ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲାର ଭେଟନଇ-ବାଲିପଦାର କୃଷ୍ଣସାର ମୃଗଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି। ଏକଥା କହିଛନ୍ତି ଓଡ଼ିଶା ବନ ବିଭାଗ।
ଗଞ୍ଜାମ ଜିଲ୍ଲା ଭେଟନଇ-ବାଲିପଦାର ଅଞ୍ଚଳରେ ବହୁ ବର୍ଷ ଧରି ଦେଖିବାକୁ ମିଳୁଥିବା ବିରଳ କୃଷ୍ଣସାର ମୃଗ ବଂଶ ବୃଦ୍ଧି ହୋଇଥିବା ସୂଚନା ଦେଇଛନ୍ତି ଓଡ଼ିଶା ବନ ବିଭାଗ।
ନିକଟରେ ବନ ବିଭାଗ ପକ୍ଷରୁ କରାଯାଇଥିବା ଗଣନା ଅନୁସାରେ ଗତବର୍ଷ ଅପେକ୍ଷା ମୃଗଙ୍କ ସଂଖ୍ୟାରେ ୨୦ପ୍ରତିଶତ ବୃଦ୍ଧି ପାଇଛି। ବର୍ତ୍ତମାନ ପାଖିପାଖି ୪,୦୪୪ଟି ବିରଳ କୃଷ୍ଣସାର ମୃଗ ଥିବାବେଳେ ସେଥିମଧ୍ୟରୁ ୨,୦୮୬ ମହିଳା, ୧,୧୬୬ଜଣ ପୁରୁଷ ମୃଗ, ୫୫୪ଟି ଛୁଆ ମୃଗ ରହିଛନ୍ତି।
୧୯୧୮ମସିହାରେ ମାଡେଶୀ ଚନ୍ଦ୍ରମଣୀ ଦୋରା ନାମକ ଜଣେ ବ୍ୟକ୍ତି କୃଷ୍ଣସାର ମୃଗଙ୍କ ସୁରକ୍ଷା ପାଇଁ ଆଗେଇ ଆସିଥିଲେ। ମୃଗଙ୍କ ସୁରକ୍ଷା ପାଇଁ ସେ ଏକ ବିଜ୍ଞାପନ ସ୍ଥାନୀୟ ଖବରକାଗରେ ଦେଇଥିଲେ।
ମୃଗଙ୍କୁ ଶିକାର କରି ତା’ର ଶିଙ୍ଘକୁ ବାହାରେ ବିକ୍ରି କରାଯାଉଥିଲା। ଫଳରେ ଏଭଳି ବିରଳ ମୃଗଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିଲା। ମୃଗଙ୍କ ସୁରକ୍ଷା ପାଇଁ ଆଗେଇ ଆସିଥିଲେ ସ୍ଥାନୀୟ ଗ୍ରାମବାସୀ।
ଦୁର୍ଘଟଣାରେ, ହିଂସ୍ରଜନ୍ତୁ ହାବୁଡ଼ରେ ପଡ଼ି ବା ଶିକାରୀ ହାତରେ ଏମିତି ପ୍ରାୟ ପ୍ରତ୍ୟେକ ଦିନ ଗୋଟିଏ ଦୁଇଟି କୃଷ୍ଣସାର ପ୍ରାଣ ହରାଉଛନ୍ତି। ବିଭିନ୍ନ ସମୟରେ କୃଷ୍ଣସାର ମୃଗର କଙ୍କାଳ ମିଳିଥିବାର ବହୁ ଅଭିଯୋଗ ମଧ୍ୟ ଆସିଛି।
କେବଳ ଗଞ୍ଜାମରେ ବହୁ ସଂଖ୍ୟାରେ ଦେଖିବାକୁ ମିଳୁଥିବା ବିରଳ କୃଷ୍ଣସାରର ବଂଶ ରକ୍ଷା, ସେମାନଙ୍କ ସୁରକ୍ଷା ଲାଗି ସରକାର କିମ୍ବା ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗଲା କିଛି ବର୍ଷ ଭିତରେ କୃଷ୍ଣସାରଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ଘଟିଥିଲା। କେବଳ ଆସିକା ବନାଞ୍ଚଳରେ ୨୦୧୫ ଗଣନା ଅନୁସାରେ ୨୬୧୮ଟି କୃଷ୍ଣସାର ଥିଲେ। ବନ ବିଭାଗ ପକ୍ଷରୁ ଦିଆ ଯାଇଥିବା ତଥ୍ୟ ଅନୁସାରେ ୨୦୧୬ରେ ପ୍ରାକୃତିକ କାରଣରୁ ୬ଟି, ଦୁର୍ଘଟଣାରେ ୨ଟି, ପରସ୍ପର ମଧ୍ୟରେ ଲଢ଼େଇରେ ଚାରିଟି, ହିଂସ୍ରଜନ୍ତୁ ଆକ୍ରମଣରେ ୩ଟି ଏଭଳି ୧୫ କୃଷ୍ଣସାରଙ୍କ ମୃତ୍ୟୁ ଘଟିଛି।
ତେବେ ବେସରକାରୀ ଭାବେ ଏହି ସଂଖ୍ୟା ବହୁ ଅଧିକ। ଖାଦ୍ୟ ଅନ୍ଵେଷଣରେ ଜନବସତି ମଧ୍ୟକୁ ପଳାଇ ଆସୁଥିବା, ରାସ୍ତା ପାର ହେଉଥିବା ବେଳେ ଗାଡ଼ି ଧକ୍କାରେ ପ୍ରାୟ ଅଧିକାଂଶ ଦିନ କୃଷ୍ଣସାରଙ୍କ ମୃତ୍ୟୁ ଘଟୁଛି। ଏହାଛଡ଼ା ଲୁଚା ଚୋରାରେ ଶିକାରୀଙ୍କ ଦ୍ୱାରା ଅନେକ ମରୁଛନ୍ତି। ଯାହା ବନ ବିଭାଗ ରେକର୍ଡକୁ ନେଉନାହିଁ।