ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅମିତ ଶାହାଙ୍କ ମିଶନ୍-୧୨୦ ଗଣିତକୁ ନେଇ ପୁଣି ରାଜ୍ୟ ରାଜନୀତିରେ ଝଡ଼ ଉଠିଛି। ଶାହାଙ୍କ ‘୧୨୦ ପ୍ଲସ୍‌’ ଆସନର ଜବାବ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦେଇଛନ୍ତି।

ଭବାନିପାଟଣା ସମାବେଶରେ ମିଶନ୍-୧୨୦ ସମ୍ପର୍କରେ ପଦେ କହିଲେନି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା। କିନ୍ତୁ ଗୁରୁବାର ବଲାଙ୍ଗିରରେ ହୋଇଥିବା ଯୁବ ସମାବେଶରେ ଶାହା ଦୁଇ ପାଦ ଆଗକୁ ଯାଇଛନ୍ତି। ବିଜେପି ୧୨୦ରୁ ଅଧିକ ଆସନ ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଶାହାଙ୍କ ଦୃଢ଼ୋକ୍ତିର ଜବାବ ଦେବାକୁ ଆଗେଇ ଆସିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଶାହାଙ୍କ ମନ୍ତବ୍ୟକୁ ଅତିରଞ୍ଜିତ କହିଛନ୍ତି ନବୀନ।

“୨୦୧୯ରେ ବିଜେପି ଓଡ଼ିଶାରେ ୧୨୦ରୁ ଅଧିକ ଆସନ ପାଇବ ବୋଲି କହି ଆତ୍ମସନ୍ତୋଷ ପାଉଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି। ତାଙ୍କ ଭାଷଣ ଅତିରଞ୍ଜିତ”, ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ନବୀନ ଏହା କହିଛନ୍ତି।

ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟାର ଜବାବ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ସେ କହିଛନ୍ତି, “ବିଜେପି ପ୍ରତି ଅଧିକରୁ ଅଧିକ ଯୁବକ ଆକର୍ଷିତ ହେଉଥିବାରୁ ନବୀନ ପଟ୍ଟନାୟକ ଭୟଭୀତ ହୋଇଯାଇଛନ୍ତି। ସେଥିପାଇଁ ସେ ଏଭଳି ମନ୍ତବ୍ୟ ଦେଉଛନ୍ତି।”

ବୁଧବାର ଅମିତ ଶାହା କଳାହାଣ୍ଡି ଜିଲ୍ଲାରେ ଆସି ପହଞ୍ଚିଥିଲେ। ଭବାନିପାଟଣାରେ ଆୟୋଜିତ ସମାବେଶରେ ନବୀନ ସରକାରଙ୍କ ଉପରେ ବର୍ଷିଥିଲେ। ହେଲେ ୧୨ହ ଆସନ କଥା କହି ନଥିଲେ। ଏହାକୁ ନେଇ ଗୁରୁବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ଶାହା ମିଶନ୍ ୧୨୦ ସମ୍ପର୍କରେ କାହିଁକି କିଛି କହିଲେ ନାହିଁ। ଗଣମାଧ୍ୟମ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ସମାବେଶରେ ଶାହା କହିଲେ ଯେ ୧୨୦ ନୁହେଁ, ୨୦୧୯ରେ ଆମେ ୧୨୦ରୁ ଅଧିକ ଆସନ ପାଇବୁ।

Comment