ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଅକ୍ଷୟ ତୃତୀୟାକୁ ସାଧାରଣତଃ କୃଷିକର୍ମ ଆରମ୍ଭର ସମୟ ବୋଲି ଧରାଯାଏ। ସେହି ଦୃଷ୍ଟିରୁ ଅଖିମୁଠି ଅନୁକୂଳ ପରେ ଯାଇ କଂଗ୍ରେସର ଭାଗ୍ୟ ଫିଟିଲା ବୋଲି ଧରିନେବାକୁ ପଡ଼ିବ। ପିସିସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିବା ପଛରେ କିଛି ଆଶ୍ଚର୍ଯ୍ୟ ରହିଛି ଓ କିଛି ବାସ୍ତବତା ମଧ୍ୟ। ସମସ୍ତେ ପ୍ରାୟ ଧରି ନେଇଥିଲେ ଯେ ପ୍ରସାଦ ହରିଚନ୍ଦନ ହିଁ ୨୦୧୯ ପର୍ଯ୍ୟନ୍ତ କଂଗ୍ରେସ ସଭାପତି ରହିବେ। କିନ୍ତୁ ତାହା ପୂରା ପଲଟି ମାରିଲା।

ଗୁରୁବାର ଅପରାହ୍ନରେ ଯେତେବେଳେ ଟିଭି ଚ୍ୟାନେଲମାନେ ଏହି ନୂତନ ନିଯୁକ୍ତି ବିଷୟ ଘୋଷଣା କଲେ ଅନେକେ ଆଚମ୍ବିତ ହୋଇଯାଇଥିଲେ ରାହୁଲ ଗାନ୍ଧିଙ୍କ ଏହି ନିଷ୍ପତ୍ତିରେ। ଏପରିକି ନିଜେ ନିରଞ୍ଜନ ମଧ୍ୟ ତାଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି ସେ କଥା ଜାଣିନଥିଲେ। ତା ନହେଲେ ଦିଲ୍ଲୀ ଯିବା ପୂର୍ବରୁ ସେ କଦାପି କହିନଥାନ୍ତେ ଯେ କଂଗ୍ରେସର ନବକଳେବର ହେବ କିନ୍ତୁ ବ୍ରହ୍ମ ପରିବର୍ତ୍ତନ ହେବ ନାହିଁ।

ଖାଲି ସେତିକି ନୁହେଁ, ଅଲଗା କାମରେ ସେ ଦିଲ୍ଲୀ ଯାଉଛନ୍ତି ବୋଲି ଟିଭି ସାମ୍ବାଦିକମାନଙ୍କୁ କହିଥିଲେ। ନିରଞ୍ଜନଙ୍କ ଏହି ଉକ୍ତିରେ ଦୁଇଟି କଥା ଲୁଚି ରହିଥିଲା। ହୁଏତ କଣ ହେବାକୁ ଯାଉଛି ସେ ତାର ସୁରାକ ପାଇଥିଲେ ଅଥବା ଏଆଇସିସି କି ନିଷ୍ପତ୍ତି ନେବ ସେନେଇ ସେ ଅନ୍ଧାରରେ ଥିଲେ।

