଷରୁ ଗ୍ରାଣ୍ଡଫିନାଲେର ଲାଇଭ୍‌ ଷ୍ଟ୍ରିମିଂ କରାଯାଉଛି।

ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଚ୍ୟାନେଲ (www.youtube.com/odishalive) ଏବଂ ଓଡ଼ିଶାପୋଷ୍ଟ ଫେସ୍‌ବୁକ୍‌ ପେଜ୍‌ (www.facebook.com/orissapostbhubaneswar)ରେ ଲାଇଭ୍‌ ଷ୍ଟ୍ରିମିଂ ଚାଲିଛି। ଏହାସହ ଓଡ଼ିଶାଲାଇଭ୍‌ (www.odisha.live), ଓଡ଼ିଶାପୋଷ୍ଟ (www.orissapost.com) ଏବଂ ଧରିତ୍ରୀ (www.dharitri.com) ୱେବ୍ ସାଇଟ୍ ଗୁଡ଼ିକରେ ମେଟଲ ମିଟ୍‌ର ଲାଇଭ୍‌ ଷ୍ଟ୍ରିମିଂ ହେଉଛି।

ଚଳିତବର୍ଷ ନବରତ୍ନ କମ୍ପାନି ‘ନାଲ୍‌କୋ’, କମ୍ପ୍ୟୁଟର କମ୍ପାନି ‘ଆସର୍‌’, ଆଉଟଡୋର ମିଡିଆ କମ୍ପାନି ‘ଟିମ୍‌’, ‘ଏକ୍ସପୋଜ୍’ ଆଡଭର୍ଟାଇଜିଂ ଏବଂ ଡିଜିଟାଲ ମିଡିଆ କମ୍ପାନି ‘ଓଡ଼ିଶାଲାଇଭ୍‌’ ମେଟଲ ମିଟ୍ କାର୍ଯ୍ୟକ୍ରମର ପାର୍ଟନର୍ ରହିଛନ୍ତି।

Comment