ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆର ଗୋଲ୍‌ଡ କୋଷ୍ଟରେ ବୁଧବାରଠାରୁ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ଏପ୍ରିଲ୍‌ ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ ୧୯ ଖେଳର ୨୭୫ ଇଭେଣ୍ଟ୍‌ ଅନୁଷ୍ଠିତ ହେବ। ଅଲିମ୍ପିକ୍‌ ପରେ ଏହି ପ୍ରତିଯୋଗିତାକୁ ଦ୍ୱିତୀୟ ଶ୍ରେଷ୍ଠ ବିବିଧ କ୍ରୀଡ଼ା ପ୍ରତିଯୋଗିତା ଭାବେ ଗଣାଯାଇଥାଏ। ଭାରତ ଏହି ପ୍ରତିଯୋଗିତାକୁ ୨୦୧୦ ମସିହାରେ ଆୟୋଜନ କରିଥିଲା।

ଗୋଲ୍‌ଡ କୋଷ୍ଟ୍‍ରେ ବୁଧବାର ଭାରତୀୟ ସମୟ ଅପରାହ୍‌ଣ ୨.୩୦ରେ ଏହି ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି। ଅଢ଼େଇ ଘଣ୍ଟା ଧରି ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ଭାରତୀୟ ବ୍ୟାଡମିଣ୍ଟନ୍ କୁଇନ୍ ପି ଭି ସିନ୍ଧୁ ଭାରତୀୟ ଦଳର ନେତୃତ୍ବ ନେଇ ତ୍ରିରଙ୍ଗା ପତାକା ଧରିଥିଲେ। ପ୍ରଥମଥର ପାଇଁ କୌଣସି ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ସମାରୋହରେ ବିନା ଶାଢୀରେ ଦେଖାଯାଇଥିଲେ ଭାରତୀୟ ମହିଳା ଖେଳାଳି।

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମାସ୍କଟ୍‌ ନାଁ ‘ବୋରୋବି’। ବୋରୋବି ହେଉଛି ଅଷ୍ଟ୍ରେଲିଆରେ ବସବାସ କରୁଥବା ଭାଲୁ ପ୍ରଜାତିର କୋଆଲା। କିନ୍ତୁ ବୋରୋବି ହେଉଛି ପ୍ରଥମ ନୀଳ କୋଆଲା। ଏହି ପ୍ରଜାତିର ହୋଇଥିଲେ ମଧ୍ୟ ବୋରୋବିର ରଙ୍ଗ ଏବଂ ଗଠନରେ ବହୁ ସାମଞ୍ଜସ୍ୟ ରହିଥିଲା। ବୋରୋବି କୁଇନସଲାଣ୍ଡ୍‌ର ଜାତୀୟ ପଶୁ। ପ୍ରଥମ ସର୍ଫିଂ କରୁଥିବା କୋଆଲା ଦୁଃସାହାସୀ ଓ ମଜାଳିଆ ପ୍ରକୃତିର। ମାସ୍କଟ୍‌ରେ କୁଇନ୍‌ସଲାଣ୍ଡ ଏବଂ ଅଷ୍ଟ୍ରେଲିଆ ସଂସ୍କୃତିର ପ୍ରତିଫଳନ ମଧ୍ୟ ରହିଛି।

୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଫଳତା ଦୋହରାଇ ପାରିବ କି ଭାରତ?

୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହାତେଇଥିବା ସଫଳତାକୁ ଏଠାରେ ଟପିବାକୁ ଭାରତ ଲକ୍ଷ୍ୟ ରଖିଛି। ଭାରତର ୨୨୨ ଜଣିଆ ପ୍ରତିନିଧି ଦଳ ଗୋଲ୍‌ଡକୋଷ୍ଟ ଯାଇଛି। ଏକବିଂଶ ସଂସ୍କରଣରେ ଅଧିକ ପଦକ ହାସଲ କରିବା ଲକ୍ଷ୍ୟ ରଖିଛନ୍ତି ଭାରତୀୟ ପ୍ରତିଯୋଗୀମାନେ। ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୧୦୧ ପଦକ ଜିତିଥିଲା। ଯାହାକି ଏପର୍ଯ୍ୟନ୍ତ ଦେଶର ସବୁଠୁ ସଫଳ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରଦର୍ଶନ ରହିଆସିଛି। ୨୦୧୪ ଗ୍ଲାସ୍‌ଗୋ କ୍ରୀଡ଼ାରେ ଭାରତ ୬୪ ପଦକ ଜିତିଥିଲା। ସେମଧ୍ୟରେ ୧୫ ସ୍ୱର୍ଣ୍ଣ, ୩୦ ରୌପ୍ୟ ଏବଂ ୧୯ କାଂସ୍ୟ ସାମିଲ ଥିଲା। ଏବେ ବିଦେଶ ମାଟିରେ ଏହି ସଂଖ୍ୟାକୁ ଟପି ଅଧିକ ପଦକ ଅମଳ କରିବା ଲକ୍ଷ୍ୟ ରଖିଛି ଭାରତ। ବିଶେଷକରି ବନ୍ଧୁକ ଚାଳନା, କୁସ୍ତି, ଭାରୋତ୍ତୋଳନ ଏବଂ ମୁଷ୍ଟିଯୁଦ୍ଧ ହିଁ ଭାରତ ଅଧିକ ପଦକ ଜିତିବାର ଦାବିଦାର ଅଛି। ଏହା ପଛକୁ ସ୍କ୍ଵାସ୍‌, ବ୍ୟାଡ୍‌ମିଣ୍ଟନ ଏବଂ ଦୌଡ଼କୁଦରୁ ମଧ୍ୟ ପଦକ ଅମଳ ସମ୍ଭାବନା ଅଧିକ ରହିଛି। ଏପରିକି ଜିମ୍ପାଷ୍ଟିକ୍ସ ଓ ସାଇକେଲ ଚାଳନା ମଧ୍ୟ ଭାତରକୁ ପଦକ ଦେବା ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ।

