ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦ୍ୱିତୀୟ ସ୍ଥାନରେ ରହିଛି କିଟ୍ ବିଶ୍ୱବିଦ୍ୟାଳୟ-ଭୁବନେଶ୍ୱର
  • ସିଲିକନ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି-ଭୁବନେଶ୍ୱର ତୃତୀୟ ସ୍ଥାନରେ
  • ପ୍ରଥମ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ୧ ଲକ୍ଷ ଟଙ୍କା ପୁରସ୍କାର
  • ୮ଟି ଟିମ୍‌ ମଧ୍ୟରେ କଡ଼ା ଟକ୍କର
  • ପ୍ରିଲିମ୍ସ ରାଉଣ୍ଡରେ ଭାଗ ନେଇଥିଲେ ୩୮ଟି ଟିମ୍‌
  • ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଚ୍ୟାନେଲ ଏବଂ ଓଡ଼ିଶାପୋଷ୍ଟ ଫେସ୍‌ବୁକ୍‌ ପେଜ୍‌ରେ ଲାଇଭ ଷ୍ଟ୍ରିମିଂ

ଶେଷ ହୋଇଛି ଓଡ଼ିଶାପୋଷ୍ଟ ମେଟଲ୍‌ ମିଟ୍ ତୃତୀୟ ସଂସ୍କରଣ ସିନିୟର ବିଭାଗର ଗ୍ରାଣ୍ଡଫିନାଲେ। ସିନିୟର ବିଭାଗର ମୋଟ ୮ଟି ଟିମ୍‌ରୁ ଶ୍ରେଷ୍ଠ ୩ଟି ଟିମ୍‌କୁ ବଛା ଯାଇଛି। ସିଇଟି-ଭୁବନେଶ୍ୱର ଟିମ୍‌ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି କିଟ୍ ବିଶ୍ୱବିଦ୍ୟାଳୟ-ଭୁବନେଶ୍ୱର। ସିଲିକନ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି-ଭୁବନେଶ୍ୱର ତୃତୀୟ ସ୍ଥାନରେ ରହିଛି।

୨୦୧୬ରେ ମଧ୍ୟ ସିଇଟି- ଭୁବନେଶ୍ୱର ପ୍ରଥମ ସ୍ଥାନ ଅଧିକାର କରିଥିଲା। ତୃତୀୟ ସଂସ୍କରଣ ମେଟେଲ ମିଟ୍‌ରେ ବି ସିଇଟି-ଭୁବନେଶ୍ୱର ତାର ପୂର୍ବ ସ୍ଥାନ ବଜାୟ ରଖିଛି।

ସିଇଟି- ଭୁବନେଶ୍ୱର ଟିମ୍‌ରେ ମୁକ୍ତି ସ୍ୱରୂପ ପ୍ରଧାନ, ବୈବସ୍ୱତ ଜେନା, କୁମାର ସାଇସେଶ୍ ମିଶ୍ର, ଦେବବ୍ରତ ପଟ୍ଟନାୟକ ରହିଥିଲେ। ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କିଟ୍‌-ଭୁବନେଶ୍ୱର ଟିମ୍‌ରେ ସୁଗାତା ମୁଖାର୍ଜୀ, ଅଳଙ୍କାର ଦେବତା, ସର୍‌ଜଦ୍ ଅଲ୍ଲି ହକ୍‌, ପ୍ରଖର ସାଇନି ରହିଥିଲେ। ତୃତୀୟ ସ୍ଥାନ ଅଧିକାର କରିଥିବା ସିଲିକନ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି-ଭୁବନେଶ୍ୱର ଟିମ୍‌ରେ ତୋୟଦା ପଟ୍ଟନାୟକ, ସୌରଭ କୁମାର, ରିତ୍ତ୍ୱିକ ତ୍ରିପାଠୀ ଏବଂ ହର୍ଷ ପ୍ରତିଯୋଗୀ ଭାବେ ସାମିଲ ହୋଇଥିଲେ।

