ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିଆଇଆଇ ସହଯୋଗରେ ୨୦୧୬ରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ସଫଳ ହୋଇଥିଲା। ଦ୍ୱିତୀୟ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଓଡ଼ିଶା ସରକାରଙ୍କୁ ଝଟ୍‌କା ଦେଇଛି ସିଆଇଆଇ। ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮ରୁ ଓହରି ଯାଇଛି ସିଆଇଆଇ। ଏହାକୁ ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି ଦର୍ଶାଇ ଓଡ଼ିଶା ଚାପ୍ଟରର ସଭାପତିଉପସଭାପତି ଇସ୍ତଫା ଦେଇଛନ୍ତି

ଓଡ଼ିଶା ସରକାରଙ୍କ ସହ ମୁହାଁମୁହିଁ ହୋଇଛି ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ)। ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮ରେ ପାର୍ଟନର୍ ରହିବ ନାହିଁ ବୋଲି ଏପ୍ରିଲ ୪ରେ ସିଆଇଆଇ ଓଡ଼ିଶା ଶିଳ୍ପ ବିଭାଗକୁ ଚିଠି ଦେବା ପରେ ତେଜିଛି ରାଜ୍ୟ ରାଜନୀତି।

ସିଆଇଆଇର ଏହି ହଠାତ୍ ନିଷ୍ପତ୍ତିକୁ ନେଇ କାରଣ ଖୋଜା ଚାଲିଥିବା ବେଳେ ଓଡ଼ିଶା ଚାପ୍ଟର ସିଆଇଆଇକୁ ବଡ଼ ଧକ୍କା ଲାଗିଛି। ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସିଆଇଆଇ ସହଯୋଗ କରିବ ନାହିଁ ବୋଲି ସ୍ପଷ୍ଟ କରିବା ପରେ ସିଆଇଆଇର ଓଡ଼ିଶା ଶାଖାରେ ହଲ୍‌ଚଲ୍‌ ସୃଷ୍ଟି ହୋଇଛି। ସିଆଇଆଇର ଏହି ନିଷ୍ପତ୍ତିକୁ ଓଡ଼ିଶା ଶାଖା ଗ୍ରହଣ କରିପାରି ନଥିବା ଜଣାପଡ଼ିଛି। ଏହାର ପ୍ରମାଣ ହେଉଛି ସିଆଇଆଇ ଓଡ଼ିଶା ଚାପ୍ଟରରୁ ସଭାପତି ଏବଂ ଉପ-ସଭାପତି ଇସ୍ତଫା ଦେବା ଘଟଣା।

ଓଡ଼ିଶା ଚାପ୍ଟରର ସଭାପତି ଅରୁଣ କୁମାର ମିଶ୍ର ଏବଂ ଉପ-ସଭାପତି ସୁବ୍ରତ ତ୍ରିପାଠୀ ୧୦ ତାରିଖରେ ଇସ୍ତଫା ଦେବା ପରେ ସିଆଇଆଇକୁ ବଡ଼ ଧକ୍କା ଲାଗିଛି। ସିଆଇଆଇର ଭବିଷ୍ୟତ ଓଡ଼ିଶାରେ ଅନିଶ୍ଚିତତା ହୋଇଯାଇଥିବା ଚର୍ଚ୍ଚା ହେଉଛି।

ସୁବ୍ରତ ତ୍ରିପାଠୀ କହିଛନ୍ତି, “ଓଡ଼ିଶାର ସ୍ୱାର୍ଥହାନୀ ହେଉଥିବାରୁ ମୁଁ ଓଡ଼ିଶା ଚାପ୍ଟର ସିଆଇଆଇର ଉପ-ସଭାପତି ପଦରୁ ଇସ୍ତଫା ଦେଇଛି।”

ମେକ୍ ଇନ୍ ଓଡ଼ିଶା କନକ୍ଲେଭରୁ ସିଆଇଆଇ କାହିଁକି ଓହରିଗଲା ସେନେଇ କିଛି ସ୍ପଷ୍ଟ ମତ ରଖି ନାହାନ୍ତି ଶ୍ରୀ ତ୍ରିପାଠୀ।

