ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୪ବର୍ଷ ପରେ ପାକିସ୍ତାନରୁ  ଭାରତ ଫେରିଥିବା ମୂକ ଓ ବଧିର ଝିଅ ଗୀତାଙ୍କ ପାଇଁ ଚାଲିଛି ବର ଖୋଜା। ଗୀତାଙ୍କ ପାଇଁ ବର ଚୟନ କରିବେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ।

ଏକୁଟିଆ ଥିବା ମୂକ ଓ ବଧିର ଝିଅ ଗୀତା ଏବେ ପରିବାର ଗଢ଼ିବାକୁ ଯାଉଛି। ପାକିସ୍ତାନରେ ଦୀର୍ଘ ୧୪ ବର୍ଷ ରହିବା ପରେ ୨୦୧୫ରେ ଭାରତକୁ ଫେରିଥିବା ଗୀତାଙ୍କ ପାଇଁ ବର ଚୟନର ଦାୟିତ୍ଵ ନେଇଛନ୍ତି  ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ।

ଗୀତା ପିଲାବେଳୁ ଭାରତରୁ କୌଣସି ଟ୍ରେନ୍‌ରେ ଯାଇ ଗୀତା ପାକିସ୍ତାନର ଲାହୋର ପହଞ୍ଚିଥିଲା। ଅଜଣା ଝିଅ ଗୀତା ସାଙ୍ଗରେ କେହି ନଥିବାରୁ ପୁଲିସ ତାକୁ ପାଇ ରାଷ୍ଟ୍ରାୟତ ଆଶ୍ରୟସ୍ଥଳକୁ ପଠାଇଥିଲା। କିନ୍ତୁ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିବା ଏବଂ କର୍ମଚାରୀମାନଙ୍କ ସହ କଳହ କରିବାରୁ ତାଙ୍କୁ ଭିନ୍ନ ଭିନ୍ନ ଆଶ୍ରୟସ୍ଥଳରେ ନେଇ ରଖାଯାଉଥିଲା। ଶେଷରେ କରାଚିସ୍ଥିତ ଏଧି ସ୍ଵେଚ୍ଛାସେବୀ ଫାଉଣ୍ଡେସନ୍‌ରେ ଗୀତା ବହୁଦିନ ହେବ ରହୁଥିଲା।

ସଲମାନ ଖାନ୍‌ଙ୍କ ଫିଲ୍ମ ‘ବଜରଙ୍ଗୀ ଭାଇଜାନ୍’ର କାହାଣୀରେ ପ୍ରେରିତ ହୋଇ ଏଧି ସ୍ଵେଚ୍ଛାସେବୀ ଫାଉଣ୍ଡେସନ୍‌ ପକ୍ଷରୁ ଗୀତାକୁ ଭାରତ ପଠାଯିବା ଉଦ୍ୟମ କରାଯାଇଥିଲା। ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ୍।

ଫଳରେ ୨୦୧୫ରେ ଗୀତା ଭାରତ ଫେରିଥିଲା। ଭାରତକୁ ଫେରିବା ପରଠାରୁ ତାଙ୍କ ପରିବାର ସହ ତାଙ୍କର ମିଳନ କରାଇବାର ଉଦ୍ୟମ କରାଯାଇଥିଲା। କିନ୍ତୁ ଅନେକ ପରିବାର ଆସି ଗୀତା ତାଙ୍କର ବୋଲି ଦାବି କରିଥିବା ସତ୍ତ୍ୱେ ସେ କାହାରିକୁ ଚିହ୍ନି ପାରି ନ ଥିଲେ।

୨୦୧୭ ଅକ୍ଟୋବର ମାସରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ ଏକ ବୈଠକ ପରେ ସୁଷମା ସ୍ୱରାଜ ଗୀତାର ବିବାହ ପାଇଁ ଯୋଜନା କରିଥିଲେ। ଗୀତା ବିବାହ କରିବାକୁ ଥିବା ବର ପାତ୍ରକୁ ସରକାରୀ ଚାକିରି ଏବଂ ଘର ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

ଏପ୍ରିଲ୍‌ ୮ ତାରିଖ ଦିନ ସିଭିଲ୍‌ ସୋସାଇଟି ମେମ୍ବରମାନେ ଜଣେ ମୂକ ଓ ବଧିର ବରଙ୍କୁ ନେଇ ସ୍ୱରାଜଙ୍କ ଦିଲ୍ଲୀ ବାସଭବନରେ ସୁଷମା ସ୍ୱରାଜ ଓ ଗୀତାଙ୍କୁ ଭେଟିବାକୁ ଯାଇଥିଲେ। ଗୀତା ସେ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ।

ଖୋଜାଖୋଜି ବ୍ୟାପକ କରିବାକୁ ସ୍ୱରାଜ ସେମାନଙ୍କୁ କହିବା ସହ ଅଧିକ ପ୍ରସ୍ତାବ ଆଣିବାକୁ କହିଥିଲେ। ଏଥିପାଇଁ ସେ ସମସ୍ତ ସହାୟତା କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏ ପର୍ଯ୍ୟନ୍ତ ୨୫ ଜଣ ବର ପାତ୍ରଙ୍କର ବାୟୋଡାଟା ମିଳିଲାଣି। ସେଥିରେ ଅଛନ୍ତି ସେନା ଅଧିକାରୀ, ଜ୍ୟୋତିଷ୍କ, ଔପନ୍ୟାସିକ, ଇଞ୍ଜିନିୟର୍‌ ଏବଂ କୃଷକ।

ଗୀତାକୁ କାହିଁକି ବିବାହ କରିବାକୁ ଆଗ୍ରହୀ ବୋଲି ଆସିଥିବା ବରପାତ୍ରଙ୍କୁ ପଚରାଯାଇଥିଲା। ସେମାନଙ୍କ ଉତ୍ତର ଆଧାରରେ ୧୫ ଜଣକୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଛି। ଏହାର ଚୟନକର୍ତ୍ତା ହେଉଛନ୍ତି ସୁଷମା ସ୍ୱରାଜ ଓ ତାଙ୍କ ବ୍ୟକ୍ତିଗତ ସହକାରୀ। ଏହାପରେ ଗୀତା ନିଜେ ମଧ୍ୟ ବରପାତ୍ରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Comment