ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ଲୋକପ୍ରିୟ ସଙ୍ଗୀତକାରମାନଙ୍କ ମଧ୍ୟରୁ ଅମିତ୍ ତ୍ରିବେଦୀ ଅନ୍ୟତମ। ସେ  ୧୯୭୯ ମସିହା ଏପ୍ରିଲ୍ ୮ ତାରିଖରେ ମୁମ୍ବାଇରେ ଜନ୍ମ ହୋଇଥିଲେ। ସେ କେବଳ ଯେ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି, ତା’ ନୁହେଁ ବରଂ କେତେକ ବିଜ୍ଞାପନ ଓ ଆଲବମରେ ବି ସ୍ୱର ସଂଯୋଜନା  କରିଛନ୍ତି।

କଲେଜରେ ପଢ଼ୁଥିବା ବେଳେ ଅମିତ୍ ‘ଓମ୍’ ନାମକ ଏକ ମ୍ୟୁଜିକ୍ ବ୍ୟାଣ୍ଡ୍‌ ସହିତ ଜଡ଼ିତ ଥିଲେ। ସେହି ସମୟରେ ସେ କେତେକ ବଡ଼ କମ୍ପାନିମାନଙ୍କ ପାଇଁ ଜିଙ୍ଗଲସ ବନାଇଥିଲେ। ତେବେ ୨୦୦୮ରେ ଅମିତ୍ ତ୍ରିବେଦୀ ‘ଆମିର’ ଫିଲ୍ମରେ ମ୍ୟୁଜିକ ଦେଇ କମ୍ପୋଜର ଭାବେ ବଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ। ତେବେ ୨୦୦୯ରେ ରିଲିଜ୍ ହୋଇଥିବା ବହୁଚର୍ଚ୍ଚିତ ଫିଲ୍ମ ‘ଦେବ୍‌ ଡି’ ଅମିତ୍ ତ୍ରିବେଦୀଙ୍କ କ୍ୟାରିଅରକୁ ନୂଆ ମୋଡ ଦେଇଥିଲା। ଏହି ଫିଲ୍ମରେ ଅମିତ୍ ‘ଇମୋସନାଲ୍ ଅତ୍ୟାଚାର…’ ଗୀତ କମ୍ପୋଜ କରି ଚର୍ଚ୍ଚିତ ହେଲେ। ଏହି ଫିଲ୍ମ ପାଇଁ ୨୦୧୦ରେ ଅମିତ ତ୍ରିବେଦୀ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ରାଷ୍ଟ୍ରୀୟ ପରୁସ୍କାର ହାସଲ କରିଥିଲେ।

୨୦୧୦ରେ ରିଲିଜ୍ ହୋଇଥିବା ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ଉଡାନ୍’ ଓ ୨୦୧୪ରେ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ସିନେମା ‘କୁଇନ୍’ ଲାଗି ଅମିତଙ୍କୁ ଶ୍ରେଷ୍ଠ ବ୍ୟାକ୍‌ଗ୍ରାଉଣ୍ଡ ସ୍କୋର ଲାଗି ୬୦ତମ ଫିଲ୍ମ ଫେଆର ଆୱାର୍ଡ ମିଳିଥିଲା। ଉଭୟ ଫିଲ୍ମ ଫ୍ୟାଣ୍ଟମ୍ ପ୍ରଡକସନ ଦ୍ୱାରା ପ୍ରଯୋଜିତ।

ଅମିତ୍ ତ୍ରିବେଦୀ ଏହାପରେ ‘ଲୁଟେରା’, ‘ଇଶକଜାଦେ’, ‘କାୟପୋଚେ’, ‘ବମ୍ବେ ଭେଲଭେଟ୍’, ‘ଇଂଲିଶ୍ ବିଂଲିଶ୍’, ‘ନୋ ୱାନ୍ କିଲଡ ଜେସିକା’, ‘ଶାନଦାର’ ଆଦି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ଫିଲ୍ମ ବ୍ୟତୀତ ଅମିତ୍ ଏକ ଲୋକପ୍ରିୟ ଟେଲିଭିଜନ ସୋ’ କୋକ ଷ୍ଟୁଡିଓର ମଧ୍ୟ ପ୍ରତିଟି ସିରିଜରେ ନିଜ ଗୀତ ପ୍ରସ୍ତୁତ କରିଛନ୍ତି। ଖାଲି ସେତିକି ନୁହେଁ, ସେ ‘ଦେବ୍‌ ଡି’ ଓ ‘ଚିଲ୍ଲର ପାର୍ଟି’ ଫିଲ୍ମ ପାଇଁ ମଧ୍ୟ ଗୀତ ରଚନା କରିଛନ୍ତି।

