ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା କଂଗ୍ରେସକୁ ସଜାଡ଼ିବା ପାଇଁ ହାଇକମାଣ୍ଡ ୧୭ ବର୍ଷ ଭିତରେ ୬ ଥର ପିସିସି ସଭାପତି ବଦଳାଇ ସାରିଲେଣି। ହେଲେ କଂଗ୍ରେସ ସଙ୍ଗଠନ ସୁଧୁରିବା ବଦଳରେ ଭୁଶୁଡ଼ି ପଡ଼ୁଛି। ୨୦୧୯ ପୂର୍ବରୁ କଂଗ୍ରେସରେ ପୁଣି ପଟ୍ଟନାୟକ ଯୁଗ ଫେରିଛି। ହେଲେ ଆଉ କେତେ ପିସିସି ସଭାପତି ପରିବର୍ତ୍ତନ ହେଲେ କଂଗ୍ରେସର ଭାଗ୍ୟ ଉଦୟ ହେବ ତାକୁ ନେଇ ଚର୍ଚ୍ଚା ବଢ଼ିଛି।

ପୁଣି ଥରେ ଓଡ଼ିଶା କଂଗ୍ରେସରେ ଆରମ୍ଭ ହେଲା ପଟ୍ଟନାୟକ ଯୁଗ। ବହୁ କସରତ ପରେ ହାଇକମାଣ୍ଡ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ମୁଣ୍ଡରେ ପାଗ ଭିଡ଼ିଛନ୍ତି। ନୂଆ ଟିମ୍‌କୁ ନେଇ ନିରଞ୍ଜନ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ହେଲେ ନିରଞ୍ଜନ ବୁଡ଼ି ଯାଉଥିବା କଂଗ୍ରେସ ଡଙ୍ଗାକୁ କୂଳରେ ଲଗାଇ ପାରିବେ କି ବୋଲି ରାଜନୀତି କରିଡ଼ରରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଓଡ଼ିଶା କଂଗ୍ରେସରେ ହୋଇଛି ଅମୂଳଚୂଳ ପରିବର୍ତ୍ତନ। ୨୦୧୯ ନିର୍ବାଚନ ପୂର୍ବରୁ ଏକ ବଡ଼ ଖେଳ ଖେଳିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ପ୍ରଭାରୀ, ସହପ୍ରଭାରୀ ଏବଂ ପିସିସି ସଭାପତି ପରିବର୍ତ୍ତନ କରି ରାହୁଲ ନିର୍ବାଚନ ମୁହାଁ ହୋଇଛନ୍ତି। ପ୍ରସାଦ ହରିଚନ୍ଦନଙ୍କୁ ହଟାଇ କଂଗ୍ରେସରେ ପୁଣି ପଟ୍ଟନାୟକ ଯୁଗ ଫେରାଇ ଆଣିଛନ୍ତି ରାହୁଲ।

ନିରଞ୍ଜନ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ପିସିସି ସଭାପତି ହୋଇଛନ୍ତି। ଯେଉଁ ସମୟରେ ନେତା କଂଗ୍ରେସ ଛାଡ଼ୁଛନ୍ତି ସେହି ସମୟରେ ନିରଞ୍ଜନଙ୍କ କାନ୍ଧରେ ରାହୁଲ ଗୁରୁ ଦାୟିତ୍ୱ ଦେଇଛନ୍ତି। ହେଲେ ନିରଞ୍ଜନ ଏହି ଦାୟିତ୍ୱ କେମିତି ତୁଲାଉଛନ୍ତି ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି।