ଗ୍ଲାସ୍‌ଗୋରେ ଭାରତ କେବଳ ବନ୍ଧୁକଚାଳନାରୁ ୧୭ ପଦକ ଜିତିଥିଲା। ଗୋଲ୍‌ଡକୋଷ୍ଟକୁ ୨୭ ଜଣିଆ ଦଳ ଯାଇଥିଲା ବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ବିଶ୍ୱକପ୍‌ ପଦକ ବିଜେତା ରହିଛନ୍ତି। ତେଣୁ ଏହି ଶୃଙ୍ଖଳରୁ ଭାରତ ଅଧିକ ପଦକ ଜିତିବାର ଆଶା ରଖିଛି। ଭାରୋତ୍ତୋଳନ, କୁସ୍ତି ଓ ମୁଷ୍ଟିଯୁଦ୍ଧରେ ମଧ୍ୟ ସଂଖ୍ୟାଧିକ ବିଶ୍ୱ ବିଜେତା ରହିଥିବାରୁ ଭାରତ ମୋଟ ପଦକ ସଂଖ୍ୟା ବଢ଼ାଇବାର ସମ୍ଭାବନା ରହିଛି। ସେହିପରି ଦୌଡ଼କୁନରେ ୨୮ ପ୍ରତିଯୋଗୀ ରହିଥିଲା ବେଳେ ବ୍ୟାଡ୍‌ମିଣ୍ଟନରେ ପିଭି ସିନ୍ଧୁ, ସାଇନା ନେହ୍ଵାଲ, କିଦାମ୍ବି ଶ୍ରୀକାନ୍ତ ଓ ଏଚ୍‌ଏସ୍‌ ପ୍ରଣୟ ପଦକ ଜିତିବାର ସାମର୍ଥ୍ୟ ରଖିଛନ୍ତି। ପୁରୁଷ ହକି ଦଳ ଗତ ଦୁଇଟି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟରେ ସନ୍ତୁଷ୍ଟ ରହିଥିବାରୁ ଏଠାରେ ସ୍ୱର୍ଣ୍ଣ ଉପରେ ନଜର ରଖିଛି। ମହିଳା ହକି ଦଳ ମଧ୍ୟ ଗତ ଦୁଇ କ୍ରୀଡ଼ାରେ ପଦକଶୂନ୍ୟ ରହିଥିବାରୁ ଏଥର ଖାଲି ହାତରେ ନଫେରିବାକୁ ଚାହିଁବସିଛି। ଟେବୁଲ ଟେନିସ୍‌, ସାଇକେଲ ଚାଳନା ଓ ଜିମ୍ନାଷ୍ଟିକ୍ସରେ ଭାରତ ପଦକ ଯୋଡ଼ିବାର ଦାବିଦାର ମଧ୍ୟ ରହିଛି।