କେବେ ନା କେବେ ନିରଞ୍ଜନଙ୍କ ସଭାପତି ହେବା ଏକରକମ ନିଶ୍ଚିତ ଥିଲା। ପ୍ରାୟ ଏକ ବର୍ଷ ଧରି ତାଙ୍କ ସପକ୍ଷରେ ସମସ୍ତେ ହାଇକମାଣ୍ଡଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରି ଆସିଥିଲେ। ଏଣେ ଦଳର ସବୁ ବିଧାୟକ ପ୍ରସାଦଙ୍କୁ ବିରୋଧ କରୁଥିବାରୁ ସେ ଏକରକମ ଅଚଳ ହୋଇପଡ଼ିଥିଲେ। କେବଳ ନିଜ ଶ୍ୱଶୁରଙ୍କୁ ଓ ଆଉ କିଛି ହାତଗଣତି ସମର୍ଥକଙ୍କୁ ଛାଡ଼ିଦେଲେ ପ୍ରସାଦଙ୍କ ପଛରେ ଆଉ କେହି ନଥିଲେ। ସବୁଠୁ ମଜା କଥା ହେଉଛି ଏତେ ବିରୋଧ ଓ ଅଭିଯୋଗ ସତ୍ତ୍ୱେ ହାଇକମାଣ୍ଡ ପ୍ରସାଦଙ୍କୁ ପରିବର୍ତ୍ତନ କରିବାର ନାଁ ନେଉନଥିଲେ। ଆଉ ଖାସ୍ ଏଇଥି ପାଇଁ ପ୍ରସାଦଙ୍କୁ ହଟାଇ ନିରଞ୍ଜନଙ୍କୁ ମଙ୍ଗ ଧରାଇବା ଘଟଣା ସମସ୍ତଙ୍କୁ ଚକିତ କରି ପକାଇଥିଲା।

ଏପରିକି ପ୍ରସାଦ ବି କଳନା କରିପାରିନଥିଲେ ତାଙ୍କ ଅଜାଣତରେ ଏତେ ବଡ଼ ଘଟଣା ହେବାକୁ ଯାଉଛି। ହଠାତ କଣ ହେଲା ଓ କାହିଁକି ତାଙ୍କୁ ଅପସାରିତ କରାଗଲା ସେ କଥା ପରେ ଜଣାପଡ଼ିବ। କିନ୍ତୁ ଏତିକି ଜାଣିବା ଯଥେଷ୍ଟ ଯେ ଓଡ଼ିଶା କଂଗ୍ରେସ ପାଇଁ ବର୍ତ୍ତମାନ ଭଲ ସମୟ ଆସି ପହଞ୍ଚିଛି। ପ୍ରସାଦଙ୍କୁ ବଦଳାଇ ତାଙ୍କ ସ୍ଥାନରେ ନିରଞ୍ଜନଙ୍କୁ ନୂଆ ସଭାପତି କରିବା ପଛରେ ଏକ ଧାରା ମଧ୍ୟ ରହିଛି।

ନିର୍ବାଚନର ବର୍ଷେ ପୂର୍ବରୁ ଏହିଭଳି ପିସିସି ପରିବର୍ତ୍ତନ କଂଗ୍ରେସର ଏକ ପରମ୍ପରା ହୋଇ ଆସିଛି। ୨୦୦୪ ନିର୍ବାଚନ ପୂର୍ବରୁ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ହଟାଇ ଜୟଦେବ ଜେନାଙ୍କୁ ସଭାପତି କରାଗଲା। ସେହିଭଳି ୨୦୦୯ ପୂର୍ବରୁ ଜେନାଙ୍କ ସ୍ଥାନରେ କେପି ସିଂହଦେଓଙ୍କୁ ଦାୟିତ୍ୱ ଦିଆଗଲା। ପୁଣି ୨୦୧୪ ନିର୍ବାଚନ ପୂର୍ବରୁ ଜେନାଙ୍କ ସ୍ଥାନରେ ନିରଞ୍ଜନ ପଟ୍ଟନାୟକଙ୍କୁ ସଭାପତି ଭାବେ ନିଯୁକ୍ତ କରାଗଲା। ବର୍ତ୍ତମାନ କଥା ହେଉଛି ନିରଞ୍ଜନ କେତେଦୂର କଂଗ୍ରେସ ସଙ୍ଗଠନକୁ ସଜାଡ଼ି ୨୦୧୯ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇପାରିବେ। ଇତି ମଧ୍ୟରେ ରାଜ୍ୟରେ କଂଗ୍ରେସ ଦଳ ଅତି ଖରାପ ସ୍ଥିତିକୁ ଆସିଯାଇଛି।