ନିରଞ୍ଜନଙ୍କ ପାଇଁ ଚାଲେଞ୍ଜ

ନେତୃତ୍ୱ ଉପରେ ଅସନ୍ତୋଷ ପ୍ରକାଶ କରି ବହୁ ନେତା ଦଳ ଛାଡ଼ି ଚାଲି ଯାଇଛନ୍ତି। ୧୬ ବର୍ଷ ଧରି ଯେଉଁ ଦଳ ଦ୍ୱିତୀୟ ସ୍ଥାନରେ ରହିଥିଲା ସେହି ଦଳ ଗତ ପଞ୍ଚାୟତ ନିର୍ବାଚନ ବେଳେ ତୃତୀୟ ସ୍ଥାନକୁ ଖସିଆସିଛି । ଦଳରେ ନାହାନ୍ତି ନିରଞ୍ଜନଙ୍କ ଭାଇ ସୌମ୍ୟରଞ୍ଜନ ପଟ୍ଟନାୟକ। କଂଗ୍ରେସ ଛାଡ଼ି ସେ ଏବେ ବିଜେଡିରେ। ଭୁପିନ୍ଦର ସିଂ, ଅନୁପ ସାଏଙ୍କ ଭଳି ନେତା ବି ବିଜେଡିରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆଦିବାସୀ ନେତା ଗିରିଧର ଗମାଙ୍ଗ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ଚନ୍ଦ୍ରଶେଖର ସାହୁ, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପରିବାର ବି ଦଳ ଛାଡ଼ି ଚାଲିଯାଇଛନ୍ତି। ତୃଣମୂଳ ସ୍ତରରେ ବି କଂଗ୍ରେସ ଭାଗ ଭାଗ ହୋଇଯାଇଛି। ଏପରିସ୍ଥିତିରେ ନିରଞ୍ଜନଙ୍କୁ ଓଡ଼ିଶା କଂଗ୍ରେସର ମଙ୍ଗୁଆଳ କରିଛନ୍ତି ରାହୁଲ। ଯାହା ଜଣାପଡ଼ୁଛି ତାଙ୍କ ନେତୃତ୍ୱରେ କଂଗ୍ରେସ ୨୦୧୯ ନିର୍ବାଚନ ଲଢ଼ିବ। ହେଲେ ଆଉ ସମୟ ନାହିଁ। ବର୍ଷେ ଭିତରେ ଦଳକୁ ସଙ୍ଗଠିତ କରି ଦୁଇ ଦୁଇଟି ପ୍ରମୁଖ ଦଳ ସହ କଂଗ୍ରେସକୁ ଲଢ଼ିବାକୁ ପଡ଼ିବ ।

କେବଳ ୧୩ ବର୍ଷରେ ବଦଳିଲେଣି ଚାରି ପିସିସି ସଭାପତି

କଂଗ୍ରେସ ଚାଣକ୍ୟ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶେଷ ଶାସନକାଳରୁ କଂଗ୍ରେସ ରାଜ୍ୟରେ ଅଛୁଆଁ ହୋଇରହିଛି। ୧୯୯୯ରେ ବିବାଦୀୟ ହୋଇ ଜେବି ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ଦୁଇ ଦୁଇ ଜଣ ତୁଙ୍ଗ ନେତା ମୁଖ୍ୟମନ୍ତ୍ରୀ ଚୌକିରେ ବସିଛନ୍ତି ସତ; ହେଲେ କଂଗ୍ରେସ ପ୍ରତି ଓଡିଶାବାସୀଙ୍କ ଆଗ୍ରହ ଦେଖିବାକୁ ମିଳୁନି। କ୍ଷମତା ପାଇଁ ଏଠି ନେତାଙ୍କ ମଧ୍ୟରେ ବାଦ ବିବାଦ ତୀବ୍ରତର ହେଉଛି। ୧୩ ବର୍ଷ ଭିତରେ ଚାରି ଜଣ ପିସିସି ସଭାପତି ବଦଳି ସାରିଲେଣି। ହେଲେ କଂଗ୍ରେସ ନେତାମାନେ ଏକାଠି ହୋଇ ୧୭ ବର୍ଷର ନବୀନ ଦୁର୍ଗକୁ ମୁକାବିଲା କରିବାରେ ସକ୍ଷମ ହେଉନାହାନ୍ତି। କଂଗ୍ରେସ ହାଇକମାଣ୍ଡ ୧୯ ତାରିଖରେ ନିରଞ୍ଜନ ପଟ୍ଟନାୟକଙ୍କ ମୁଣ୍ଡରେ ପାଗ ଭିଡ଼ିଛନ୍ତି। ନିରଞ୍ଜନ ତାଙ୍କ ସେକେଣ୍ଡ ଇନିଂସ୍‍ରେ ଅସଜଡା କଂଗ୍ରେସକୁ କେମିତି ସଜାଡୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ଭାଳି ପାରିଲେନି କେପି-ଜୟଦେବ-ପ୍ରସାଦ