ତେବେ ସଙ୍ଗୀତକାର ଅମିତ୍ ତ୍ରିବେଦୀ ବାଦବିବାଦରେ ବି ଫସିଛନ୍ତି। ତାଙ୍କ ଉପରେ ଏଭଳି ଅଭିଯୋଗ ଆସିଥିଲା, ଯାହା ଜାଣି ଲୋକେ ବିସ୍ମିତ ହୋଇଥିଲେ। ବଲିଉଡରେ ଏଭଳି ଅଭିଯୋଗ ନୂଆ କଥା ନୁହେଁ। ଆଗରୁ କେତେକ ସଙ୍ଗୀତକାରଙ୍କ ବିରୋଧରେ ଟିଉନ୍ ଚୋରି ଅଭିଯୋଗ ଆସିଛି। ଠିକ୍ ସେହିଭଳି ଅଭିଯୋଗ ବି ଅମିତଙ୍କ ବିରୋଧରେ ଆସିଥିଲା। ଅମିତ୍ ତ୍ରିବେଦୀଙ୍କ ସ୍ୱର ସଂଯୋଜିତ ଫିଲ୍ମ ‘ଲୁଟେରା’ର ଥିମ୍ ମ୍ୟୁଜିକ୍ ଜଣେ ବ୍ରିଟିଶ୍ ସଙ୍ଗୀତ ନିର୍ଦ୍ଦେଶକ ରେଚେଲ୍ ପାର୍ଟମେନଙ୍କ ଟିଉନରୁ ଚୋରି ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା।

ଏହାର ସଫେଇ ନେଇ ଅମିତ୍ ତ୍ରିବେଦୀ କହିଥିଲେ ଯେ ‘ଲୁଟେରା’ର ଥିମ୍ ମ୍ୟୁଜିକ୍ ପ୍ରଥମେ ସେ ଅନ୍ୟ ଏକ ଫିଲ୍ମ ପାଇଁ ପ୍ରସ୍ତୁତ କରିଥିଲେ। ଦିନେ ଫିଲ୍ମର ନିର୍ଦ୍ଦେଶକ ବିକ୍ରମାଦିତ୍ୟ ମୋଟୱାନୀ ଏହି ଟିଉନଟି ଶୁଣି ଏତେ ପ୍ରଭାବିତ ହେଲେ ଯେ ସେ ଏହାକୁ ଲୁଟେରାର ଥିମ୍ ମ୍ୟୁଜିକ୍ କରିବାକୁ ଚାହିଁଲେ। ଏହି ମ୍ୟୁଜିକ୍ ୟୁଟ୍ୟୁବରେ ରିଲିଜ୍  ହେବା ପରେ ଲୋକେ କମେଣ୍ଟ ଦେଇଥିଲେ ଯେ ଅମିତ ତ୍ରିବେଦୀ ଚୋର। ସେ ଏହି ଧୁନ୍ ରେଚେଲ ପାର୍ଟମେନଙ୍କର ଧୁନ୍ ଚୋରି କରିଛନ୍ତି।

ଏଭଳି ପ୍ରତିକ୍ରିୟା ପଢ଼ିବା ପରେ ଫିଲ୍ମର ନିର୍ମାତା ଅନୁରାଗ କଶ୍ୟପ ଓ ନିର୍ଦ୍ଦେଶକ ବିକ୍ରମ ବ୍ୟଥିତ ହୋଇଥିଲେ। ପରେ ସେମାନେ ବୁଝିଗଲେ ଯେ ରେଚେଲଙ୍କ ଗୀତ ୱାନଡେର ପ୍ରାରମ୍ଭିକ ଧୁନର ନୋଟ୍ ସହିତ ଲୁଟେରାର ଥିମ୍ ଧୁନ୍ ସମାନ। ସେ ଏ ବିଷୟରେ ରେଚେଲଙ୍କୁ ଫୋନ୍ କରିଥିଲେ ଓ ଇମେଲ୍ ଦେଇଥିଲେ। କିନ୍ତୁ କୌଣସି ରେସପନସ ମିଳିନଥିଲା। ଏହି କାରଣରୁ ସେହି ବିବାଦର ଅନ୍ତ ହୋଇଥିଲା।

Comment