ଗୋଟିଏ ପରେ ଗୋଟିଏ ନିର୍ବାଚନ ହାରିବା ସହ ଦଳର ଅଧିକାଂଶ ନେତା ଅନ୍ୟ ଦଳରେ ସାମିଲ ହୋଇଛନ୍ତି। କଂଗ୍ରେସ ନେତାଙ୍କୁ ଶିକାର କରିବାରେ ବେଶୀ ସଫଳତା ହାସଲ କରିଛି ଶାସକ ବିଜେଡି। ନିକଟରେ ଦଳର ଜଣେ ହେଭିୱେଟ ନେତା ଚନ୍ଦ୍ରଶେଖର ସାହୁ ବିଜେଡିରେ ଯୋଗ ଦେଇଛନ୍ତି। ଆହୁରି ମଧ୍ୟ ଅନେକ କଂଗ୍ରେସ ନେତା ବିଜେଡି କିମ୍ବା ବିଜେପିରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଣୁ ନୂଆ ପିସିସି ଏହି ପ୍ରସ୍ଥାନକୁ ରୋକିବାରେ ସଫଳ ହେବ କି ତାହା ଏକ ବଡ଼ ପ୍ରଶ୍ନ।

ନିରଞ୍ଜନଙ୍କ ଏଭଳି ସମୟରେ ଦାୟିତ୍ୱ ନେଇଛନ୍ତି ଯେତେବେଳେ ଦଳ ତାର ସତ୍ତା ହରାଇଛି। ତାଛଡ଼ା ନୂଆ ବ୍ୟବସ୍ଥାରେ ତାଙ୍କୁ ଦଳ ସଜାଡ଼ିବାର ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇନାହିଁ। ତିନି ତିନି ଜଣ କାର୍ଯ୍ୟକାରୀ ସଭାପତିଙ୍କ ସହ ତାଙ୍କୁ କାମ କରିବାକୁ ହେବ। ଏଥିରୁ ଗୋଟିଏ ନିଷ୍କର୍ଷ ବାହାରୁଛି ଯେ ହାଇକମାଣ୍ଡଙ୍କ ଅନିଚ୍ଛା ସତ୍ତ୍ୱେ ଓ ବିଭିନ୍ନ ଗୋଷ୍ଠୀର ଚାପ ଯୋଗୁଁ ହିଁ ନିରଞ୍ଜନଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ନିଜ ପାରିବାପଣ ଦୃଷ୍ଟିରୁ ନିରଂଜନଙ୍କୁ ସମ୍ପୂର୍ଣ୍ଣ କ୍ଷମତା ଦେଇଥିଲେ ହୁଏତ ସେ କିଛି କରି ଦେଖାଇପାରିଥାନ୍ତେ। ଏବେ ତାଙ୍କ ହାତ ଚାରିଆଡ଼ୁ ଟାଇଟ।

ନିରଞ୍ଜନଙ୍କ ପାଇଁ ଆଉ ଏକ ସମସ୍ୟା ହେଉଛି ସମୟ ବହୁତ କମ। ଆଉ ମାତ୍ର ବର୍ଷେ ଭିତରେ ତାଙ୍କୁ ଦଳକୁ ମଇଦାନକୁ ଛାଡ଼ିବାକୁ ପଡ଼ିବ। ୨୦୧୯ରେ କଂଗ୍ରେସ କ’ଣ ପ୍ରଦର୍ଶନ କରିବ ସେ କଥା ବର୍ତ୍ତମାନଠାରୁ କହିବା କଷ୍ଟ। କିନ୍ତୁ ବିଳମ୍ବରେ କାର୍ଯ୍ୟସିଦ୍ଧି ବୋଲି ଯାହା କୁହାଯାଏ, କଂଗ୍ରେସର ନବକଳେବର ଓ ବ୍ରହ୍ମ ପରିବର୍ତ୍ତନ ଉଭୟଟି ଘଟିଥିବାରୁ କିଛି ଭଲ ଆଶା କରାଯିବା ସ୍ୱାଭାବିକ।

LEAVE A REPLY

Please enter your comment!
Please enter your name here