ଉଭୟ ସିନିୟର ଏବଂ ଜୁନିୟର ବିଭାଗରେ ଶ୍ରେଷ୍ଠ ୩ଟି ସ୍ଥାନ ଅଧିକାର କରିଥିବା ଟିମ୍‌କୁ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଥମ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଟ୍ରଫି ସହ ୧ ଲକ୍ଷ ଟଙ୍କା, ଦ୍ୱିତୀୟ ସ୍ଥାନରେ ରହିଥିବା ଟିମ୍‌କୁ ଟ୍ରଫି ସହ ୫୦ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଟ୍ରଫି ସହ ୨୫ ହଜାର ଟଙ୍କା ଦିଆଯାଇଛି।

ଶନିବାର ହୋଇଥିବା ପ୍ରିଲିମ୍ସ ରାଉଣ୍ଡରେ ମୋଟ ୭୨ଟି ଟିମ୍ ଭାଗ ନେଇଥିଲେ। ସେଥିମଧ୍ୟରୁ ସିନିୟର ବିଭାଗରେ ରହିଥିଲେ ୩୮ଟି ଟିମ୍। ଏହି ୩୮ଟି ଟିମ୍‌ରୁ ୮ଟି ଦଳ ଫାଇନାଲରେ ପ୍ରବେଶ କରିଥିଲେ। ଏହି ୮ଟି ଦଳ ଭିତରୁ କିଏ ଶ୍ରେଷ୍ଠ ୩ଟି ସ୍ଥାନ ଅଧିକାର କରିବ ତାକୁନେଇ ଚାଲିଥିଲା କଡ଼ା ଟକ୍କର। କୁଇଜ୍‌ ମାଷ୍ଟରଙ୍କ ପ୍ରଶ୍ନର ମଜାଦାର ଉତ୍ତର ଦେଇ ପ୍ରତିଯୋଗୀମାନେ ମାହୋଲ୍‌କୁ ଗରମ କରିଦେଇଥିଲେ।

ସନ୍ଧ୍ୟା ସାଢ଼େ ୬ଟାରୁ ଆରମ୍ଭ ହୋଇଥିବା ସିନିୟର ବିଭାଗର ପ୍ରତିଯୋଗିତାକୁ ବେଙ୍ଗଳୁରୁର ଜଣାଶୁଣା କୁଇଜ୍ ମାଷ୍ଟର ଭେଙ୍କେଟସ୍‌ ଶ୍ରୀନିବାସନ୍(ଭେଙ୍କି) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସିନିୟର ବିଭାଗରୁ ସିଇଟି-ଭୁବନେଶ୍ୱର, ଏନ୍‌ଆଇଟି-ରାଉରକେଲା, ଆଇଆଇଟି-ଭୁବନେଶ୍ୱର, ଏମ୍‌ସ-ଭୁବନେଶ୍ୱର, ଭିଏସ୍‌ଏସ୍‌ୟୁଟି-ବୁର୍ଲା, କିଟ୍‌ ବିଶ୍ୱବିଦ୍ୟାଳୟ-ଭୁବନେଶ୍ୱର, ସିଲିକନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି-ଭୁବନେଶ୍ୱର, ଏସ୍‌ସିବି ମେଡିକାଲ କଲେଜ-କଟକ ଟିମ୍‌ ଫାଇନାଲକୁ ଯାଇଥିଲେ।

ସିନିୟର୍ ବିଭାଗରେ ଶ୍ରେଷ୍ଠ ୩ଟି ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ ଶୁଭେଚ୍ଛା ଜଣାଇଛନ୍ତି।

