ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୪ ସାଧାରଣ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାକୁ ଲାଗିଛି। ବିଜୁ ଜନତା ଦଳ (ବିଜେଡି) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ନିଜ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି। ସେପଟେ କଂଗ୍ରେସ ମଧ୍ୟ ୨୦୨୪ରେ ଭଲ ପ୍ରଦର୍ଶନ ପାଇଁ ଅଣ୍ଟା ଭିଡ଼ିଛି।

୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୯ରୁ ୯୦ କରିବା ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି। କଂଗ୍ରେସ ସବୁବେଳେ ଲୋକଙ୍କ ସହ ରହିଥିବା ସେ କହିଛନ୍ତି। ୨୦୨୪ ନିର୍ବାଚନରେ ଭଲ ଫଳ ମିଳିବ ବୋଲି ଶରତ ପଟ୍ଟନାୟକ ଆଶା ରଖିଛନ୍ତି।

ସେପ୍ଟେମ୍ବର ସୁଦ୍ଧା କଂଗ୍ରେସର ନୂଆ କମିଟି ଗଠନ ହେବ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି। ବ୍ଲକ୍ ସଭାପତି, ଜିଲ୍ଲା ସଭାପତି, ରାଜ୍ୟସ୍ତରୀୟ କମିଟିକୁ ନୂଆ ରୂପ ଦିଆଯିବ। ଏଥିପାଇଁ ପ୍ରକ୍ରିୟା ଜାରି ରହିଛି। ଅଗଷ୍ଟ ୨୮ରେ ହେବାକୁ ଥିବା ସିଡବ୍ଲ୍ୟୁସି ବୈଠକରେ ଏହି କମିଟି ଉପରେ ମୋହର ମରାଯିବ ବୋଲି ସେ କହିଛନ୍ତି।

ସେହିଭଳି ୨୦୨୪ ନିର୍ବାଚନ କଂଗ୍ରେସ ପାଇଁ ଶେଷ ସୁଯୋଗ ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି। ଯଦି କଂଗ୍ରେସ ୨୦୨୪ରେ ଏକାଠି ହୋଇ ଲଢ଼ିବନି ତେବେ କଂଗ୍ରେସକୁ ଆଉ କେହି ବଞ୍ଚାଇ ପାରିବେନି। ଭଗବାନ ବି କଂଗ୍ରେସକୁ ରକ୍ଷା କରି ପାରିବେନି।

ଅନ୍ୟପଟେ ବର୍ତ୍ତମାନ କଂଗ୍ରେସ ଠିକ୍ ଦିଗରେ ଚାଲିଛି ବୋଲି ବିଧାୟକ ସୁରେଶ ରାଉତରାୟ କହିଛନ୍ତି। ତେବେ ଦଳରେ କିଛିଲୋକ ବିଶୃଙ୍ଖଳା କରୁଥିବା କହିବା ସହ ବିଶୃଙ୍ଖଳାକାରୀଙ୍କୁ ଚେତାବନୀ ଦେଇଛନ୍ତି ସୁରେଶ ରାଉତରାୟ। ଶରତ ପଟ୍ଟନାୟକଙ୍କୁ ଯିଏ ବିରୋଧ କରିବ ତାକୁ ଘୋର ବିରୋଧ କରାଯିବ ବୋଲି ସେ କହିଛନ୍ତି। ବନ୍ୟା ପରେ ସଂଗଠନକୁ ଦୃଢ଼ କରିବା ପାଇଁ ଚେଷ୍ଟା କରାଯାଉଥିବାବେଳେ ସମସ୍ତେ ଏକଜୁଟ ହେଇ କାମ କଲେ ଦଳର ସ୍ଥିତି ସୁଦୃଢ ହେବ ବୋଲି ସୁରେଶ ରାଉତରାୟ କହିଛନ୍ତି।

Tags: #pccpresident #sureshRoutray #saratpattanaik #jayadevjena #election2024

Comment