ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ଵରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ଆଗକୁ ଆସୁଥିବା ସାଧାରଣ ନିର୍ବାଚନକୁ ନେଇ ବିଜେପି ପକ୍ଷରୁ ପ୍ରସ୍ତୁତ ହେବାକୁ ଥିବା ରଣନୀତି ବିଷୟରେ ବୈଠକରେ ଅଲୋଚନା କରାଯାଇଛି। ଏହାଛଡ଼ା ଏଠାରେ ଦଳ ଓଡ଼ିଶାର ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି।

ଏହି କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଶାର ବିଭିନ୍ନ ରାଜନୈତିକ ଓ ସମାଜିକ ବିଷୟକୁ ନେଇ ଚର୍ଚ୍ଚା ହୋଇଥିଲା। ରାଜ୍ୟ ବିଜେପି ପକ୍ଷରୁ ଏଠାରେ ଏକ ପ୍ରେସବର୍ତ୍ତା ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶା ବିଜେପିର ସାଧାରଣ ସମ୍ପାଦିକା ତଥା ମହିଳା ନେତ୍ରୀ ଲେଖାଶ୍ରୀ ସମନ୍ତସିଂହାର ରାଜ୍ୟ ସରକାରଙ୍କୁ ବିଭିନ୍ନ ବିଷୟକୁ ନେଇ ସମାଲୋଚନା କରିଥିଲେ।

“କେନ୍ଦ୍ର ସରକାର ପକ୍କାଘର, ପିଇବା ପାଣି ଓ ରୋଜଗାର ପାଇଁ ଯେଉଁ ସବୁ ଯୋଜନା କରୁଛନ୍ତି ସେଗୁଡ଼ିକ ଓଡ଼ିଶାର ସାଧରଣ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ରାଜ୍ୟ ସରକାର ସମ୍ଭାଳି ପାରୁନାହାନ୍ତି। ନବ ଦାସଙ୍କ ହତ୍ୟା ଘଟଣାରୁ ଏହା ସ୍ପଷ୍ଟ। ଅନ୍ୟପଟେ ଓଡ଼ିଶାରେ ଏବେ ମହିଳା ନିର୍ଯ୍ୟାତନା ବଢ଼ିଚାଲିଛି। ବିଜେଡି ନେତାମାନଙ୍କ ଘରୋଇ କଳହ ଏହାକୁ ପଦାରେ ପକାଇଛି”, କହିଛନ୍ତି ଲେଖାଶ୍ରୀ ସମନ୍ତସିଂହାର।

ସେ ଆହୁରି ମଧ୍ୟ କହିଛନ୍ତି, “ରାଜ୍ୟ ସରକାର ମହାନଦୀ ଜଳ ବିବାଦ ମାମଲାରେ ପଛୁଆ ରହିଥିବା ଦେଖାଦେଇଛି। ମହାନଦୀକୁ ନେଇ ଛତିଶଗଡ଼ର ଦାଦାଗିରି ଆଗରେ ଓଡ଼ିଶା କିଛି କରିପାରୁନାହିଁ। ସେହିଭଳି ଶ୍ରୀମନ୍ଦିର ଫାଇଲ ଚୋରି ହେବା, ଅଘୋଷିତ ବିଜୁଳି କାଟ, କୋଟିଆ ସମସ୍ୟା ଆଦି କ୍ଷେତ୍ରରେ ରାଜ୍ୟ ସରକାର ଫେଲ ମାରିଛନ୍ତି। ୫-ଟି ନାଁରେ ସରକାର ଲୋକଙ୍କୁ ଭଣ୍ଡାଉଛନ୍ତି।”

ସେ ଆହୁରି କହିଛନ୍ତି, “ଆମେ ଓଡ଼ିଶାର ୧ କୋଟି ପରିବାରଙ୍କ ପାଖରେ ପହଞ୍ଚିବୁ। କେନ୍ଦ୍ରର ସଫଳତା ଓ ରାଜ୍ୟର ବିଫଳତାକୁ ସେମାନଙ୍କୁ ଜଣାଇବୁ। ଓଡ଼ିଶାକୁ ବିଜେଡି କବଳରୁ ମୁକ୍ତ କରିବୁ। ଏହା ଆମର ବିଶ୍ଵାସ ରହିଛି। ଏଥିରେ ଆମେ ସଫଳ ହେବୁ।”

ଅନ୍ୟପଟେ ବିଜେଡି ପକ୍ଷରୁ ବିଜେପିର ଏହି ସମଲୋଚନାକୁ ଖଣ୍ଡନ କରାଯାଇଛି। ବିଜେଡିର ବରିଷ୍ଠ ନେତ୍ରୀ ତଥା ରାଜ୍ୟ ଅର୍ଥମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଜେପିର ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ।

“କେନ୍ଦ୍ର ସରକାରଙ୍କ ଯୋଗୁଁ ଆଜି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବହୁତ ବଢ଼ିଯାଇଛି। ଏଥିପାଇଁ ଆଜି ସାଧାରଣ ଲୋକେ ବହୁତ ହଇରାଣ ହେଉଛନ୍ତି। ଅନ୍ୟପଟେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକରୀ ଯୋଜନା ପାଇଁ ଓଡ଼ିଶାବାସୀଙ୍କ ବହୁତ ଲାଭ ହେଉଛି। ସେମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆସୁଛି”, କହିଛନ୍ତି ପ୍ରମିଳା ମଲ୍ଲିକ।

ରାଜ୍ୟ ବିଜେପିର ଏହି କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ଵର ଟୁଡ଼ୁ, ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନିଲ୍ ବଂସଲ, ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ଵରୀ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଓ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏହାବ୍ୟତୀତ ବିଜେପିର ବହୁ ସାଂସଦ, ବିଧାୟକ, ଜିଲ୍ଲାସ୍ତରୀୟ ନେତା ଓ ଅନେକ କର୍ମମର୍ତ୍ତା ଏହି ବୈଠକରେ ଯୋଗ ଦେଇଥିଲେ।

Tags: #BJPStateExecutiveMeeting #BJPOdisha #2024Election #Politics #Odisha

Comment