ଓଡ଼ିଶାରେ କୁଇଜ୍‌ ପରମ୍ପରାକୁ ଉଜ୍ଜୀବୀତ କରି ରଖିବା ପାଇଁ ଓଡ଼ିଶାପୋଷ୍ଟ ପକ୍ଷରୁ ୨୦୧୬ରୁ ଆରମ୍ଭ ହୋଇଥିଲା ମେଟଲ ମିଟ୍। ୨୦୧୬ରେ ୧୮ଟି ଟିମ୍ ସାମିଲ ହୋଇଥିଲେ। ସିଇଟି-ଭୁବନେଶ୍ୱର ପ୍ରଥମ ସ୍ଥାନ ଅଧିକାର କରିଥିଲା। ୨୦୧୭ରେ ୪୫ଟି ଟିମ୍‌ ମେଟଲ ମିଟ୍‌ରେ ଭାଗନେଇଥିଲେ। ଏନ୍‌ଆଇଟି-ରାଉରକେଲା ପ୍ରଥମ ସ୍ଥାନ ଅଧିକାର କରିଥିଲା।

ଓଡ଼ିଶାପୋଷ୍ଟ ମେଟଲ ମିଟ୍‌ ଦ୍ୱିତୀୟ ସଂସ୍କରଣରୁ ‘ଓଡ଼ିଶାଲାଇଭ୍‌’ ଏହାର ଡିଜିଟାଲ ମିଡିଆ ପାର୍ଟନର୍‌ ରହି ଆସିଛି। ଏହି ସମ୍ମାନଜନକ ପ୍ରତିଯୋଗିତାକୁ ବିଶ୍ୱବ୍ୟାପି ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ୱେବ୍ ଏବଂ ସୋସିଆଲ ମିଡିଆ ଚ୍ୟାନେଲ ମାଧ୍ୟମରେ ଓଡ଼ିଶାଲାଇଭ୍‌ ପ୍ରୟାସ କରି ଆସୁଛି। ଡିଜିଟାଲ ମିଡିଆର ଦର୍ଶକମାନଙ୍କୁ ମେଟଲ ମିଟ୍‌ର ସିଧା ପ୍ରସାରଣ ଦେଖାଇବା ପାଇଁ ଓଡ଼ିଶାଲାଇଭ୍‌ ପକ୍ଷରୁ ଗ୍ରାଣ୍ଡଫିନାଲେର ଲାଇଭ୍‌ ଷ୍ଟ୍ରିମିଂ କରାଯାଇଥିଲା।

ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଚ୍ୟାନେଲ (www.youtube.com/odishalive) ଏବଂ ଓଡ଼ିଶାପୋଷ୍ଟ ଫେସ୍‌ବୁକ୍‌ ପେଜ୍‌ (www.facebook.com/orissapostbhubaneswar)ରେ ଲାଇଭ୍‌ ଷ୍ଟ୍ରିମିଂ ହୋଇଥିଲା। ଏହାସହ ଓଡ଼ିଶାଲାଇଭ୍‌ (www.odisha.live), ଓଡ଼ିଶାପୋଷ୍ଟ (www.orissapost.com) ଏବଂ ଧରିତ୍ରୀ (www.dharitri.com) ୱେବ୍ ସାଇଟ୍ ଗୁଡ଼ିକରେ ମେଟଲ ମିଟ୍‌ର ଲାଇଭ୍‌ ଷ୍ଟ୍ରିମିଂ କରାଯାଇଥିଲା।

ଚଳିତବର୍ଷ ନବରତ୍ନ କମ୍ପାନି ‘ନାଲ୍‌କୋ’, କମ୍ପ୍ୟୁଟର କମ୍ପାନି ‘ଆସର୍‌’, ଆଉଟଡୋର ମିଡିଆ କମ୍ପାନି ‘ଟିମ୍‌’, ‘ଏକ୍ସପୋଜ୍’ ଆଡଭର୍ଟାଇଜିଂ ଏବଂ ଡିଜିଟାଲ ମିଡିଆ କମ୍ପାନି ‘ଓଡ଼ିଶାଲାଇଭ୍‌’ ମେଟଲ ମିଟ୍ କାର୍ଯ୍ୟକ୍ରମର ପାର୍ଟନର୍ ରହିଛନ୍ତି।

Comment