ଦେଶର ବିଭିନ୍ନ ଶିଳ୍ପ ଅନୁଷ୍ଠାନ ସିଆଇଆଇର ସଦସ୍ୟ ଅଛନ୍ତି। ସିଆଇଆଇ ସହଯୋଗରେ ୨୦୧୬ରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ସଫଳ ହୋଇଥିଲା। ପ୍ରଥମ ସଂସ୍କରଣରେ ୩ ଲକ୍ଷ ୬୪ ହଜାର କୋଟି ଟଙ୍କାର ୧୨୪ଟି ନିବେଶ ପ୍ରସ୍ତାବ ଆସିଥିଲା। ସେଥିରୁ ୬୦ ପ୍ରତିଶତ ନିବେଶ ବିଭିନ୍ନ ପର୍ଯ୍ୟାୟରେ ରହିଛି। ତେବେ ଦ୍ୱିତୀୟ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଓଡ଼ିଶା ସରକାରଙ୍କୁ ଝଟ୍‌କା ଦେଇଛି ସିଆଇଆଇ।

ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮ରେ ସହଯୋଗ କରିବା ପାଇଁ ଓଡ଼ିଶା ସରକାର ସିଆଇଆଇକୁ ଅନୁରୋଧ କରିଥିଲେ। ସହଯୋଗ କରିବା ପାଇଁ ସିଆଇଆଇ ସହମତି ଜଣାଇଥିଲା। ଏନେଇ ପଦକ୍ଷେପ ନେବା ଆରମ୍ଭ କରିଥିଲା ସିଆଇଆଇ।

ଜାନୁଆରୀ ମାସରେ ଏଥିପାଇଁ ବଜେଟ୍ ଦେଇଥିଲା ସିଆଇଆଇ। ଏହି ସଂସ୍ଥା ପକ୍ଷରୁ ଫେବ୍ରୁଆରିରେ କୋ-ଅର୍ଡିନେଟର ବି ନିଯୁକ୍ତ କରାଯାଇଥିଲା। ହେଲେ ଗତ ୪ ତାରିଖରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ୨୦୧୮ କନକ୍ଲେଭରୁ ସିଆଇଆଇ ଓହରି ଯାଇଥିବା ସ୍ପଷ୍ଟ କରିଛି। ଅଲଗା କାମରେ ‘ଆମେ ବ୍ୟସ୍ତ ଅଛୁ’ କହି ସିଆଇଆଇ କନକ୍ଲେଭରୁ ଓହରି ଯାଇଛି।

ତେବେ ପ୍ରଶ୍ନ ଉଠୁଛି ଯଦି ସିଆଇଆଇର ଅଲଗା କାମ ଥିଲା ତାହାଲେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮ ପାଇଁ ସହମତି ଦେଉଥିଲା କାହିଁକି? ଜାନୁଆରୀ ମାସରେ ବଜେଟ୍ ଏବଂ ଫେବ୍ରୁଆରି ମାସରେ କୋ-ଅର୍ଡିନେଟର ନିଯୁକ୍ତ କରୁଥିଲେ କାହିଁକି ସିଆଇଆଇ କର୍ତ୍ତୃପକ୍ଷ? ଏପ୍ରିଲ ୪ ତାରିଖରେ ଚିଠି ଦେଇ ହଠାତ୍ ଓହରି ଯିବାର କାରଣ କ’ଣ ଥାଇପାରେ ବୋଲି ଏବେ ତାକୁନେଇ ଚର୍ଚ୍ଚା ଜୋର୍ ଧରିଛି।

ନିଷ୍ପତ୍ତିର ପୁନଃବିଚାର କରିବା ପାଇଁ ସିଆଇଆଇକୁ ଅନୁରୋଧ କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ହେଲେ ଏ ସମ୍ପର୍କରେ ରାଜ୍ୟ ଶିଳ୍ପ ବିଭାଗ ମୁହଁ ଖୋଲୁନି।