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଇତିହାସ

ବ୍ରିଟିଶ୍‍ ଶାସନାଧୀନ ରାଷ୍ଟ୍ରମାନଙ୍କୁ ନେଇ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ହୋଇଥାଏ। ୧୯୩୦ରେ ଏହି କ୍ରୀଡ଼ା ଆରମ୍ଭ ହୋଇଥିଲେ ହେଁ ସମାନୁକ୍ରମେ ଏହି କ୍ରୀଡ଼ାର ନାମ ପରିବର୍ତ୍ତନ ହୋଇଛି। ୧୯୩୦ରୁ ୧୯୫୦ ପର୍ଯ୍ୟନ୍ତ ଏହାକୁ ବ୍ରିଟିଶ୍‍ ଏମ୍ପାୟାର ଗେମ୍‍ସ କୁହା ଯାଉଥିବା ବେଳେ ୧୯୫୪ରୁ ୧୯୬୬ ପର୍ଯ୍ୟନ୍ତ ଏହା ବ୍ରିଟିଶ୍‍ ଏମ୍ପାୟାର ଏଣ୍ଡ୍‍ କମନ୍‍ୱେଲ୍‍ଥ ଗେମ୍‍ସ ନାମରେ ଏବଂ ୧୯୭୦ ରୁ ୧୯୭୪ ପର୍ଯ୍ୟନ୍ତ ଏହା ବ୍ରିଟିଶ୍‍ କମନ୍‍ୱେଲ୍‍ଥ ଗେମ୍‍ସ ଏବଂ ୧୯୭୮ରୁ ଅଦ୍ୟାବଧି ଏହା କମନ୍‍ୱେଲ୍‍ଥ ଗେମ୍‍ସ ବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ନାମରେ ଖେଳାଯାଉଛି। ୧୯୩୦ରେ କାନାଡ଼ାର ହାମିଲ୍‍ଟନରେ ପ୍ରଥମଥର ପାଇଁ ଏହି କ୍ରୀଡ଼ା ଆୟୋଜନ ହୋଇଥିଲା। ଏହାକୁ ମିଶାଇ ୨୦ଟି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ହୋଇସାରିଛି। ୨ୟ ବିଶ୍ୱଯୁଦ୍ଧ ଯୋଗୁଁ ୧୯୪୨ ଓ ୧୯୪୬ରେ ଏହି କ୍ରୀଡ଼ାର ଆୟୋଜନ ହୋଇନଥିଲା।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ ଏହି କ୍ରୀଡ଼ାର ଆୟୋଜନ କରିଥାଏ। ଅଲିମ୍ପିକ୍‍ କ୍ରୀଡ଼ା ପରେ ବିଶ୍ୱରେ ଏହା ୨ୟ ସର୍ବବୃହତ୍‍ କ୍ରୀଡ଼ା ପ୍ରତିଯୋଗିତା। ମୋଟ ୫୩ଟି ରାଜ୍ୟଗୋଷ୍ଠୀ ଦେଶ ଥିଲେ ହେଁ ୭୧ଟି ଦେଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥାଆନ୍ତି। ଅଦ୍ୟାବଧି ୯ଟି ଦେଶରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ହୋଇଛି। ଏହି ୯ଟି ଦେଶର ୧୮ଟି ସହର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିଛନ୍ତି। ଅଷ୍ଟ୍ରେଲିଆ (୧୯୩୮, ୧୯୬୨, ୧୯୮୨, ୨୦୦୬) ଓ କାନାଡ଼ା (୧୯୩୦, ୧୯୫୪, ୧୯୭୮, ୧୯୯୪) ସର୍ବାଧିକ ୪ ଥର ଲେଖାଏଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିଥିବା ବେଳେ ଚଳିତ କ୍ରୀଡ଼ା ଗୋଲ୍‍ଡକୋଷ୍ଟରେ ଆୟୋଜନ କରି ଅଷ୍ଟେଲିଆ ରେକର୍ଡ ୫ମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ଯାଉଛି। ନ୍ୟୁଜିଲାଣ୍ଡର ଅକ୍‍ଲାଣ୍ଡ (୧୯୫୦, ୧୯୯୦) ଓ ସ୍କଟ୍‍ଲାଣ୍ଡର ଏଡିନ୍‍ବରା (୧୯୭୦, ୧୯୮୬) ହେଉଛନ୍ତି ୨ଟି ସହର; ଯାହା ୨ ଥର ଲେଖାଏଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିଛନ୍ତି। ଅଦ୍ୟାବଧି କେବଳ ୬ଟି ଦେଶ- ଅଷ୍ଟ୍ରେଲିଆ, କାନାଡ଼ା, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ସ୍କଟ୍‍ଲାଣ୍ଡ ଓ ୱେଲ୍‍ସ ସମସ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଛନ୍ତି। ଏ ପର୍ଯ୍ୟନ୍ତ ଅନୁଷ୍ଠିତ ୨୦ଟି ରାଜ୍ୟଗୋଷ୍ଠୀ କ୍ରୀଡ଼ା ମଧ୍ୟରୁ ଅଷ୍ଟ୍ରେଲିଆ ସର୍ବାଧିକ ୧୨ଟି କ୍ରୀଡ଼ାରେ ପ୍ରଥମ ହୋଇଥିବା ବେଳେ ଇଂଲଣ୍ଡ ୭ଟିରେ ଓ କାନାଡ଼ା ଗୋଟିଏ କ୍ରୀଡ଼ାରେ ପ୍ରଥମ ସ୍ଥାନରେ ରହିଛନ୍ତି।

Comment