ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନ ପାଇଁ ସଜବାଜ ହେଲାଣି ବିଜେପି। ବିଜେପିର ଷ୍ଟ୍ରାଟେର୍ଜି ମାଷ୍ଟର ଅମିତ ଶାହା ଏଣିକି ମାସକୁ ୫ଟି ଲୋକସଭା ଆସନ ଉପରେ ଫୋକସ୍ କରିବା ପାଇଁ ଯୋଜନା କରିଛନ୍ତି। ଏହି ଅଭିଯାନର ମୂଳଦୁଆ ଓଡ଼ିଶାରୁ ପକାଇଛନ୍ତି ଶାହା।

ବିଜେପି ଏବେ ସଙ୍କଟରେ ପଡ଼ିଛି। ଦରଦମ ବୃଦ୍ଧି, ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ଏବଂ ନାରୀ ନିର୍ଯାତନା ମାମଲାକୁ ନେଇ ବିଜେପି ଏବେ ବିରୋଧୀ ଦଳଙ୍କ ନିଶାନା ପାଲଟିଛି। ଏହି ବିଫଳତାକୁ ବିରୋଧୀ ଅସ୍ତ୍ର କରିବା ପାଇଁ ଯୋଜନା କରୁଥିବା ବେଳେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ତାଙ୍କ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ଶାହା ବିଭିନ୍ନ ଲୋକସଭା ନିର୍ବାଚନମଣ୍ଡଳୀ ଗସ୍ତରେ ବାହାରିଛନ୍ତି।

ଓଡ଼ିଶାର ଦୁଇଟି ଲୋକସଭା ଆସନରୁ ଅମିତ ଶାହା ତାଙ୍କ ଅଭିଯାନ ଆରମ୍ଭ କରିଛନ୍ତି। ନିକଟରେ ଶାହା ଓଡ଼ିଶାର କଳାହାଣ୍ଡି ଏବଂ ବଲାଙ୍ଗିର ଲୋକସଭା ଆସନରେ ଦୁଇ ଦୁଇଟି ହାଇଟେକ୍ ସମାବେଶ କରିଛନ୍ତି। ଚଳିତ ମାସରେ ସେ ବିଭିନ୍ନ ରାଜ୍ୟର ୫ଟି ଲେଖାଏଁ ଲୋକସଭା ଆସନକୁ ଫୋକସ୍ କରିବେ ବୋଲି ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି।

ଏପ୍ରିଲ ୨୧ରେ ଶାହା ଉତ୍ତରପ୍ରଦେଶ ଗସ୍ତରେ ଯାଉଛନ୍ତି। କଂଗ୍ରେସର ଗଡ଼ ରାଏବରେଲୀ, ଆମେଥିରେ ସଭା କରିବେ। ଏହାସହ ସୁଲତାନପୁର, ପ୍ରତାପଗଡ଼ର ବରିଷ୍ଠ ବିଜେପି କର୍ମକର୍ତ୍ତାଙ୍କୁ ଭେଟି ସଙ୍ଗଠନ ସମ୍ପର୍କରେ ଆଲୋଚନା କରିବେ।

ମେ ଦ୍ୱିତୀୟ ସପ୍ତାହରେ ଶାହା ରାଜସ୍ଥାନ ଉପରେ ଫୋକସ୍ କରିବେ।

୨୦୧୪ରେ ବିଜେପି ୨୮୩ ଲୋକସଭା ଆସନରେ ବିଜୟୀ ହୋଇଥିଲା। ଏହାବ୍ୟତୀତ ୨୦୧୯ ପାଇଁ ଆଉ ୯୦ଟି ଲୋକସଭା ଆସନ ଉପରେ ଫୋକସ୍ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିଜେପି ନେତା। ଏହି ୯୦ଟି ଲୋକସଭା ଆସନରେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିବାରୁ ୨୦୧୯ରେ ଏହିସବୁ ଆସନକୁ କବ୍‌ଜା କରିବାକୁ ଚାହୁଁଛି ବିଜେପି।

ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ହରିଆଣା, ଦିଲ୍ଲୀରେ ବିଜେପି ବିରୋଧୀ ହାୱା ବହୁଛି। ଏଣୁ ଆସନ ହରାଇବା ଆଶଙ୍କାରେ ଏହିସବୁ ରାଜ୍ୟ ଉପରେ ବିଜେପି ନେତାମାନେ ଅଧିକ ଫୋକସ୍ କରିବେ ବୋଲି କୁହାଯାଉଛି।

ଅମିତ ଶାହା ଗତ ବର୍ଷେ ହେଲା ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ତାମିଲନାଡୁ ଉପରେ ଗୁରୁତ୍ବ ଦେଇ ଆସୁଛନ୍ତି। ଏହି ରାଜ୍ୟରେ ପଦ୍ମ ଫୁଟାଇବା ପାଇଁ ଶାହା ଅଙ୍କ କଷୁଛନ୍ତି। ଏହାଛଡ଼ା ବିଜେପି-ଟିଡିପି ମେଣ୍ଟ ଭାଙ୍ଗିଯିବା ପରେ ଶାହା ଆନ୍ଧ୍ରପ୍ରଦେଶର ୨୨ଟି ଆସନରେ ପଦ୍ମ ଫୁଟାଇବା ଲାଗି ଅଣ୍ଟା ଭିଡ଼ିଛନ୍ତି।

୨୦୧୪ ପରେ ବିଭିନ୍ନ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ନରେନ୍ଦ୍ର ମୋଦି-ଅମିଶା ଶାହା ଯୋଡ଼ି ସଫଳ ହୋଇଛନ୍ତି। ଏହି ସଫଳତାକୁ ଅସ୍ତ୍ର କରି ଶାହା ୨୦୧୯ ମଇଦାନ ପାଇଁ ଅଙ୍କ କଷିବା ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here