ବିଭାଗୀୟ ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି, “ସିଆଇଆଇ ସହଯୋଗ ନକଲେ ବି ୨୦୧୮ ନଭେମ୍ବରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଆୟୋଜନ କରାଯିବ। ସିଆଇଆଇ ଓହରିଯିବା ପ୍ରସଙ୍ଗକୁ ନେଇ ଏବେ ଆଲୋଚନା ଚାଲିଛି। ଆଲୋଚନା ପରେ ସବୁକିଛି ସ୍ପଷ୍ଟ ହେବ।”

ସିଆଇଆଇ କାହିଁକି ଓହରିଗଲା ତାର ଠୋସ୍ କାରଣ କହି ନାହାନ୍ତି ବିଭାଗୀୟ ମନ୍ତ୍ରୀ।

ମାର୍ଚ୍ଚ ମାସରେ ସିଆଇଆଇ ପୂର୍ବାଞ୍ଚଳ ଜୋନ୍‌ର ଅଧ୍ୟକ୍ଷା ହୋଇଛନ୍ତି ଜାଗି ମଙ୍ଗତ ପଣ୍ଡା। ସିଆଇଆଇ ମେକ୍ ଇନ୍ ଓଡ଼ିଶା କନକ୍ଳେଭରୁ ଅପ୍ରତ୍ୟାଶିତ ଭାବେ ଓହରି ଯାଇଥିବାରୁ ବିଜେଡି ଜାଗିଙ୍କୁ ଦାୟୀ କରିଛି। ହେଲେ ଜାଗି ଏହାକୁ ଖଣ୍ଡନ କରିଛନ୍ତି।

“ପୂର୍ବାଞ୍ଚଳ ସିଆଇଆଇର ଅଧ୍ୟକ୍ଷା ହୋଇଥିବାରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ଯାହା ସହଯୋଗ ଦରକାର ତାହା ମୁଁ କରିବି। ହେଲେ ବୈଜୟନ୍ତ ପଣ୍ଡାଙ୍କୁ ନେଇ ବିଜେଡି ଯେଉଁ ରାଜନୀତି କରୁଛି ସେଥିରେ ମୋତେ ଟାଣନ୍ତୁ ନାହିଁ। ସିଆଇଆଇ କାହିଁକି ଓହରିଗଲା ସେ ସମ୍ପର୍କରେ ଜାଣିବା ପାଇଁ ସିଆଇଆଇ କେନ୍ଦ୍ରୀୟ ଅଫିସ ସହ ଯୋଯୋଗ କରୁ ବିଜେଡି”, କହିଛନ୍ତି ଜାଗି ମଙ୍ଗତ ପଣ୍ଡା।

ମେକ୍ ଇନ୍ ଓଡ଼ିଶା କନକ୍ଲେଭରୁ ସିଆଇଆଇ ଓହରି ଯିବା ପରେ ଓଡ଼ିଶାର ଶଳ୍ପ ସମୂହକୁ ବଡ଼ ଝଟକା ଲାଗିଛି। ଓଡ଼ିଶା ଚାପ୍ଟରର ସଭାପତି ଅରୁଣ କୁମାର ମିଶ୍ର ଏବଂ ଉପ-ସଭାପତି ସୁବ୍ରତ ତ୍ରିପାଠୀ ଇସ୍ତଫା ଦେବା ପରେ ସିଆଇଆଇ ଓଡ଼ିଶା ଚାପ୍ଟରରେ ଭୂମିକମ୍ପ ସୃଷ୍ଟି ହୋଇଛି। ସିଆଇଆଇ ଓଡ଼ିଶା ଚାପ୍ଟର ଇତିହାସରେ ପୂର୍ବରୁ ଏମିତି କେବେ ଦେଖାଦେଇ ନଥିବାରୁ ଏବେ ହଠାତ୍ କାହିଁକି ଏଭଳି ଘଟଣା ଘଟିଲା ତାହା ସମସ୍ତଙ୍କୁ ଚକିତ କରିଛି। ଏହା ଆଗକୁ କେଉଁ ମୋଡ଼ ନେଉଛି ତାହା ଅପେକ୍ଷା କରି ଦେଖିବାର କଥା।

Comment