ରବୀନ୍ଦ୍ର ନାରାୟଣ ମିଶ୍ର

ସାଧୁ ହେବାଟା ମଧ୍ୟ ସହଜ ନୁହେଁ – ଏ କଥାଟି ଗୁରୁ ନାନକ ଥରେ ଦେଖାଇ ଦେଇଥିଲେ।

ସାଧୁ ହେବାଟା ମଧ୍ୟ ସହଜ ନୁହେଁ – ଏ କଥାଟି ଗୁରୁ ନାନକ ଥରେ ଦେଖାଇ ଦେଇଥିଲେ। ଧର୍ମ ପ୍ରଚାର ଉଦ୍ଦେଶ୍ୟରେ ବିଭିନ୍ନ ଜାଗାକୁ ଶିଷ୍ୟମାନଙ୍କ ଗହଣରେ ଯିବାବେଳେ ଜଣେ ସେଠ୍‌ ଥରେ ଗୁରୁ ନାନକଙ୍କୁ ପ୍ରଣାମ ଜଣାଇବାକୁ ଆସିଲେ। ଦେଖିଲେ, ତାଙ୍କ ଗହଣରେ କେତେ ଜଣ ଶିଷ୍ୟ ଅଛନ୍ତି। ସେମାନେ ଖାଲି ଖାଇପିଇ ମସ୍ତ ହୋଇ ରହିଛନ୍ତି। ସେ ନିଜର ଏଇ ମନକଥା ନାନକଙ୍କୁ ଜଣାଇଲେ।

ନାନକ କହିଲେ – ସେମାନେ ମୋ ସହିତ ବହୁତ କଷ୍ଟ ସ୍ୱୀକାର କରିଛନ୍ତି। ସେଠ୍‌ ସେକଥା ମାନିବାକୁ ନାରାଜ। ସେମାନେ ନିକମ୍ମା ହୋଇରହିଛନ୍ତି ବୋଲି କହିବାରୁ ନାନକ ସେଠ୍‌ଙ୍କୁ ପଚାରିଲେ – ତୁମେ ଏମିତି ରହିପାରିବ କି? ସେଠ୍ କହିଲେ – ଏଥିରେ କ’ଣ କଷ୍ଟ ଅଛି? ନାନକ ସେଠ୍‌ଙ୍କୁ ତହିଁ ଆରଦିନ ପ୍ରସ୍ତୁତ ହୋଇ ଆସିବାକୁ କହିଲେ ଏବଂ କେବଳ ଶୌଚକ୍ରିୟା ନିମିତ୍ତ ବାହାରକୁ ଯିବା ବ୍ୟତୀତ ଅନ୍ୟ ସବୁ ସମୟରେ ସବୁ ବ୍ୟବସ୍ଥା ଥିବା ଗୋଟିଏ କୋଠରିରେ ତାଙ୍କୁ ରଖାଯିବ ବୋଲି ସେ ସେଠ୍‌ଙ୍କୁ ଜଣାଇଦେଲେ।

ତହିଁ ଆରଦିନ ନାନକ ସେଠ୍‌ଙ୍କୁ ସବୁ ସୁବିଧା ଥିବା କୋଠରିଟିରେ ରଖିଲେ। ନାନକ ନିଜ ସେଠ୍‌ଙ୍କ ପାଇଁ ଦିନକୁ ଦୁଇ ତିନିଥର ଖାଦ୍ୟପେୟ ଓ ଚା’ ପାଣି ଯୋଗାଇଲେ। ଦିନେ ଦୁଇ ଦିନ ଯିବା ପରେ ସେଠ୍‌ଙ୍କ ଅବସ୍ଥା ଘାୟଲ ହେଲା। କେତେ ଶୋଇବେ, କେତେ ପଢ଼ିବେ, କେତେ ଆରାମ କରିବେ? ଚବିଶ ଘଣ୍ଟାରୁ ସକାଳେ ସନ୍ଧ୍ୟାରେ ମାତ୍ର ଘଣ୍ଟାଏ ଲେଖାଏଁ ବାହାରକୁ ଯିବାକୁ ପଡ଼ୁଥିଲା ଶୌଚାଦି ପାଇଁ।

ସେଠ ମନେ ମନେ ସିଦ୍ଧାନ୍ତ କଲେ – ନା, ଏ ଦଳରେ ରହିହେବନି। ଏଠୁ କେମିତି ହେଲେ ଭାଗିବାକୁ ପଡ଼ିବ। କିନ୍ତୁ ଭାଗିବେ କେମିତି? ଏ ଯନ୍ତାରୁ ବାହାରିବେ କେମିତି? ଶେଷକୁ ସେ ମନେ ମନେ ଉପାୟଟିଏ ସ୍ଥିର କଲେ।

ତହିଁ ଆରଦିନ ପ୍ରାତଃକାଳରେ ଶୌଚାଦି କାର୍ଯ୍ୟ କରିବାକୁ ସେ ବାହାରିଲେ ଜଙ୍ଗଲିଆ ଜାଗାଆଡ଼କୁ। ତାଙ୍କ ସାଙ୍ଗରେ ପ୍ରତିଦିନ ନାନକ ଜଣେ ଶିଷ୍ୟକୁ କିଛିବାଟ ପଠେଇଥାନ୍ତି। ସେଦିନ ମଧ୍ୟ ଶିଷ୍ୟଟି ଲୋଟା ଧରିଥିବା ସେଠ୍‌ଙ୍କ ପଛରେ କିଛିବାଟ ଯାଏ ଗଲା।

ସେଠ୍‌ ପଛକୁ ଚାହିଁଲେ। ଚେଲା ଆଉ ତାଙ୍କ ପଛରେ ନାହିଁ। ଏଥର ସେଠ୍‌ ଲୋଟାଧରି ଦଉଡ଼ିବାକୁ ଆରମ୍ଭ କଲେ। ଦଉଡ଼ି ଦଉଡ଼ି ଧଇଁସଇଁ ସେ ପହଞ୍ଚିଲେ ନିଜ ଉଆସରେ। ଓଃ! ରକ୍ଷା ପାଇଗଲି ବୋଲି କହି ଏଥର ଶାନ୍ତିରେ ଗୋଟିଏ ନିଃଶ୍ୱାସ ମାଇଲେ।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍‌ଭାସ୍‌ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)

Comment