୨୦୦୪ ଜୁନ୍‍ ୨୬ରୁ ୨୦୧୮ ମାର୍ଚ୍ଚ ୧୯। ୟା ଭିତରେ ଅନେକ ଘଟଣା ଏବଂ ଦୁର୍ଘଟଣା ଘଟିଛି। କଂଗ୍ରେସ ରାଜନୀତିରେ ଘଡିକେ ଘୋଡା ଛୁଟିଛି। ଗୋଷ୍ଠୀ କନ୍ଦଳରେ ଉବୁଟୁବୁ ହୋଇ ଦଳ ରାଜ୍ୟବାସୀଙ୍କ ବିଶ୍ୱାସ ହରାଇଛି। ୧୭ ବର୍ଷ ଧରି ଦଳ ରାଜ୍ୟ ଶାସନରୁ ଦୂରେଇ ଯାଇଥିବାରୁ କେମିତି ପୁଣି କ୍ଷମତା ଚୌକି ଅକ୍ତିଆର କରିବ ସେଥିପାଇଁ ହାଇକମାଣ୍ଡ ବାରମ୍ବାର ତାଗିଦ୍‍ କରୁଥିଲେ ମଧ୍ୟ କିଛି ଫରକ ପଡ଼ୁନି। ଦଳ ସଜାଡ଼ିବାକୁ ହାଇକମାଣ୍ଡ ୧୩ ବର୍ଷ ୧୦ ମାସ ଭିତରେ ୪ ଜଣଙ୍କୁ ପିସିସି ଚୌକିରେ ବସାଇଥିଲେ ମଧ୍ୟ ଦଳ କିଛି ବି ଲାଭ ପାଇନି। ୨୦୦୪ ପୂର୍ବରୁ ଶରତ ପଟ୍ଟନାୟକ ଏବଂ ଜାନକୀବଲ୍ଲଭ ପଟ୍ଟନାୟକ ମଧ୍ୟ ପିସିସି ସଭାପତି ହୋଇଥିଲେ।

୨୦୦୪ରେ ଜୟଦେବ ଜେନା

୨୦୦୪ ସାଧାରଣ ନିର୍ବାଚନରେ କଂଗ୍ରେସ ହାରିବା ପରେ ହାଇକମାଣ୍ଡ ଜେବି ପଟ୍ଟନାୟକଙ୍କୁ ହଟାଇ ଜୟଦେବ ଜେନାଙ୍କୁ ପିସିସି ମଙ୍ଗୁଆଳ କରିଥିଲେ। ଏହି ସମୟରେ ସେ  ଦଳ ସଜାଡ଼ିବା ଆରମ୍ଭ କରିଥିଲେ। ୨୦୦୬ରେ ତଲସରା ଓ ୨୦୦୮ରେ ଲକ୍ଷ୍ମୀପୁର ଉପ-ନିର୍ବାଚନ କଂଗ୍ରେସ ଜୟଦେବଙ୍କ ନେତୃତ୍ୱରେ ଲଢ଼ିଥିଲା। ଶାସକ ବିଜେଡି ପ୍ରାର୍ଥୀଙ୍କୁ କଂଗ୍ରେସ ପରାଜିତ କରି ଉପ-ନିର୍ବାଚନରେ ବାଜିମାତ୍‍ କରିଥିଲା। ହେଲେ ସେ ଅଧିକ ଦିନ ଦଳରେ ତିଷ୍ଠି ପାରିଲେନି। ତାଙ୍କୁ ହଟାଇବା ପାଇଁ କଂଗ୍ରେସର ଗୋଟିଏ ଗୋଷ୍ଠୀ ଜୋରଦାର ଉଦ୍ୟମ ଆରମ୍ଭ କରିଦେଲେ। ବାରମ୍ବାର ଦିଲ୍ଲୀ ଯାଇ ଜୟଦେବଙ୍କ ବିରୋଧରେ ହାଇକମାଣ୍ଡଙ୍କ ଆଗରେ ଅଭିଯୋଗ କଲେ। ଶେଷରେ ୨୦୦୯ ନିର୍ବାଚନର ଠିକ୍‍ ୩ ମାସ ପୂର୍ବରୁ ଜୟଦେବଙ୍କୁ ହଟାଇଦେଲେ ହାଇକମାଣ୍ଡ।

