ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଯାତ୍ରାପାର୍ଟି ମାଲିକମାନେ ଲାଭ ପାଉ ନାହାନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହେଉଥିବାରୁ ଯାତ୍ରାପାର୍ଟି ବନ୍ଦ କରିବାକୁ ମାଲିକ ସଂଘ ନିଷ୍ପତ୍ତି ନେଇଛି। ହେଲେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆଉ ଏକ ନୂଆ ଯାତ୍ରାପାର୍ଟି ଯାତ୍ରା ଦୁନିଆଁରେ ପ୍ରବେଶ କରିଛି। ଏହି ଯାତ୍ରା ପାର୍ଟିର ନାଁ ହେଉଛି ‘ଆଦର୍ଶ ଅପେରା’।

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱର ଇଡକଲ ଅଡିଟୋରିୟମ୍‌ରେ ଆଦର୍ଶ ଅପେରାର ବ୍ୟାନର ଲୋକାର୍ପଣ ହୋଇଛି। ଏହି ଯାତ୍ରା ପାର୍ଟିର ପ୍ରତିଷ୍ଠାତା ହେଉଛନ୍ତି ଯାତ୍ରା ଟାଇଗର୍ ଦୈତାରୀ ପଣ୍ଡା।

ନୂଆ ରୂପରେ ନୂଆ ଢଙ୍ଗରେ ଯାତ୍ରା ମଞ୍ଚସ୍ଥ କରିବାକୁ ଆଦର୍ଶ ଅପେରା ପ୍ରସ୍ତୁତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୪ଟି ନାଟକ ପ୍ରସ୍ତୁତ କରି ଦର୍ଶକଙ୍କ ମନ ଜିଣିବାକୁ ପ୍ରସ୍ତୁତ ହେଉଛି ଏହି ପାର୍ଟି। ସବୁଠୁ ବଡ଼ କଥା ହେଉଛି ସନ୍ଧ୍ୟା ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଏହି ପାର୍ଟି ନାଟକ ମଞ୍ଚସ୍ଥ କରିବ।

ଭକ୍ତ ଅଚ୍ୟୁତାନନ୍ଦଙ୍କ ଜୀବନୀ ଉପରେ ଆଧାରିତ ନାଟକ ‘ନାହଂ ତିଷ୍ଠାମି ବୈକୁଣ୍ଠେ’, ଭକ୍ତ ହାଡ଼ି ଦାସଙ୍କ ଜୀବନୀ ଉପରେ ଆଧାରିତ ‘ଭକ୍ତାଧୀନ ଭଗବାନ’, ସାମାଜିକ ନାଟକ ‘ପୂଜ୍ୟ ପୂଜା’ ଏବଂ ଆଧ୍ୟାତ୍ମିକ ଆଧାରିତ ସାମାଜିକ ନାଟକ ‘ଜଗା ଆସୁଛି’କୁ ନେଇ ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ଏହି ପାର୍ଟି ନିଜକୁ ପ୍ରସ୍ତୁତ କରିଛି।

“ଓଡ଼ିଶାରେ ଅନେକ ଯାତ୍ରା ପାର୍ଟି ଅଛି। ହେଲେ ଐତିହାସିକ, ପୌରାଣିକ ତଥା କାଳ୍ପନିକ କଥା ବସ୍ତୁକୁ ନେଇ ନାଟକ ମଞ୍ଚ ହେଉନି। ଓଡ଼ିଶାର କଳା, ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ଆମେ ଆଦର୍ଶ ଅପେରା ତିଆରି ହୋଇଛି। ସନ୍ଧ୍ୟା ସମୟରେ ନାଟକ ପରିବେଷଣ କରି ଲୋକଙ୍କୁ ମନୋରଞ୍ଜନ କରିବା ହେଉଛି ଆମର ଲକ୍ଷ୍ୟ”, କହିଛନ୍ତି ଦୈତାରୀ ପଣ୍ଡା।

ଉଦଘାଟନୀ ଉତ୍ସବରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ଜଗନ୍ନାଥ ସଂସ୍କୃତି ପ୍ରଚାରକ ବିଜୟାନନ୍ଦଜୀ ମହାରାଜ, ଭାଷାବିତ୍ ପ୍ରଦ୍ୟୁମ୍ନ ଶତପଥୀ, ନାଟ୍ୟ ନିର୍ଦ୍ଦେଶକ ସଚ୍ଚି ଦାସ, ଅଭିନେତା ଅଜିତ୍ ଦାଶ, ନାଟ୍ୟ ନିର୍ଦ୍ଦେଶକ ବିନୋଦ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Comment