ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ନିର୍ବାଚନ ପୂର୍ବରୁ ଓଡ଼ିଶାରେ କଂଗ୍ରେସ ସଙ୍ଗଠନକୁ ସଜାଡ଼ିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଓଡ଼ିଶା ପ୍ରଭାରି କରିଛନ୍ତି। ହେଲେ ସେ ଅସଜଡ଼ା କଂଗ୍ରେସ ଘରକୁ କିପରି ସଜାଡ଼ିବେ ତା’ ଉପରେ ରହିଛି ନଜର।

ଇତି ମଧ୍ୟରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓଡ଼ିଶା ପାଇଁ ଜଣେ ନୂଆ ପ୍ରଭାରିଙ୍କୁ ନିଯୁକ୍ତ କରିଛନ୍ତି। ଓଡ଼ିଶା ପାଇଁ ଜିତେନ୍ଦ୍ର ସିଂଙ୍କୁ ଏଆଇସିସି ଇନ୍‌ଚାର୍ଜ ରୂପେ ପଠାଯାଇଛି। ତେବେ ଓଡ଼ିଶାରେ କଂଗ୍ରେସର ସ୍ଥିତି ଯାହା ନୂଆ ପ୍ରଭାରିଙ୍କ ପାଇଁ ବହୁ କସରତ କରିବାକୁ ହେବ।

ଚଳିତ ମାସରେ ଯେତେବେଳେ ସେ ଓଡ଼ିଶା ଗସ୍ତରେ ଆସିବେ ତାଙ୍କୁ ବହୁତ ଗୁଡ଼ିଏ କଥାକୁ ବିଚାରକୁ ନେବାକୁ ହେବ। ତାଙ୍କ ପାଇଁ ସବୁଠାରୁ ବଡ଼ ଚାଲେଞ୍ଜ ହେଉଛି ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳକୁ ଶେଷ କରିବା।

ଦ୍ୱିତୀୟ ଚାଲେଞ୍ଜ ହେଉଛି ଦଳରୁ ଇସ୍ତଫା ଦେଇ ନେତାମାନେ ଅନ୍ୟ ଦଳକୁ ଯେଉଁଭଳି ଡିଆଁ ମାରୁଛନ୍ତି ତାକୁ ରୋକିବା। ୨୦୧୯ରେ ଲୋକସଭା ଓ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଦଳର ସଙ୍ଗଠନକୁ ଆମୂଳଚୂଳ ସଜାଡ଼ିବା ତାଙ୍କ ପାଇଁ ଆଉ ଏକ ସମସ୍ୟା।

ଜିତେନ୍ଦ୍ର ସିଂ ଯେତେବେଳେ ବି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ତାଙ୍କୁ ପ୍ରଥମ ପ୍ରଶ୍ନ ହେବ ପିସିସି ସଭାପତି ଭାବେ ପ୍ରସାଦ ହରିଚନ୍ଦନ କାର୍ଯ୍ୟ ସମ୍ପାଦନ କରିବେ ନା ତାଙ୍କ ସ୍ଥାନରେ ଆଉ କେହି ନିଯୁକ୍ତ ହେବେ। ଅବଶ୍ୟ ଦଳର ମୁଖ୍ୟ ରାହୁଲ ଗାନ୍ଧି ଇସାରା ଦେଇ ସାରିଛନ୍ତି ଯେ ପ୍ରସାଦ ହିଁ ସଭାପତି ରହିବେ। କିନ୍ତୁ ଘଟଣାବଳୀକୁ ଯଦି ଦେଖାଯାଏ ପ୍ରସାଦଙ୍କ ରହିବା ଦଳ ପାଇଁ ଆହୁରି କ୍ଷତିକାରକ ହେବ।

ପିସିସି ସଭାପତି ପରିବର୍ତ୍ତନକୁ ନେଇ ଅନେକ ଦିନ ଧରି କଂଗ୍ରେସର ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଚାଲିଆସିଛି ଓ ଦଳର ସଙ୍ଗଠନ କାମ ଅନେକ ମାତ୍ରାରେ ବାଧାପ୍ରାପ୍ତ ହୋଇଛି। ଦୀର୍ଘ ୧୮ ବର୍ଷ ଧରି କ୍ଷମତାରୁ ବହାରିଯାଇଥିବା କଂଗ୍ରେସ ପାଇଁ ପୁଣି ଏବେ ସବୁକିଛି ମୂଳରୁ ଆରମ୍ଭ କରିବା ପାଇଁ ହେବ।

ରାଜ୍ୟ ରାଜନୀତିରେ ଦୁଇ ନମ୍ୱର ସ୍ଥାନ ଅଧିକାର କରିଥିବା ବିଜେପିକୁ ମାତ ଦେବାରେ ନୂଆ ପ୍ରଭାରି କେତେଦୂର ସଫଳ ହେବେ ତାହା ସମୟ ହିଁ କହିବ।

Comment