୨୦୦୯ରେ କେପି ସିଂହଦେଓ

ଜୟଦେବଙ୍କ ପରେ କେନ୍ଦ୍ରମନ୍ତ୍ରୀ ତଥା ଢେଙ୍କାନାଳ ରାଜା ସାହେବ କାମାକ୍ଷା ପ୍ରସାଦ ସିଂହଦେଓଙ୍କୁ ପିସିସି ସଭାପତି କରିଥିଲେ ହାଇକମାଣ୍ଡ। ତାଙ୍କୁ ସହଯୋଗ କରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଭକ୍ତ ଚରଣ ଦାସ ଓ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଥିଲା। ରାଜା ସାହେବ ଅଢେ଼ଇ ବର୍ଷ ପର୍ଯ୍ୟନ୍ତ ପିସିସି ମଙ୍ଗ ଧରିଲେ ଓ ୨୦୦୯ ସାଧାରଣ ନିର୍ବାଚନ ତାଙ୍କରି ନେତୃତ୍ୱରେ ଲଢ଼ିଥିଲା ଦଳ। ହେଲେ ଟିକେଟ୍‍ ବଣ୍ଟାରେ ଅନିୟମିତତା ଅଭିଯୋଗ ହୋଇଥିଲା। ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ୍‍ ମିଳି ନଥିବାରୁ କଂଗ୍ରେସ ନିର୍ବାଚନରେ ଚିତ୍‍ ପଟାଙ୍ଗ ମାରିଥିଲା। ୨୦୦୪ ନିର୍ବାଚନ ତୁଳନାରେ କଂଗ୍ରେସ ୨୦୦୯ରେ ଶୋଚନୀୟ ଭାବେ ପରାଜିତ ହେଲା।

୨୦୦୯ରେ କେପି ସିଂହଦେଓଙ୍କ ନେତୃତ୍ୱରେ ୧୪୭ ବିଧାନସଭା ଆସନରୁ କଂଗ୍ରେସ ୨୭ ଏବଂ ୨୧ ଲୋକସଭା ଆସନରୁ ୬ଟିରେ ବିଜୟୀ ହୋଇଥିଲା। ଆଉ ଏହାପରେ ଆରମ୍ଭ ହୋଇଯାଇଥିଲା କେପି ହଟାଓ ଅଭିଯାନ। ହାଇକମାଣ୍ଡ ୨୦୧୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ କେପିଙ୍କୁ ହଟାଇ ଦେଇଥିଲେ।

୨୦୧୨ରେ ନିରଞ୍ଜନ ପଟ୍ଟନାୟକ

କେପିଙ୍କ ପରେ ପଟ୍ଟନାୟକ ପରିବାର ହାତରେ ପୁଣି କ୍ଷମତା ଭାର ଅର୍ପଣ କରିଥିଲେ ହାଇକମାଣ୍ଡ। ନିରଞ୍ଜନ ପଟ୍ଟନାୟକ ହୋଇଥିଲେ ପିସିସି ସଭାପତି। ନିରଞ୍ଜନଙ୍କୁ ପିସିସି ସଭାପତି କରାଇ ନଦେବା ପାଇଁ କଂଗ୍ରେସର ଗୋଟିଏ ଗୋଷ୍ଠୀ ଚାହୁଁଥିଲେ ମଧ୍ୟ ହାଇକମାଣ୍ଡ ତାଙ୍କୁ ସୁଯୋଗ ଦେଇଥିଲେ। ନିରଞ୍ଜନଙ୍କ ନେତୃତ୍ୱରେ ଦଳ ୨୦୧୨ ପଞ୍ଚାୟତ ନିର୍ବାଚନ ଲଢ଼ିଥିଲା। ହେଲେ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବାକୁ ସମର୍ଥ ହୋଇ ନଥିଲା। ୩୦ଟି ଜିଲ୍ଲାରୁ ୨୭ଟିରେ ବିଜେଡି ଜିଲା ପରିଷଦ ଗଠନ କରି କଂଗ୍ରେସକୁ ଶକ୍ତ ଧକ୍କା ଦେଇଥିଲା। ପୁଣି ସେହି ସମୟରେ ଆଠଗଡ ଓ ଉମରକୋଟ୍‍ ଉପ ନିର୍ବାଚନ ବି ଦଳ ନିରଞ୍ଜନଙ୍କ ନେତୃତ୍ୱରେ ଲଢ଼ିଥିଲା। ହେଲେ ଏଥିରେ ବି ବିଜେଡି ପ୍ରାର୍ଥୀ ବାଜିମାତ କରିଥିଲେ। ଫଳରେ କଂଗ୍ରେସରେ ନିରଞ୍ଜନ ହଟାଅ ସ୍ୱର ଜୋରଦାର ଉଠିଲା। ଆଉ ଏହି ସ୍ୱରକୁ ତୀବ୍ରତର କଲେ ପ୍ରଭାବଶାଳୀ ନେତା ଲୁଲୁ ମହାପାତ୍ରଙ୍କ ଗୋଷ୍ଠୀ।

