ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆଇପିଏଲ୍‌ ମହାକୁମ୍ଭ ଆରମ୍ଭ
  • ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ରଙ୍ଗାରଙ୍ଗ ପରିବେଶ
  • ବଲଉଡ ଷ୍ଟାର ବରୁଣ ଧାବନ, ହ୍ରିତିକ ରୋଶନ ବି ନାଚିଲେ
  • ୮ଟାରୁ ଆରମ୍ଭ ହେବ ମ୍ୟାଚ
  • ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ-ଚେନ୍ନାଇ ସୁପର କିଙ୍ଗ୍ସ

ରଙ୍ଗିନ୍ ଆଲୋକ ସାଙ୍ଗକୁ ଖଚାଖଚ ଭିଡ଼। ରଙ୍ଗରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିଲା ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ। ନାଚି, ଗାଇ ଦର୍ଶକଙ୍କୁ ମତୁଆଲା କରିଛନ୍ତି ବଲିଉଡ କଳାକାର। ଏମିତି ଏକ ପରିବେଶ ଦେଖିବାକୁ ମିଳିଛି ଆଇପିଏଲ୍ ସିଜିନ୍-୧୧ ଶୁଭାରମ୍ଭ ଅବସରରେ।

ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି ଆଇପିଏଲ୍ ସିଜିନ୍-୧୧। ଉଦଘାଟନୀ ଉତ୍ସବରେ ଜଲୱା ଦେଖାଇଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ବରୁଣ ଧାବନ ଏବଂ ଡ୍ୟାନ୍ସିଂ ଷ୍ଟାର୍ ପ୍ରଭୁ ଦେବା ବି କମାଲ୍ କରିଛନ୍ତି ଏହି ଉତ୍ସବରେ। ଦର୍ଶକମାନେ ପୂରା ଉତ୍ସବକୁ ଉପଭୋଗ କରୁଛନ୍ତି।

ଆଇପିଏଲ୍ ସିଜିନ୍-୧୦ର ବିଜେତା ଅଧିନାୟକ ରୋହିତ ଶର୍ମା ଟ୍ରଫି ଆଣି ଷ୍ଟେଜ୍ ଉପରେ ରଖିଛନ୍ତି। ଏହି ଟ୍ରଫି ପାଇଁ ଚଳିତ ସିଜିନରେ ୮ଟି ଟିମ୍ ମଧ୍ୟରେ ଦମଦାର ଲଢ଼େଇ ହେବ।

ବଲିଉଡ ଷ୍ଟାର ହ୍ରିତିକ ରୋଶନ ବି ଆଇପିଏଲ୍ ଷ୍ଟେଜରେ ନାଚିଛନ୍ତି। ତାଙ୍କ ନାଚରେ ଦର୍ଶକମାନେ ଭିଜିଛନ୍ତି। ସେହିପରି ବଲିଉଡ ଗାୟକ ମିକ୍କା ସିଂହ ବି ଉଦଘାଟନୀ ଉତ୍ସବରେ ଧମାଲ କରିଛନ୍ତି। ‘ଜୈସେ ଜୁମେ କି ରାତ୍‌ ହୈ…’ ଗୀତ ଗାଇ ଦର୍ଶକଙ୍କୁ ନଚାଇଛନ୍ତି।

ରଙ୍ଗରଙ୍ଗ କାର୍ଯ୍ୟକ୍ରମ ପରେ ୮ଟାରେ ଆରମ୍ଭ ହେବ ପ୍ରଥମ ମ୍ୟାଚ। ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର୍‌ କିଙ୍ଗ୍ସ। ଆଇପିଏଲ୍ ଇତିହାସରେ ଏହି ଦୁଇ ଟିମ୍‌ ସବୁବେଳେ ଦମ୍‌ଦାର ଖେଳ ପ୍ରଦର୍ଶନ କରି ଆସିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩, ୨୦୧୫ ଏବଂ ୨୦୧୭ରେ ବିଜୟୀ ହୋଇଥିବା ବେଳେ ଚେନ୍ନାଇ ଟିମ୍ ୨୦୧୦ ଏବଂ ୨୦୧୧ରେ ବିଜୟୀ ହୋଇଥିଲା।

Comment