ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଗ୍ରହଣ କରିଛନ୍ତି ‘ପଦ୍ମ ଭୂଷଣ’ ପୁରସ୍କାର। ଏହି ସମ୍ମାନ ଗ୍ରହଣ କରିବା ପାଇଁ ଧୋନି କର୍ଣ୍ଣଲ ଡ୍ରେସରେ ରାଷ୍ଟ୍ରପତି ଭବନରେ ଉପସ୍ଥିତ ଥିଲେ।

ରାଷ୍ଟ୍ରପତି ଭବନରେ ଆଜି ୩୭ ଜଣଙ୍କୁ ମିଳିଛି ସମ୍ମାନଜନକ ପଦ୍ମ ପୁରସ୍କାର। ଏହି ୩୭ ଜଣ ସମ୍ମାନସ୍ପଦ ବ୍ୟକ୍ତିଙ୍କ ମଧ୍ୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଟିମ୍‌ ଇଣ୍ଡିଆର ଅଧିନାୟକ ମହେନ୍ଦ୍ର ସିଂ ଧୋନି। ଧୋନି ଏହି ପୁରସ୍କାର ପାଇବା ପାଇଁ କର୍ଣ୍ଣଲ ପୋଷାକ ପିନ୍ଧି ରାଷ୍ଟ୍ରପତି ଭବନରେ ଉପସ୍ଥିତ ଥିଲେ। ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ।

ସବୁଠୁ ବଡ଼ କଥା ହେଉଛି ଧୋନିଙ୍କ ପାଇଁ ଏପ୍ରିଲ ୨ ହେଉଛି ସ୍ମରଣୀୟ ଦିନ। କାରଣ ୨୦୧୧ ବିଶ୍ବକପ୍‌ରେ ଏପ୍ରିଲ ୨ରେ କମାଲ୍ ଦେଖାଇଥିଲେ। ଶ୍ରୀଲଙ୍କା ବିପକ୍ଷ ଫାଇନାଲ ମ୍ୟାଚରେ ସ୍ମରଣୀୟ ଛକା ମାରି ଭାରତୀୟ ଟିମ୍‌କୁ ଜିତାଇଥିଲେ। ଏହାର ୭ ବର୍ଷ ପରେ ସେହି ଏପ୍ରିଲ ୨ରେ ଧୋନି ସମ୍ମାନଜନକ ପଦ୍ମ ପୁରସ୍କାର ଗ୍ରହଣ କରିଛନ୍ତି।

ଧୋନିଙ୍କ ନେତୃତ୍ବରେ ଟିମ୍‌ ଇଣ୍ଡିଆ ବିଶ୍ବକପ୍ ଜିତିବା ପରେ ତାଙ୍କୁ ପ୍ରାଦେଶିକ ସ୍ତରରେ ଲେଫ୍ଟନାଣ୍ଟ କର୍ଣ୍ଣଲ ପଦରେ ଭାରତୀୟ ସେନା ପକ୍ଷରୁ ନିଯୁକ୍ତି ଦିଆଯାଇଥିଲା। କପିଲ ଦେବଙ୍କ ପରେ ଧୋନି ହେଉଛନ୍ତି ଦ୍ୱିତୀୟ ଭାରତୀୟ କ୍ରିକେଟର ଯିଏ ଏହି ସମ୍ମାନ ପାଇଛନ୍ତି।

୨୦୦୭ରେ ଧୋନି ରାଜିବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇଥିବା ବେଳେ ୨୦୦୯ରେ ଦେଶର ଚତୁର୍ଥ ସର୍ବୋଚ୍ଚ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଥିଲା।

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟର୍‌ରେ ଧୋନିଙ୍କୁ ପ୍ରଶଂସା କରିଛନ୍ତି। ଟିମ୍‌ ଇଣ୍ଡିଆର ସଫଳ ଖେଳାଳି ମହେନ୍ଦ୍ର ସିଂ ଧୋନିଙ୍କୁ ପଦ୍ମ ଭୂଷଣ ପୁରସ୍କାର ପାଇଥିବାରୁ ଖୁସି ପ୍ରକାଶ କରିଛନ୍ତି ରାଷ୍ଟ୍ରପତି।

ଭାରତୀୟ ବିଲିୟାର୍ଡସ୍ ଖେଳାଳି ପଙ୍କଜ ଆଡଭାନି ମଧ୍ୟ ଏହି ସମ୍ମାନ ପାଇଛନ୍ତି। ଚଳିତବର୍ଷ ପଦ୍ମ ସମ୍ମାନ ପାଇଁ ୮୪ ଜଣ ବ୍ୟକ୍ତିଙ୍କୁ ମନୋନିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଆଜି ୪୧ ଜଣଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଛନ୍ତି।

Comment