ତତ୍କାଳୀନ କଂଗ୍ରେସ ପ୍ରଭାରୀ ଜଗଦ୍ଦୀଶ ଟାଇଟଲରଙ୍କ ଯୋଗୁଁ ନିରଞ୍ଜନଙ୍କ ଗାଦି ସୁରକ୍ଷିତ ରହିଥିଲା। ନିରଞ୍ଜନ ହାଇକମାଣ୍ଡଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭୁବନେଶ୍ୱରରେ ୨୦୧୨ ସେପ୍ଟେମ୍ବର ୬ରେ ପରିବର୍ତ୍ତନ ସମାବେଶ ଓ ୧୦ରେ ଓଡିଶାବନ୍ଦ କରି ନିଜ ନେତୃତ୍ୱକୁ ଜାହିର କରିଥିଲେ। ହେଲେ ଗୋଷ୍ଠୀ କନ୍ଦଳ ଯୋଗୁଁ ନିରଞ୍ଜନଙ୍କୁ ୨୦୧୪ ନିର୍ବାଚନ ପୂର୍ବରୁ ହଟାଇ ଦିଆଗଲା।

୨୦୧୩ରେ ପୁଣି ଜୟଦେବ

୨୦୧୩ରେ ପୁଣି ଜୟଦେବ ଜେନା ପିସିସି ସଭାପତି ହୋଇଥିଲେ। ଜୟଦେବଙ୍କ ନେତୃତ୍ୱରେ କଂଗ୍ରେସ ୨୦୧୩ ପୌର ଏବଂ ୨୦୧୪ ସାଧାରଣ ନିର୍ବାଚନ ଲଢ଼ିଥିଲା। ହେଲେ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ଫଳରେ ଜୟଦେବ ବେଶିଦିନ ତିଷ୍ଠିପାରିଲେ ନାହିଁ। ଜୟଦେବଙ୍କୁ ହଟାଇବା ପାଇଁ ସେତେବେଳେ କଂଗ୍ରେସ ନେତାମାନେ ବାରମ୍ବାର ଦିଲ୍ଲୀ ଦୌଡ଼ିଥିଲେ। ୨୦୧୪ ଡିସେମ୍ବର ୧୫ରେ ଜୟଦେବଙ୍କୁ ହଟାଇ ଦେଇଥିଲେ ହାଇକମାଣ୍ଡ

୨୦୧୪ରେ ପ୍ରସାଦ ହରିଚନ୍ଦନ

ପ୍ରସାଦ ହରିଚନ୍ଦନ ହୋଇଥିଲେ ପିସିସି ସଭାପତି। ମୁଁ ନୁହେଁ ଆମେ ସ୍ଲୋଗାନ୍‍  ଦେଇ ପ୍ରସାଦ କଂଗ୍ରେସକୁ ସଙ୍ଗଠିତ କରିବାକୁ ଉଦ୍ୟମ କଲେ। ପ୍ରସାଦଙ୍କ ନେତୃତ୍ୱରେ ଦଳ ୨୦୧୭ ପଞ୍ଚାୟତ, ବିଜେପୁର ଉପ-ନିର୍ବାଚନ ଲଢ଼ି ବିଫଳ ହୋଇଛି। ପ୍ରସାଦଙ୍କ ଅମଳରେ ବହୁ ପୁରୁଖା ନେତା ଦଳ ଛାଡ଼ି ଅନ୍ୟ ଦଳକୁ ଚାଲି ଯାଇଛନ୍ତି। ଫଳରେ ପ୍ରସାଦଙ୍କୁ ହଟାଇବା ପାଇଁ କଂଗ୍ରେସର ଗୋଟିଏ ଗୋଷ୍ଠୀ ଲାଗିପଡ଼ିଥିଲେ। ଏବେ ପ୍ରସାଦଙ୍କୁ ହାଇକମାଣ୍ଡ ହଟାଇ ପୁଣି ନିରଞ୍ଜନଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ନିରଞ୍ଜନଙ୍କ ନେତୃତ୍ୱରେ କଂଗ୍ରେସ ଏକାଠି ହେଉଛି ନା ପୁଣି କନ୍ଦଳରେ ଦଳ ବୁଡ଼ି ରହୁଛି ତାହା ସମୟ କହିବ।

ରିପୋର୍ଟ: ସରୋଜ ମହାପାତ୍ର

Comment