ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨୦୧୬ର ଟ୍ରିପଲ ମର୍ଡର
  • ଗୁଣି ଗାରେଡ଼ି ସନ୍ଦେହରେ ପରିବାରର ୩ ଜଣଙ୍କୁ କରାଯାଇଥିଲା ହତ୍ୟା
  • ବାପା-ମା’-ଝିଅକୁ ମାରିଦେଇଥିଲେ ଗ୍ରାମବାସୀ
  • ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଜଙ୍ଗଲରେ ଜାଳି ଦିଆଯାଇଥିଲା

ରାୟଗଡ଼ା ଜିଲ୍ଲା ଗୁଣପୁର ଟ୍ରିପଲ ମର୍ଡର ମାମଲାର ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି। ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ୯ ଜଣଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରିଛନ୍ତି।

ଫାଶି ଦଣ୍ଡାଦେଶ ପାଇଥିବା ୯ ଜଣ ଅଭିଯୁକ୍ତ ହେଲେ ଅଜନ୍ତା ସବାରା, ବୁଭୁନା ସବାରା, ମାଲୁକୁ ସବାରା, ପୋଡାନ୍ତୁ ସବାରା, ଇରୁ ସବାରା, ଦେଗନ୍ ସବାରା, ଦସନ୍ତ ସବାରା ଏବଂ ଦଲ୍‌ସା ସବାରା।

ଏହି ଅଭିଯୁକ୍ତମାନେ ୨୦୧୬ ସେପ୍ଟେମ୍ବର ୯ ତାରିଖରେ ଗୁଣପୁର ବ୍ଲକ କିଟୁଙ୍ଗା ଗ୍ରାମର ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରିଥିଲେ। ଅସିମ ସବାରା, ତାଙ୍କ ସ୍ତ୍ରୀ ଅମ୍ବାଏ ଏବଂ ଝିଅ ଆଶାମଣିଙ୍କୁ ହତ୍ୟା କରି ନିକଟସ୍ଥ ଜଙ୍ଗଲରେ ଫୋପାଡ଼ି ଦେଇଥିଲେ। ପରେ ପ୍ରମାଣ ନଷ୍ଟ କରିବା ପାଇଁ ୩ ଜଣଙ୍କ ମୃତଦେହକୁ ଜାଳି ଦେଇଥିଲେ।

ଏହି ସମ୍ବେଦନଶୀଳ ମାମଲାର ବିଚାର କରି ଏଡିଜେ ଶୁଭେନ୍ଦୁ କୁମାର ପତି ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶି ଦଣ୍ଡାଦେଶ ଦେଇଛନ୍ତି।

ଅସିମ ସବାରାଙ୍କ ପରିବାର ଗାଁରେ ଗୁଣି ଗାରେଡ଼ି କରୁଥିବା ଗ୍ରାମବାସୀ ସନ୍ଦେହ କରିଥିଲେ। ଗୁଣି ଗାରେଡ଼ି ପରିବାରର ୩ ଜଣଙ୍କୁ ଗ୍ରାମର ୯ ଜଣ ଲୋକ ହତ୍ୟା କରିଥିଲେ।

ବାପା, ମା’ ଏବଂ ବଡ଼ ଭଉଣୀଙ୍କୁ ହତ୍ୟା କରିବାର ଦୃଶ୍ୟ ଦେଖିଥିଲେ ଅସିମଙ୍କ ସାନ ଝିଅ। ଏହି ଘଟଣା ପ୍ରଘନ ନକରିବାକୁ ଗ୍ରାମବାସୀ ତାକୁ ଧମକ ଦେଇଥିଲେ। ହେଲେ ପରେ ଥାନାରେ ଅଭିଯୋଗ କରିଥିଲେ ସାନ ଝିଅ। ପୋଲିସ ଅଭିଯୋଗ ପାଇ ତଦନ୍ତ କରିଥିଲା। ୯ ଜଣଙ୍କୁ ଗିରଫ କରିଥିଲା।

ଗୁଣି ସନ୍ଦେହରୁ ବୀଭତ୍ସ ହତ୍ୟାକାଣ୍ଡ?

୨୦୧୬ ସେପ୍ଟେମ୍ବର ୯ ତାରିଖରେ ଘଟିଥିଲା ଏକ ଅଭାବନୀୟ ଘଟଣା। ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକର ଟଲଣା ପଞ୍ଚାୟତ ଅନ୍ତର୍ଗତ କିତୁଙ୍ଗ ଗାଁରେ ଛାତି ଥରା ଘଟଣା ଘଟିଥିଲା। ଗାଁର ଅସିମ ସବାରା, ତାଙ୍କ ସ୍ତ୍ରୀ ଅମ୍ବାଏ ସବାରା ଏବଂ ଝିଅ ଆଶାମଣି ଘରେ ବସି ଗୁଣି କରୁଥିବା ଗ୍ରାମବାସୀ ସନ୍ଦେହ କରିଥିଲେ।

ଗ୍ରାମବାସୀ ପ୍ରଥମେ ପରିବାରର ୩ ଜଣଙ୍କୁ ପ୍ରଥମେ ବିଷ ଇଞ୍ଜେକ୍ସନ୍ ଦେଇ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ। ହତ୍ୟକାଣ୍ଡ ପରେ ମୃତଦେହକୁ ଘରଠାରୁ ଦୂର ଜଙ୍ଗଲକୁ ନେଇ ପୋତିଦେଇଥିଲେ।

ହେଲେ ଏତିକିରେ ଗ୍ରାମବାସୀଙ୍କର ମନ ବୁଝି ନଥିଲା। ଶେଷରେ ସେମାନେ ମୃତଦେହକୁ ଜାଳି ଦେବାକୁ ପଛାଇ ନଥିଲେ। ଏହି ଘଟଣାର ମୂକ ସାକ୍ଷୀ ଥିଲେ ଅସିମଙ୍କ ସାନ ଝିଅ। କଥା କାଳେ ବାହାରେ ପ୍ରଘଟ ହୋଇଯିବ ସେହି ଭୟରେ ଗ୍ରାମବାସୀ ତାଙ୍କୁ ଗଛରେ ବାନ୍ଧି ଦେଇଥିଲେ। କିନ୍ତୁ କୌଶଳ କ୍ରମେ ଝିଅଟି ଖସିଯାଇ ପୁଟାସିଂ ଥାନାରେ ଅଭିଯୋଗ କରିଥିଲା।

ଅଭିଯୋଗ ପାଇବା ପରେ ପୋଲିସ ସାଇଣ୍ଟିଫିକ୍ ଟିମ୍‌କୁ ଧରି ତଦନ୍ତ କରିଥିଲା। ଅଭିଯୋଗ କରିଥିବା ଝିଅର ଜୀବନ ପ୍ରତି ବିପଦ ରହିଥିବାରୁ ପୋଲିସ ତାଙ୍କୁ ଗାଁରୁ ନେଇ ଆସିଥିଲା।

Comment